ନୂତନ ଉପରାଷ୍ଟ୍ରପତିଙ୍କ ବିଗତ ଇତିହାସ

Sep 10, 2025 - 14:51
 18
ନୂତନ ଉପରାଷ୍ଟ୍ରପତିଙ୍କ ବିଗତ ଇତିହାସ

ସି ପି ରାଧାକ୍ରିଷ୍ଣନଙ୍କ ପୁରା ନାମ ଚନ୍ଦ୍ରପୁରମ ପୋନନୁସାମୀ ରାଧକ୍ରିଷ୍ଣାନ | ସେ ୧୫ ତମ

ଉପରାଷ୍ଟ୍ରପତି ନିର୍ବାଚନରେ 452 ଭୋଟ ପାଇ ବିଜୟୀ ହୋଇଛନ୍ତି ।ଏନଡିଏର ପ୍ରାର୍ଥୀ ସିପି ରାଧାକୃଷ୍ଣନ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି । 

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୭୮୧ ଜଣ ଭୋଟର ଥିଲେ । ୭୬୭ ଜଣ ସାଂସଦ ଭୋଟ ଦେଇଥିଲେ । ସେଥିରୁ 15 ଜଣ ସାଂସଦଙ୍କ ଭୋଟ ନାକଚ ହୋଇଥିଲା । ଲୋକସଭାର ୫୪୨ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୨୩୯ ଜଣ ସଦସ୍ୟ ସେମାନଙ୍କର ଭୋଟ୍ ଦେବାପାଇଁ ସ୍ଥିର ହୋଇଥିଲା । 

ସିପି ରାଧାକ୍ରିଷ୍ଣନ, ଜନ୍ମ ୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ତାମିଲନାଡୁର ତିରୁପୁର ଜିଲ୍ଲାରେ ହୋଇଥିଲା। ସିପି ରାଧାକ୍ରିଷ୍ଣନ ମାତ୍ର ୧୬ ବର୍ଷ ବୟସରେ, ଅର୍ଥାତ୍ ୧୯୭୩ ମସିହାରେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ସାମିଲ ହୋଇଥିଲେ । ୧୯୭୪ରେ ସେ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟକାରିଣୀ ସମିତିର ସଦସ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି (BJP) ସହିତ ଜଡିତ ହୋଇ ସେ ତାମିଲନାଡୁରେ ଦଳର ପ୍ରମୁଖ ନେତା ଭାବେ ଉଭା ହୋଇଥିଲେ। ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ସେ ବିଜେପି ତାମିଲନାଡୁର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ବିଜେପି କେରଳର ସର୍ବଭାରତୀୟ ପ୍ରଭାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ସେ କୋଏମ୍ବାଟୁର ଲୋକସଭା ଆସନରୁ ୧୯୯୮ ଓ ୧୯୯୯ରେ ବିଜେପି ଟିକେଟରେ ନିର୍ବାଚନ ଜିତି ଦୁଇଥର ସାଂସଦ ହୋଇଥିଲେ। ୧୯୯୮ରେ ସେ ୧.୫ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଏବଂ ୧୯୯୯ରେ ୫୫,୦୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ, ୨୦୦୪, ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ସେ ପରାଜିତ ହୋଇଥିଲେ।

ସିପି ରାଧାକ୍ରିଷ୍ଣନ ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ୨୦୨୩ ଫେବୃଆରୀରୁ ୨୦୨୪ ଜୁଲାଇ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। ୨୦୨୪ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ସେ ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୨୪ ଜୁଲାଇ ୩୧ରେ ସେ ମହାରାଷ୍ଟ୍ରର ୨୪ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି।

୨୦୨୫ ଅଗଷ୍ଟ ୧୭ରେ, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସିପି ରାଧାକ୍ରିଷ୍ଣନଙ୍କୁ ଭାରତର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। 

୨୦୧୯ ନିର୍ବାଚନ ସମୟରେ ଦାଖଲ କରାଯାଇଥିବା ସତ୍ୟପାଠ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୬୭.୧୧ କୋଟି ଟଙ୍କା। 

ସିପି ରାଧାକ୍ରିଷ୍ଣନ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ, ଯିଏ ରାଜନୀତି, ବ୍ୟବସାୟ ଓ ସାମାଜିକ କାର୍ଯ୍ୟରେ ନିଜର ଛାପ ଛାଡିଛନ୍ତି। ତାଙ୍କର ଦୀର୍ଘ ରାଜନୈତିକ ଯାତ୍ରା, ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ଭାବେ ଦାୟିତ୍ୱ ଏବଂ ଉପରାଷ୍ଟ୍ରପତି ଭାବେ ବିଜୟ ତାଙ୍କୁ ଭାରତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଭାବେ ପ୍ରତିଷ୍ଠିତ କରିଛି।