ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ଓ ଏହାର ବିଧି ବ୍ୟବସ୍ଥା...

Sep 22, 2026 - 15:11
 14
ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ଓ ଏହାର ବିଧି ବ୍ୟବସ୍ଥା...

ଭାଦ୍ରବ ମାସର ଶୁକ୍ଳ ପକ୍ଷ ଏକାଦଶୀକୁ ପାର୍ଶ୍ୟ ପରିବର୍ତ୍ତିନ ଏକାଦଶୀ ବା ପଦ୍ମା ଏକାଦଶୀ ରୂପେ ପାଳନ କରାଯାଏ l ବର୍ଷ କୁ ପଡୁଥିବା ଚାରି ଗୋଟି ବଡ଼ ଏକାଦଶୀ ମଧ୍ୟ ରୁ ଏହି ଏକାଦଶୀ ଅନ୍ୟତମ l 

ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ବିଷ୍ଣୁ ଯୋଗନିଦ୍ରାରେ ରହି ନିଜର ପାର୍ଶ୍ଵ ପରିବର୍ତ୍ତନ କରିଥାନ୍ତି l ଏହା ଫଳରେ ଭଗବାନ ବିଷ୍ଣୁଙ୍କର ସ୍ଥାନ ପରିବର୍ତ୍ତନ ହୋଇଥାଏ l 

ତେଣୁ ଏହାର ଏହିପରି ନାମକରଣ ହୋଇଥିବାର କୁହଯାଏ l ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ବ୍ରତ, ଉପବାସ ପୂଜା ଆଦି କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳେ ଏବଂ ଗୃହରେ କୌଣସି ପ୍ରକାର ଅଶାନ୍ତି ରହେ ନାହିଁ l

ଶ୍ରୀଜଗନ୍ନାଥ ମନ୍ଦିର ରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ମଧ୍ୟରୁ ପାର୍ଶ୍ଵ ପରିବର୍ତ୍ତନ ଯାତ୍ରା ଅନ୍ୟତମ l ଭାଦ୍ରବ ଶୁକ୍ଳ ଏକାଦଶୀ ରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ l 

ମହାପ୍ରଭୁଙ୍କ ୪ ମାସ ଶୟନ କାଳରେ ୨ମାସରେ ପାର୍ଶ୍ୱ ପରିବର୍ତ୍ତନ କରିଥାନ୍ତି l ଭାଦ୍ର ଶୁକ୍ଳ ଏକାଦଶୀ ଦିନ ଭୋଗମଣ୍ଡପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯାଏ l 

ତତ୍ପରେ ପୂଜାପଣ୍ଡା , ପତିମହାପାତ୍ର ଓ ମୁଦିରସ୍ତ ସେବକ ଘଟୁଆରୀ ଘରୁ ଆସିଥିବା ଚନ୍ଦନ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି l ଏହାପରେ ଶ୍ରୀମଦନମୋହନଙ୍କୁ ମହାଜନ ସେବକ ରତ୍ନସିଂହାସନ ବିଜେ କରାଇଥାନ୍ତି ଳ

ସେଠାରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ମୁକ୍ତିମଣ୍ଡପ ନିକଟରେ ଥିବା ପାଲିଙ୍କିକୁ ବିଜେ କରିଥାନ୍ତି l ଏହାପରେ ବିମାନ ବଡୁ ସେବକ ଉକ୍ତ ପାଲିଙ୍କି ଟିକୁ ସ୍କନ୍ଧରେ ବହନ କରି ବଡଦେଉଳର ୧ଥର ପରିକ୍ରମା କରି ପୁଣି ମୁକ୍ତିମଣ୍ଡପ ନିକଟରେ ରଖିଥାନ୍ତି l 

ଏହାପରେ ଶ୍ରୀମଦନମୋହନ ଜୟ ବିଜୟ ଦ୍ୱାର ନିକଟରେ ବିଜେ କରିଥାନ୍ତି ଓ ସେଠାରେ ଏକାଦଶୀ ଭୋଗ ଏବଂ ବନ୍ଦାପନା ହୋଇଥାଏ l ତତ୍ପରେ ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିଥାନ୍ତି l 

ସାନ୍ଧ୍ୟ ଧୂପ ଶେଷ ହେବା ପରେ ଅନନ୍ତ ପୁରୁଷୋତ୍ତମ ମନ୍ଦିର ଭିତରେ ଦେଉଳ ପୁରୋହିତ ପବିତ୍ର ଅଧିବାସ ନିମନ୍ତେ ଆଚାର୍ଯ୍ୟ ବ୍ରହ୍ମା ବରଣ ହୋଇ ହୋମ କରିଥାନ୍ତି ଳ

ପ୍ରଥମ ବଡ଼ସିଂହାର ବେଶ ଓ ଭୋଗ ଶେଷ ହେବାପରେ ଖଟ ଶେଜ ଘର ଧୋପଖାଳ ହୋଇ ଦେଉଳ ପୁରୋହିତ ଏହି ଘରେ ପଞ୍ଚ ମୁରୁଜ ରେ ୩ଟି ମଣ୍ଡଳ କାଟିଥାନ୍ତି ଓ ଏହାଉପରେ ପୂର୍ଣ୍ଣ କୁମ୍ଭ ପ୍ରତିଷ୍ଠା କରିଥାନ୍ତି l ଏହାପରେ ଭଣ୍ଡାର ମେକାପ ଏହି ମଣ୍ଡଳ ଉପରେ ୯ମୂର୍ତ୍ତି ପବିତ୍ରା ,କୁର୍ବନ୍ତିମାଳ ୩ମୂର୍ତ୍ତି କୁ ପତନୀ ଘୋଡେଇ ରଖିଥାନ୍ତି l 

ତତ୍ପରେ ଦେଉଳ ପୁରୋହିତ ବରୁଣ ପୂଜା କରି ଉକ୍ତ ପବିତ୍ରାଟିକୁ ୩ ବାଡ଼ରେ ମନ୍ତ୍ର ଉଚ୍ଚାରଣ କରି ଅଧିବାସ କରାଇବା ପରେ ଖଟ ଶେଜ ଘର ମୁଦ ଦିଆଯାଇଥାଏ l ଭିତର ମଇଲମ ସରି ମହାସ୍ନାନ ସରିବା ପରେ ପାଳିଆ ପୁଷ୍ପାଳକ ନୂଆ ଲୁଗା ଲାଗି କରାଇଥାନ୍ତି l 

ପୂଜାପଣ୍ଡା , ପତିମହାପାତ୍ର , ମୁଦିରସ୍ତ ଘଣ୍ଟ , ଛତ୍ର , କାହାଳୀ ରେ ୩ଟି ରୂପା ପିଙ୍ଗଣରେ ଚନ୍ଦନ ବିଜେ କରାଇ ତାହା ଶ୍ରୀଅଙ୍ଗ ରେ ସର୍ବାଙ୍ଗ ଲାଗି କରାଇଥାନ୍ତି l 

ଏହାପରେ ବଲ୍ଲଭ ବଡ଼ସିଂହାର ବେଶ ହୋଇ ୬ମୂର୍ତ୍ତି ଅଳଙ୍କାର ଲାଗି ହେବା ପରେ ଘଣ୍ଟ , ଛତ୍ର , କାହାଳୀ ସହ ତଳୁଚ୍ଛ ମହାପାତ୍ର ଓ ପ୍ରଧାନୀ ସେବକ ପଟୁଆରରେ ବଲ୍ଲଭ ବଡ଼ସିଂହାର ଭୋଗ ଛାମୁକୁ ଆଣିଥାନ୍ତି l ଆଜି ଶ୍ରୀମନ୍ଦିରରେ ୨ଥର ବଡ଼ସିଂହାର ବେଶ ଓ ଭୋଗ ହୋଇଥାଏ l

ଷୋଡଶ ଉପଚାର ପୂଜା ଶେଷ ହୋଇ କର୍ପୁର ଆଳତି ହେବା ପରେ ପର୍ଶ୍ଵପରିବର୍ତ୍ତନ ନୀତି ଅନୁଷ୍ଠିତ ହୋଇଥାଏ l 

ମୁଦିରସ୍ତ , ବେହେରା ଖୁଣ୍ଟିଆ , ଗରାବଡୁ , ପାଳିଆ ମେକାପ , ଅଖଣ୍ଡ ମେକାପ ଓ ତଢ଼ାଉ କରଣ ସେବକ ଖଟ ଶେଜ ଉପରକୁ ନିଶୁଣି ମାଧ୍ୟମରେ ଯାଇ ମୁଦ ଭାଙ୍ଗିବା ପରେ ଶୟନ ଠାକୁରଙ୍କୁ ପେଡାକୁ ମୁଦିରସ୍ତ ଖୋଲି ଗରାବଡୁ ଠାରୁ ହାତୁଆଣି ନେଇ ରୂପା ପିଙ୍ଗଣରେ ବେହେରା ଖୁଣ୍ଟିଆ ଦେଇଥିବା ଶୁକ୍ଳ ପୁଷ୍ପ ୩ ଥର ପୁଷ୍ପାଞ୍ଜଳି ଦେବାପରେ ଶୟନ ଦେବତାଙ୍କ କଡ଼ ଲେଉଟା ନୀତି କରାଯାଇଥାଏ l 

ଏହି ସମୟରେ ମୁଦିରସ୍ତ ବନ୍ଦାପନା କରିଥାନ୍ତି l ଏହାପରେ ପେଡା ବନ୍ଦ କରି ଦୁଆରମାନ ମୁଦ ଦେଇ ତଳକୁ ଓହ୍ଲାଇ ଆସିଥାନ୍ତି l 

ରତ୍ନସିଂହାସନସ୍ଥ ଶ୍ରୀଜୀଉମାନଙ୍କୁ ଲାଗି ହୋଇଥିବା ୬ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ମଇଲମ କରାଯାଇ ବିଡ଼ିଆ , ଘଷା , ପାଇଡ଼ ମଣୋହି କରାଯାଇ ଖଟସେଜ ବିଜେ ପୂର୍ବକ ପହୁଡ଼ ହୋଇଥାଏ l

ପାର୍ଶ୍ୱପରିବର୍ତ୍ତନ ଏକାଦଶୀ ମାହାତ୍ମ୍ୟ -:

                       ll ଯୁଧିଷ୍ଠିର ଉବାଚ ll 

 ପଚାରୁଛନ୍ତି ପଣ୍ଡୁ ସୁତ l ହେ ପ୍ରଭୁ ଅନାଦି ଅଚ୍ୟୁତ ll

 ଭାଦ୍ରବ ଶୁକ୍ଳ ଏକାଦଶୀ l କହନ୍ତୁ ନାମ ବିଧ ଶିଷି ll

 ଏଥିରେ କେଉଁ ଦେବ ପୂଜା l କରି ହେ ଦେବ ଦେବରାଜ ll

                      ll ଶ୍ରୀକୃଷ୍ଣ ଉବାଚ ll

କୃଷ୍ଣ କହନ୍ତି ନୃପଶୁଣ l କହିବା ଆଶ୍ଚର୍ଯ୍ୟ କଥନ ll

ନାରଦ ପଚାରନ୍ତି ବ୍ରହ୍ମା l କହିଣ ଥିଲେ ଯା ମହିମା ll

                      ll ନାରଦ ଉବାଚ ll

 ହେ ଚତୁର୍ମୂଖ ପଦ୍ମଯୋନି l ପଚାରେ ଚରଣେ ପ୍ରଣମି ll

 ଭାଦ୍ରବ ଶୁକ୍ଳ ଏକାଦଶୀ l ତା ନାମ କହନ୍ତୁ ବିଶେଷି ll

 ଜାଣି ଏହାର ବିଧିମାନ l କରିବା ବିଷ୍ଣୁ ଆରାଧନ ll

                      ll ବ୍ରହ୍ମା ଉବାଚ ll

ତୁମ୍ଭେ ବୈଷ୍ଣବ ମୁନିଶ୍ରେଷ୍ଠ l ଏ ପ୍ରଶ୍ନ ଉତ୍ତର ଗରିଷ୍ଠ ll

 ହରି ବାସରୁ ବଡ଼ ହୋଇ l ତିନିଲୋକରେ ବ୍ରତ ନାହିଁ ll

 ପଦ୍ମ ନାମରେ ଏ ବିଖ୍ୟାତ l ଭାଦ୍ରବ ଏକାଦଶୀ ଶୀତ ll

  ପୂଜା ଏଥିରେ ହୃଷୀକେଶ l ବ୍ରତେ ଏ ଉତ୍ତମ ବିଶେଷ ll

 କହିବା ପୌରାଣିକ କଥା l ଶୁଣିଲେ ଯିବ ଭବ ବ୍ୟଥା ll

  ଏହାକୁ ଶୁଣିଲେ ଜୀବର l ହୁଅଇ ମହାପାପ ଦୂର ll

ମାନ୍ଧାତା ନାମେ ରାଜ ଋଷି l ଅଟନ୍ତି ସେହି ସୂର୍ଯ୍ୟବଂଶୀ ll

ସେ ସତ୍ୟସନ୍ଧ ଚକ୍ରବର୍ତ୍ତୀ l ପ୍ରତାପବନ୍ତ ଧର୍ମମତି ll

 ଔରସ ପୁତ୍ର ପରି ପ୍ରଜା l ପାଳନ କଲେ ଧର୍ମ ରାଜା ll

ହେଲେ ଏ ରାଜ୍ୟେ ସୁଖୀ ଲୋକ l ନୋହିଲା ଦୁର୍ଭିକ୍ଷ ନରକ ll

 ଯହିଁରେ ଆଦି ବ୍ୟାଧି ନାହିଁ l ଚୋରମାନଙ୍କ ଭୟ ନାହିଁ ll

 ଧନ ଧାନ୍ୟରେ ସମୁନ୍ନତ l ହେଲେ ସମସ୍ତେ ପୁଣ୍ୟବନ୍ତ ll

ନ୍ୟାୟେ ଅର୍ଜିତ ଯେତେ ଧନ l ଭଣ୍ଡାରେ ରଖିଲେ ରାଜନ ll

ଯେ ଯାହା ଆଶ୍ରମର ଧର୍ମେ l ରହିଲେ ପ୍ରଜା ନିଜ କର୍ମେ ll

ମାନ୍ଧତା ପାଳନରେ ମହୀ l କାମଧେନୁର ସମ ହୋଇ ll

 ଅଭୀଷ୍ଟ ସୁଖମାନ ହେଲେ l ପ୍ରଜାଏ ଆନନ୍ଦ ରହିଲେ ll

 ପୁଣି ପ୍ରାକ୍ତେନ କର୍ମ ଏକ l ଘଟିଲା ଆସିଣ ବିପାକ ll

 ହେଲା ଯେ ଦେଶେ ଅନାବୃଷ୍ଟି l ତିନି ବରଷ ଶସ୍ୟ ନଷ୍ଟି ll

 ଶସ୍ୟ ନ ପାଇ ପ୍ରଜାକୁଳ l କ୍ଷୁଧାରେ ହୋଇଲେ ଆକୁଳ ll

 ସ୍ୱ ହସ୍ୱଧାଦି ବଷଟ୍ କାର l ବେଦାଧ୍ୟୟନ ଯେବା ଦୂର ll

 ଏଥି ଅଭାବ ପୀଡ଼ା ପାଇ l ପ୍ରଜାଏ ରାଜା ଆଗେ କହିି ll

 ହେ ନୃପ ଆମ୍ଭ ବାକ୍ୟ ଶୁଣ l କ୍ଷୁଧାରେ ହେଲା ପୀଡ଼ା ଜାଣ ll

 ଆପକୁ ବିଜ୍ଞଜନମାନେ l ନାରଦେ ବୋଲନ୍ତି ପୁରାଣେ ll

 ତହିଁରେ କରନ୍ତି ଆୟନ l ତେଣୁ ଏ ଜାଣ ନାରାୟଣ ll

 ପର୍ଜନ୍ୟରୂପୀ ଭଗବାନ l ସର୍ବଗ ସର୍ବସ୍ଥିତ ଜାଣ ll

 ସେହି ସେ ବୃଷ୍ଟିକି କରନ୍ତି l ବୃଷ୍ଟିରୁ ଅନ୍ନର ସମ୍ଭୁତି ll

  ଅନ୍ନରୁ ପ୍ରାଣୀମାନେ ଜାତ l ଏତ ସମସ୍ତ ଶାସ୍ତ୍ରମତ ll

 ସେ ଜଳ ଅଭାବରେ ପୁଣ l କ୍ଷୟ ହୋଇବେ ପ୍ରଜାଗଣ ll

 ଯେ ରୂପେ ହେବ ବରଷଣ l ସେ ରୂପେ ବିଚାର ରାଜନ ll

                   ll ରାଜୋବାଚ ll 

 ସତ୍ୟ କହିଲି ମିଥ୍ୟା ନାହିଁ l ଅନ୍ନ ବର୍ଜିବ ବ୍ରତ କହି ll

ଅନ୍ନୁ ହୁଅନ୍ତି ପ୍ରାଣୀମାନେ l ଏମାନେ ଜୀଅନ୍ତି ସେ ଅନ୍ନେ ll

ଶାସ୍ତ୍ରରେ ବଚନ ଏମନ୍ତ l ପୁରାଣେ ହୋଇଛି କଥିତ ll

ନୃପମାନଙ୍କ ଅପଚାର l ପ୍ରଜାଏ ବୁଦ୍ଧିରେ ବିଚାର ll

ତଥାପି ତୁମ୍ଭ ପ୍ରିୟ ପାଇଁ l କରିବି ବ୍ୟବସାୟ ମୁହିଁ ll

ଏମନ୍ତ କହି ନରପତି l ଧାତାକୁ କରିଣ ବିନତି ll

ସଙ୍ଗେ ନେଇଣ ଅଳ୍ପ ଜନ l ଋଷି ଆଶ୍ରମେ ଗଲେ ପୁଣ ll

 ତାପସମାନଙ୍କ ଆଶ୍ରିତ l ଭ୍ରମିଲେ ଆଶ୍ରମେ ସତତ ll

ଦେଖିଲେ ଅଙ୍ଗିରସ ମୁନି l ଯେ ଜାତ ବ୍ରହ୍ମତେଜ ଘେନି ll

 ତେଜେ ବିରାଜେ ତପୋଧନୀ l କିବା ଦ୍ବିତୀୟ ପଦ୍ମଯୋନି ll

 ହୋଇ ଆନନ୍ଦ ନରପତି l ବାହାନୁ ଓହ୍ଲାଇ ଝଟତି ll

 ଅଞ୍ଜଳି କରି ନୃପବର l ମୁନିଙ୍କି କଲେ ନମସ୍କାର ll

 ସ୍ବସ୍ତିବାଚନ ପୂର୍ବ ପରି l ଆନନ୍ଦ ହୋଇଣ ପଚାରି ll

  ନୃପକୁ ସପ୍ତଅଙ୍ଗୀ ହେଲେ l ରାଜା କୁଶଳ ପଚାରିଲେ ll

 କର କୁଶଳ ନିବେଦନ l କହିଲେ ଅନାମୟ ଜାଣ ll

  ଆସନ ଅର୍ଘ୍ୟ ପାଇ ନୃପ l ବସିଲେ ମୁନିଙ୍କ ସମୀପ ll

 କହିଲେ ମୁନି ପଚାରନ୍ତେ l ଏଥି ଆସିଲେ ଯେ ନିମନ୍ତେ ll 

                         ll ରାଜୋବାଚ ll 

 ହେ ମୁନି ଧର୍ମବିଧି ଚାହିଁ l ପାଳନ କରିଅଛି ମୁହିଁ ll

 ପୃଥ୍ୱୀରେ ଅନାବୃଷ୍ଟି ହେଲା l କି ହେତୁ ବିଦିତ ନୋହିଲା ll

 ହେତୁ ଜାଣିଲେ ପ୍ରତିକାର l କରନ୍ତି କହ ମୁନୀଶ୍ଵର ll

 ସନ୍ଦେହ ଛେଦ ମୋର ସାଇଁ l ତୁମ୍ଭ ସମୀପେ ଅଇଲଇଁ ll

 ଯୋଗବଳରେ କହ ଯତି l ପ୍ରଜାଙ୍କୁ ରଖି କରେ ସ୍ତୁତି ll

                       ll ଋଷିରୁବାଚ ll

ଏ ସତ୍ୟଯୁଗ ହେ ରାଜନ l ଯୁଗମାନଙ୍କେ ଏ ଉତ୍ତମ ll

ଏ ଯୁଗ ସର୍ବେ ବ୍ରହ୍ମବାଦୀ l ଧାର୍ମିକ ପୁଣି ସତ୍ୟବାଦୀ ll

ଏହି ଯୁଗରେ ଦ୍ୱିଜ ଜାତି l ଦୁଷ୍କର ତପସ୍ୟା କରନ୍ତି ll

ତୁମ୍ଭ ଦେଶରେ ନରପାଳ l ତପସ୍ୱୀ ଏକହିଁ ବୃଷାଳ ll

ତାର ଅବଧି ବିଧି ପାକ l ବରଷୁ ନାହିଁ ବଳାହକ ll

ତାର ମାରଣେ ଯତ୍ନ କର l ବର୍ଷିବ ଦେଶେ ଜଳଧର ll

                        ll ରାଜୋବାଚ ll

ନିରପରାଧ ତପଚାରୀ l ତାହାକୁ ମାରିବ କିପରି ll

କହନ୍ତୁ ଅନ୍ୟ ଉପଦେଶ l ଯହିଁ ନ ଥିବ ଜୀବ ନାଶ ll

                        ll ଋଷିରୁବାଚ ll

ଆବଦ୍ଧ ଯବେ ଏ ବୃଷାଳ l ସମସ୍ତେ ପଦ୍ମ ବ୍ରତ କର ll

ଭାଦ୍ରବ ଶୁକ୍ଳ ଏକାଦଶୀ l ନାମରେ ପଦ୍ମା କରି ଭାଷି ll

ଏ ବ୍ରତ ପ୍ରଭାତୁ ନିୟତ l ସୁବୃଷ୍ଟି କରିବ ଜୀମୂତ ll

ଏ ପଦ୍ମା ସର୍ବ ସିଦ୍ଧି ଦେଇ l ସର୍ବୋପଦ୍ରବ ବିନାଶଇ ll

ପୁର ନଗରେ ହୋଇ ଯୁତ l କର ହେ ନୃପ ପଦ୍ମାବ୍ରତ ll

ଏମନ୍ତେ ମୁନି ବାକ୍ୟ ଶୁଣି l କରି ପ୍ରଣାମ ନୃପମଣି ll

ଗଲେ ପୁରକୁ ପ୍ରୀତ ହୋଇ l କଲେ ସେ ବ୍ରତ ଯୋଗ ପାଇ ll

ହୋଇଣ ପୁରଜନ ଯୁତ l ସମସ୍ତ ପ୍ରକାର ସହିତ ll

କଲେ ନୃପତି ପଦ୍ମାବ୍ରତ l ସୁବୃଷ୍ଟି ହେବେ ଦେଶେ ଜାତ ll

ଜଳରେ ଭୂମି ଅପ୍ଳାବିତ l ଶସ୍ୟରେ ହେଲା ସୁସଂବ୍ରତ ll

ସୁଖ ପାଇଲେ ସବୁ ନରେ l ଋଷି ଈଶ୍ୱର ପ୍ରସାଦରେ ll

ଏଣୁ ଏ ବ୍ରତ ନରେ କର l ସମସ୍ତେ ଦୂସ୍ତରୁ ନିସ୍ତର ll

ଦଧି ଓଦନେ କରିୟତ l ଜଳରେ କରିଣ ଫୁରିତ ll

ବସ୍ତ୍ରରେ ସଂବେଷ୍ଟିତ କରି l ଦ୍ୱିଜେ ଅର୍ପିବ ହସ୍ତେ ଧରି ll

ଛତ୍ର ସହିତେ ଉପାନହ l ଦେବ ବ୍ରାହ୍ମଣେ ପ୍ରୀତି ସହ ll

ଭକ୍ତବତ୍ସଳ ଦାମୋଦର l ଗୋବିନ୍ଦ ତୋତେ ନମସ୍କାର ll

ପାପମାନଙ୍କୁ କ୍ଷୟ କରି l ସବୁ ସୁଖକୁ ଦିଅ ହରି ll

ଏମନ୍ତ ବୋଲିଣ ତୋଷରେ l ଦକ୍ଷିଣା ଦେବ ଦ୍ୱିଜବରେ ll

କରିବ ତାଙ୍କୁ ନମସ୍କାର l ଆଚରି ଉଚିତ ସତ୍କାର ll

ଏ ବ୍ରତ ଭକ୍ତି ମୁକ୍ତି ଦାୟୀ l ଇନ୍ଦ୍ରିୟ ସୁଖ ଯେ ମିଳଇ ll

ଏହାକୁ ପଢନ୍ତେ ଶୁଣନ୍ତେ l ନାଶ ଯାଆନ୍ତି ପାପ ଯେତେ ll