ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଇ-ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ବୈଠକ...

Jun 4, 2026 - 19:27
 5
ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଇ-ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ବୈଠକ...

ରାଜ୍ୟ ତଥା ଦେଶବାହାର ଶ୍ରଦ୍ଧାଳୁ ସହଜରେ ଦେଇପାରିବେ ମନୋସ୍କାମନା ରାଶି 

ଆୟକର ଛାଡ଼ ପାଇଁ ରହିବ ବ୍ୟବସ୍ଥା 

ସାଇବର ଠକେଇ ରୋକିବା ଉପରେ ବୈଠକରେ ଗୁରୁତ୍ୱ 

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଛନ୍ତି I ମହାପ୍ରଭୁଙ୍କ କରୁଣାରୁ ଅନେକଙ୍କ ମନସ୍କାମନା ପୂରଣ ହୋଇ ଆସୁଛି I 

ତେବେ ନିଜ ମନୋବାଞ୍ଛା, ଖୁସି ଏବଂ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥ ଦାନ କରିବାର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି I 

ତେବେ ରାଜ୍ୟ ବାହାରେ ତଥା ବିଦେଶରେ ରହୁଥିବା ଶ୍ରଦ୍ଧାଳୁଙ୍କ ଲାଗି ଅନଲାଇନ ମାଧ୍ୟମରେ ହୁଣ୍ଡିରେ ଦାନ ଦେବା ବ୍ୟବସ୍ଥା ପାଇଁ ଅନେକ ଭକ୍ତ ଇଛା କରି ଆସୁଥିଲେ I  

ଏହି କ୍ରମରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଇ-ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ଉଚ୍ଚ ସ୍ତରୀୟ ବୈଠକ ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି I 

ଆଇନ ବିଭାଗ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଇ-ହୁଣ୍ଡି ବ୍ୟବସ୍ଥାର ସଫଳ କାର୍ଯ୍ୟକାରୀ ନିମନ୍ତେ ଆଲୋଚନା ହୋଇଥିଲା I  

ଯେଉଁଥିରେ ଭକ୍ତ ତଥା ଶ୍ରଦ୍ଧାଳୁ ନିଜ ଜନ୍ମଦିନ, ବିବାହ ବାର୍ଷିକୀ ତଥା ନିଜର ମନସ୍କାମନା ପୂରଣ ଖୁସିରେ କିଭଳି ଭାବେ ଅନଲାଇନ ମାଧ୍ୟମରେ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥରାଶି ଦାନ କରିପାରିବେ ସେଥିନେଇ ଆଲୋଚନା ହୋଇଥିଲା I 

ଦାନ ଅର୍ଥରାଶି ପାଇଁ ଆୟକର ଛାଡ଼ ବ୍ୟବସ୍ଥା ରହିବାକୁ ଥିବା ବେଳେ ଭକ୍ତଙ୍କ ଠାରୁ ଦାନ ସୂତ୍ରରେ ଆସିବାକୁ ଥିବା ଅର୍ଥ କେବଳ ଶ୍ରୀମନ୍ଦିର ବିକାଶ ଦିଗରେ ଖର୍ଚ୍ଚ ହେବ I 

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଲକ୍ଷ ଲକ୍ଷ ଜଗନ୍ନାଥ ଭକ୍ତ ଶ୍ରୀମନ୍ଦିର ହୁଣ୍ଡିକୁ ସହଜରେ ଅର୍ଥରାଶି ପଠାଇ ପାରିବେ I 

ତେବେ ଏହି ବ୍ୟବସ୍ଥାରୁ ସାଇବର ଅପରାଧୀ ଯେପରି ଫାଇଦା ଉଠାଇ ନ ପାରିବେ ସେଥିଲାଗି ବିହିତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ I 

ଏହି ବୈଠକରେ ଲ' କମିଶନର ଜଷ୍ଟିସ ବିଶ୍ଵନାଥ ରଥ, ଶ୍ରୀମନ୍ଦିର ମୁଖ୍ୟପରିଚାଳକ ଶ୍ରୀ ଅରବିନ୍ଦ ପାଢ଼ୀ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ଼ ପବିତ୍ର ମୋହନ ସାମଲ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପ୍ରଣବ କୁମାର ପାତ୍ର ଏବଂ ଅତିରିକ୍ତ ଶାସନ ସଚିବ ଶ୍ରୀ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I