ଭୟଙ୍କର ଅଗ୍ନିକାଣ୍ଡ : ଚାଲିଗଲା ୫ ଜୀବନ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିର ଏକ ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ମଧ୍ୟରେ ସ୍ବାମୀ-ସ୍ତ୍ରୀ ଓ ତାଙ୍କର ତିନିଜଣ ସନ୍ତାନ ରହିଥିବା ଜଣାପଡ଼ିଛି। ମୃତ ଦମ୍ପତ୍ତିଙ୍କ ନାମ ଅଜୟ ଗୁପ୍ତା ଓ ଅନିତା ଥିବା ବେଳେ ସେମାନଙ୍କ ସନ୍ତାନଙ୍କ ନାମ ଦିବ୍ୟାଂଶ (ପୁଅ), ଦକ୍ଷ (ପୁଅ) ଓ ଝିଅଙ୍କ ନାମ ଦିବ୍ୟାଙ୍ଗ୍ୟା ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାର ଦୁଃଖ ପ୍ରକାଶ କରିବା ସହିତ ୨୪ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଶନିବାର ରାତିରେ ପରିବାରର ୫ଜଣ ସଦସ୍ୟ ଗୋଟିଏ ରୁମରେ ଶୋଇଥିଲେ। ଏହି ସମୟରେ ପଡ଼ିଶାଘର ଲୋକ ଘରୁ ନିଆଁ ବାହାରିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ଦମକଳଗାଡ଼ି ଘଟଣାସ୍ଥଳରେ ପହଞ୍ଚି ସାମ୍ନା ଦ୍ବାର ଭାଙ୍ଗି ଘର ଭିତରେ ପଶିଥିଲା। ସେତେବେଳକୁ ଘରର ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯିବା ସହିତ ବାପା ଅଜୟ ଗୁପ୍ତା, ମା’ ଅନିତା ପୁଅ ଦିବ୍ୟାଂଶ ଓ ଦକ୍ଷଙ୍କ ସମେତ ଝିଅ ଦିବ୍ୟାଙ୍ଗ୍ୟାଙ୍କ ପୋଡ଼ା ଶରୀର ଘରେ ପଡ଼ିଥିଲା। ଦମକଳ ବିଭାଗର କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚ ୫ଜଣଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। ତେବେ ଘର ଭିତରେ ନିଆଁ କିପରି ଲାଗିଲା ସେନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳି ପାରି ନଥିଲା।