ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ହଜାର ହେବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ହଜାର ହେବ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଆସିଲା ଡାକରା। କେବଳ ସେ ନୁହନ୍ତି ପତଞ୍ଜଳିର ମ୍ୟାନେଜିଂ ଡାଇରେକ୍ଟର ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନୋଟିସ ପଠାଇଛନ୍ତି। ଉଭୟଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରାଯାଇଛି। ଏଥିସହ ଦୁଇ ସପ୍ତାହ ପରେ କୋର୍ଟରେ ହାଜର ହେବାକୁ ଉଭୟ ବାବା ରାମଦେବ ଓ ବାଳକୃଷ୍ଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପତଞ୍ଜଳି ଆୟୁର୍ବେଦର ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଦୁଇ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହା ପୂର୍ବରୁ ସୁପ୍ରିମକୋର୍ଟ ଯୋଗଗୁରୁ ରାମଦେବଙ୍କୁ ନୋଟିସ ଜାରି କରି କୋର୍ଟକୁ ଡାକିଥିଲେ। ବିଭ୍ରାନ୍ତିକର ବିଜ୍ଞାପନ ସମ୍ପର୍କରେ ତିନି ସପ୍ତାହ ମଧ୍ୟରେ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କଠାରୁ କୋର୍ଟ ଉତ୍ତର ମାଗିଥିଲେ। ଏହା ବ୍ୟତୀତ ସୁପ୍ରିମକୋର୍ଟ ପତଞ୍ଜଳିର ବିଜ୍ଞାପନ ପ୍ରକାଶ କରିବା ଉପରେ ମଧ୍ୟ ରୋକ ଲଗାଇ ଦେଇଥିଲେ। କୋର୍ଟ କହିଛନ୍ତି, ଆମେ ପତଞ୍ଜଳିର ବିଜ୍ଞାପନ ଦେଖିଛୁ। ଅଦାଲତରେ ଦିଆଯାଇଥିବା ଅଣ୍ଡରଟେକିଂକୁ ଦୃଷ୍ଟିରେ ରଖି ରାମଦେବଙ୍କୁ ତାଙ୍କ ବିରୋଧରେ ଅବମାନନା ପ୍ରକ୍ରିୟା କାହିଁକି ଆରମ୍ଭ କରାଯିବା ଉଚିତ ନୁହେଁ ତାହା କହିବାକୁ ହେବ। ସେ ଡ୍ରଗ୍ସ ଏବଂ ମ୍ୟାଜିକ୍ ରେମେଡିଜ୍ ଆକ୍ଟ ୧୯୫୪କୁ ମଧ୍ୟ ଉଲ୍ଲଂଘନ କରିଛନ୍ତି। ଏହି ଆଇନର ଧାରା ୩ ରକ୍ତଚାପ, ମଧୁମେହ, ଆର୍ଥ୍ରାଇଟିସ୍, ଆଜମା ଇତ୍ୟାଦି ରୋଗ ଦୂର କରିବା ପାଇଁ ପ୍ରଚାରକୁ ବାରଣ କରିଛି।