ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି ପାଳନର ତାପ୍ତର୍ଯ୍ୟ...

ପଣା ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ

Apr 14, 2026 - 19:11
 12
ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି ପାଳନର ତାପ୍ତର୍ଯ୍ୟ...

ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି ପାଳନର ତାପ୍ତର୍ଯ୍ୟ...

ପଣା ସଂକ୍ରାନ୍ତିକୁ ମହାବିଷୁବ ସଂକ୍ରାନ୍ତି କୁହାଯାଏ।

ସୂର୍ଯ୍ୟ ଏହି ଦିନ ବିଷୁବରେଖାରେ ଅବସ୍ଥାନ କରନ୍ତି। ବର୍ଷକ ୩୬୫ ଦିନ ହେଉ ବା ୩୫୪ ଦିନ ହେଉ ସମୟ ଧାର୍ଯ୍ୟକୁ ୧/୧, ୩୬୦୦ର ବୃତ୍ତର ଧାର୍ଯ୍ୟ ରଖାଯାଏ। ଏମିତିକି ବାର୍ହ୍ୟସୂତ୍ୟ ବର୍ଷର ମାନ ୩୬୧ ପାଖାପାଖି ସମୟକୁ ସେହି ୩୬୦୦ ଆବର୍ତ୍ତନରେ ପକାଇ ଗଣନା କରାଯାଏ। 

ଏହାର ଅର୍ଥ ସମୟ ଦୌଡ଼ ଚକ୍ରାକାର କ୍ଷେତ୍ର। ବର୍ଷକ ଯେଉଁ ବାରମାସ ଏହା ବି ଗଣନାର ଉତ୍ସ ଏହି ମହାବିଷୁବ ସଂକ୍ରାନ୍ତିର ଉତ୍ସ ବାର। 

ପଞ୍ଚାଙ୍ଗ ଗଣନା ସୃଷ୍ଟିର ଆଦି ଦିନରୁ ଅର୍ଥାତ ଯୁଗର ଆଦି ଦିନରୁ ଓ କୌଣସି ନିର୍ଦ୍ଦିଷ୍ଟ ବର୍ଗର ଗଣନା ସ୍ଥିର ରହିବା ଦିନରୁ କରାଯାଏ। ବିଚକ୍ଷଣ ଗଣିତ ଜ୍ୟୋତିଷୀ ଏହି ୩କୁ ସାମ୍ୟ ନକଲେ ଗଣନା ଭ୍ରମ ରହିଯାଇପାରେ। 

ଶକାବ୍ଦଃର ଆଦ୍ୟ ଦିନର ବାରରୁ ଆଗାମୀ ବର୍ଷର ସମସ୍ତ ରୂପରେଖ ପ୍ରସ୍ତୁତ କରାଯାଏ। ବର୍ଷା ଉପରେ କୃଷି ଓ ଜନତା ନିର୍ଭରଶୀଳ, ଏମିତି ପଶୁପକ୍ଷୀ, ବୃକ୍ଷଲତା ନିର୍ଭରଶୀଳ, ରାଜକର ନିର୍ଭରଶୀଳ। 

ଏଥିପାଇଁ ଏହି ଶକାବ୍ଦଃ ସିଦ୍ଧାନ୍ତରୁ ବାରମାସର ଆରମ୍ଭ ତିଥିବାର ନକ୍ଷତ୍ର ଲଗ୍ନରୁ ବହୁ ସିଦ୍ଧାନ୍ତ ସ୍ଥିର କରି ପାଞ୍ଜିରେ ଦିଆଯାଇଥାଏ। 

ଜ୍ୟେଷ୍ଠ ମାସର ସଂଶ୍ଳିଷ୍ଟ ବୃଷ ରବି ସ୍ଥିତିରେ ଓ ମାର୍ଗଶିର ମାସର ସଂଶ୍ଳିଷ୍ଟ ବିଛା ରବିରେ ରଖାଯାଇଥାଏ। 

ଏହି ଦୁଇମାସର ରବି ପ୍ରବେଶକାଳୀନ ଲଗ୍ନରୁ ସ୍ଥାନୀୟ ଖରିଫ ଓ ରବି ଫସଲର ଭାଗ୍ୟ ଅନୁମାନ ବିଚାର କରାଯାଏ। ମୃଗଶିରା ନକ୍ଷତ୍ର ଏକ ଦ୍ୱି ଦ୍ୱିପାଦ ଭଙ୍ଗ ନକ୍ଷତ୍ର। 

ଏହାର ପ୍ରଥମ ଦ୍ୱିପାଦ ଭଙ୍ଗର ପରେ ରବି ପ୍ରବେଶ, ୨ୟ ଦ୍ୱିପାଦ ଆରମ୍ଭରେ ମିଥୁନ ରବି ହୁଏ। ଏହା ପ୍ରତିବର୍ଷ ପାଇଁ ହୋଇଆସୁଛି। 

୮ ଜୁନରୁ ୨୧ ଜୁନ ମଧ୍ୟରେ ମୃଗଶିରାରେ ରବି ରହନ୍ତି, ୨୨ ଜୁନର ଆଗପଛ ଗଣନାଦୃଷ୍ଟେ ଦିନେ ଦୁଇ ଦିନ ମଧ୍ୟରେ ଆର୍ଦ୍ରା ନକ୍ଷତ୍ରରେ ରବି ପ୍ରବେଶ କରନ୍ତି। ଏଇ ଆର୍ଦ୍ରା ଅର୍ଥ କାଉଁନ୍ଦା ଓଦା। ଏ ସମୟରୁ ମୌସୁମୀ ବର୍ଷା ଓଡ଼ିଶାରେ ଆରମ୍ଭ ହୁଏ। 

ପଣା ସଂକ୍ରାନ୍ତି ଅଶ୍ୱିନୀ ରବି ପ୍ରବେଶ ୧୩/୧୪ ଅପ୍ରେଲରେ ପ୍ରତ୍ୟେକ ବର୍ଷ ଏ ସମୟରେ ପଡ଼ିଆସୁଛି। 

ପଞ୍ଚାଙ୍ଗ ଗଣନା ପାଇଁ ବାର ସିଦ୍ଧାନ୍ତ ଏକ ଜରୁରୀ ବିଷୟ। ସିଦ୍ଧାନ୍ତ ତନ୍ତ୍ରକରଣ ତ୍ରିବିଧି ପଦ୍ଧତିକୁ ସମତା ବାର ହିଁ ରଖିପାରେ। ଅର୍ହଗଣ, ଜଣା ନ ପଡ଼ିଲେ ସ୍ଥିର ନ ହେଲେ ଗ୍ରହ ନକ୍ଷତ୍ର ତିଥି ଆଦି ସ୍ଥିର ହୋଇ ନ ପାରେ। 

ଅର୍ହଗଣ ଅର୍ଥ ବିଗତ ସୃଷ୍ଟ୍ୟାଦି ଯୁଗାଦି ବା ନିର୍ଦ୍ଦିଷ୍ଟ ଧାର୍ଯ୍ୟ ବର୍ଷର ପାଞ୍ଜିରୁ ଗଣନା ଦିବସର ସଂଖ୍ୟା। ଶକାବ୍ଦଃର ଆଦ୍ୟ ଦିନ ସ୍ଥିରରୁ ଅନ୍ୟ ସବୁ କ୍ରମ ସଠିକ୍‌ ହୋଇଯାଏ। 

ଆମ ଓଡ଼ିଶାରେ ପୁଣ୍ୟକାଳ, ଦାନ ପାଇଁ ଉଦ୍ଦିଷ୍ଟ। ସମୟ ଭୋଗ ଅନୁସାରେ ଦ୍ରବ୍ୟଦାନ ଧାର୍ଯ୍ୟ ବି ରହିଛି। ଯଥା ଶୀତଦିନେ କମ୍ବଳ, ଶୀତବସ୍ତ୍ର ଦାନ, ଖରାଦିନେ ପଥିକମାନଙ୍କୁ ଛତ୍ର ପାଣ୍ଡୋଇ (ଜୋତା ଚପଲ, କଠଉ), ପାନୀୟ, ବିଭିନ୍ନ ବିଶେଷ ପର୍ବରେ ବସ୍ତ୍ର ନିଜର ବ୍ୟକ୍ତିଗତ ଶୁଦ୍ଧି ପ୍ରକ୍ରିୟାରେ ବା ବିବାହାଦି କାର୍ଯ୍ୟରେ ଅନ୍ନ, ବସ୍ତ୍ର, ଅଳଙ୍କାର, ଶଯ୍ୟା ଦାନ କରାଯାଏ। ଗୃହାରମ୍ଭ, ଗୃହ ପ୍ରବେଶ, କନ୍ୟା ବିବାହ ଆଦିରେ ଗୋଦାନ କରାଯାଏ। ଏହି ମହାବିଷୁବ ସଂକ୍ରାନ୍ତିରେ ପାଣିପଣା ଦାନ କରାଯାଏ। 

ପ୍ରକୃତରେ ଯେଉଁ ଜଳକଷ୍ଟ ଅଛି ସେଠାରେ ପୁଷ୍କରିଣୀ, କୂପାଦି ଧନୀ ଜମିଦାରମାନେ ଏଇ ଦିନଠାରୁ ଖନନ କରି ଉତ୍ସର୍ଗ କରୁଥିଲେ। ଅବଢ଼ାପାଣି, ଏକ ଜଳ ଦହି ମିଶ୍ରଣର ଘୋଳ ଏହା ପଥଚାରୀଙ୍କୁ ମଧ୍ୟାହ୍ନ କାଳରେ ପ୍ରଦାନ କରାଯାଏ। 

ଏହି ମେଷ ରବି ଗ୍ରୀଷ୍ମଋତୁର ୧ମ ମାସ, ଏ ସମୟ ମୃତ୍ତିକା ସ୍ତରର ଜଳ ସର୍ବନିମ୍ନ ସ୍ତରଗାମୀ ହୋଇଥାଏ। ମାଟି ଶୁଖି ଠୋ ଠୋ ହୋଇଥାଏ। ବୃକ୍ଷଲତା ଜଳ ଆହରଣରେ ପ୍ରବଳ ବାଧାରେ ଥାଆନ୍ତି। ବୃକ୍ଷ ମୂଳରେ ମଳା କରି ଜଳ ସିଞ୍ଚନ କରାଯାଏ। ତୁଳସୀ ଚଉଁରାରେ ବସନ୍ତରା ଘଡ଼ି ବସାଯାଏ। 

ସେଥିରେ ଜଳ ଭରି ଘଡ଼ି ନିମ୍ନ ଛିଦ୍ରରେ କୁଶାଗ୍ରରେ ଟୋପା ଟୋପା ଜଳ ତୁଳସୀ ବୃକ୍ଷରେ ପକାଇ ବୃକ୍ଷକୁ ଉଜ୍ଜୀବିତ ରଖିବାକୁ ଚେଷ୍ଟା କରାଯାଏ। 

ବୃକ୍ଷକୁ ଜଳଦାନ ପ୍ରକୃତରେ ଏହା ଏକ ସୂଚନା।

ମଧୁଏକ ‘ରାକ୍ଷସ’ ଥିଲେ। ତା’ର ଅନ୍ତ କରିବା ବ୍ୟକ୍ତି ‘ମାଧବ’। ମଧୁମାସ ନାମ ଚୈତ୍ର ମାସର ମାଧବ ମାସ ବୈଶାଖ ମାସର ବୈଦିକ ଜ୍ୟୋତିଷରେ ବର୍ଣ୍ଣନା ଅଛି। ପକ୍ଷାନ୍ତରେ ମଧୁ ଏକ ସୁନ୍ଦର ନାମ। 

ବସନ୍ତ ଋତୁର ଦକ୍ଷିଣା ପବନ ପ୍ରବାହିତ ସମୟ ମହୁ ସଂଗ୍ରହର ମାସ। ବହୁ ଫୁଲ ଏ ସମୟରେ ନବପଲ୍ଲବିତ ବୃକ୍ଷରେ ଫୁଟେ। ଏଥିରେ ମହୁମାଛି ମହୁ ସଂଗ୍ରହ କରି ମଧୁଚକ୍ର ବାନ୍ଧିଥାନ୍ତି। ବର୍ତ୍ତମାନ ଝାଞ୍ଜି ବହିବା ସମୟ। 

ମନୁଷ୍ୟ ବୁଦ୍ଧିମାନ୍‌ ବିଚାର ଶକ୍ତିରେ ନିଜେ ବଞ୍ଚତ୍ବା ସହିତ ଅନେକଙ୍କୁ ବଞ୍ଚାଇ ଖୁସି ରଖାଇ ପାରିଲେ ପୁଣ୍ୟକର୍ମ ଧରାଯାଏ। ବୈଶାଖ ପୁଣ୍ୟ ମାସରେ ଆସେ। 

ଦୁଲର୍ର୍ଭ ଜଳ ପଶୁପକ୍ଷୀ ମନୁଷ୍ୟ ବୃକ୍ଷଲତାକୁ ପ୍ରଦାନ କଲେ ପୁଣ୍ୟଫଳ ମିଳିଥାଏ।