ଭୁବନେଶ୍ୱର ରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ବିକାଶ ର ରୋଡ଼ ମ୍ୟାପ ଆରମ୍ଭ ହେବ - ଲୋକସଭାର ବାଚସ୍ପତି ଶ୍ରୀ ଓ଼ମ ବିର୍ଲା
ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷମାନଙ୍କ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଲୋକସଭାର ବାଚସ୍ପତି ଶ୍ରୀ ଓମ ବିର୍ଲା ଉଦଯାପନୀ ଉତ୍ସବ ଶେଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ସମ୍ବୋଧିତ କରି କହିଲେ ଯେ ଭୁବନେଶ୍ୱରରୁ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିଙ୍କ ବିକାଶର ରୋଡ଼ମ୍ୟାପ ଆରମ୍ଭ ହେବ । ୨୫ ବର୍ଷ ପରେ ଏବଂ ଦିଲ୍ଲୀ ବାହାରେ ପ୍ରଥମ ଥର ପାଇଁ ଓଡିଶାରେ ଏହି ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଛି ।
ଅନୁସୂଚିତ ଜାତି,ଅନୁସୂଚିତ ଜନଜାତିଙ୍କ ସକାଶେ ଅନେକ ଯୋଜନା କରାଯାଇଛି ଏବଂ ସେଗୁଡିକର ସଠିକ ପ୍ରଣୟନ ହେଲେ ଏହି ବର୍ଗ ସମାଜରେ ଅନ୍ୟମାନଙ୍କ ଭଳି ଉନ୍ନତି କରିବା ସହ ତାଳ ମିଳାଇ ଆଗକୁ ଅଗ୍ରସର ହେଇପାରିବେ । ପ୍ରଯୁକ୍ତିବିଦ୍ୟା ଏବଂ ସୁଶାସନକୁ ଗ୍ରହଣ କଲେ ବଞ୍ଚିତ ବର୍ଗ ଉନ୍ନତିରେ ଏହା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ଗଣମାଧ୍ୟମର ପ୍ରତିନିଧି ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତରରେ ଶ୍ରୀ ବିର୍ଲା କହିଲେ ଯେ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜାତି ଅନୁସୂଚିତ ଜନଜାତିମାନଙ୍କ ସମସ୍ୟା, ସୁବିଧା, ସୁରକ୍ଷା ଓ କଲ୍ୟାଣମୂଳକ କାର୍ଯ୍ୟକ୍ରମର ସଫଳ ପ୍ରଣଯନ ସହ ଏହାକୁ କିପରି ତ୍ୱରାନ୍ୱିତ କରା ଯାଇପାରିବ ସେ ଦିଗରେ ଗୁରୁତ୍ଵ ଦିଆଯିବ । ଏହି ଅବସରରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି କଲ୍ୟାଣ ସଂସଦୀୟ କମିଟି ର ଅଧ୍ୟକ୍ଷ ଡ଼ ଫଗନ ସିଂ କୁଲସ୍ତେ କହିଥିଲେ ଯେ, ବଞ୍ଚିତ ବର୍ଗ ମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ କମିଟି ପ୍ରତିଶୃତିବଦ୍ଧ । ସେ, ସମସ୍ତଙ୍କୁ ଏକଜୁଟ ହୋଇ କାମ କରି ଅନୁସୂଚିତ ଜାତି ଅନୁସୂଚିତ ଜନଜାତିମାନଙ୍କ ପାଖରେ ସରକାରଙ୍କ କଲ୍ୟାଣମୂଳକ ଯୋଜନାର ଲାଭ ପହଞ୍ଚାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ । ସମ୍ମିଳନୀରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ସାମାଜିକ-ଆର୍ଥିକ ସଶକ୍ତିକରଣ ସମ୍ପର୍କରେ ଆଲୋଚନା ହୋଇଥିଲା ।
ସମ୍ମିଳନୀରେ ଗ୍ରହଣ କରାଯାଇଥିବା ପ୍ରସ୍ତାବମାନ ସଂସଦ ଓ ରାଜ୍ୟ ବିଧାନସଭା ପାଇଁ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବ, ଯାହା ଅନୁସୂଚିତ ଜାତି ଅନୁସୂଚିତ ଜନଜାତିମାନଙ୍କ ପାଇଁ କଲ୍ୟାଣକାରୀ ପଦକ୍ଷେପକୁ ଆହୁରି ତ୍ୱରାନ୍ୱିତ କରିପାରିବ ।