ମହାନଦୀ ପ୍ରସଙ୍ଗରେ ବିଜେଡିର ଶସ୍ତା ରାଜନୀତିର ଅନ୍ତ କେବେ ? ବିରଂଚି ନାରାୟଣ ତ୍ରିପାଠୀ...

Aug 1, 2026 - 19:49
 3
ମହାନଦୀ ପ୍ରସଙ୍ଗରେ ବିଜେଡିର ଶସ୍ତା ରାଜନୀତିର ଅନ୍ତ କେବେ ? ବିରଂଚି ନାରାୟଣ ତ୍ରିପାଠୀ...

ମହାନଦୀ ଜଳବିବାଦ ଆପୋସ ସମାଧାନ ଆଡକୁ ଆଗେଇ ଚାଲିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ କମିଟି ସଦସ୍ୟଙ୍କୁ ଧନ୍ୟବାଦ ଦେଲା ବିଜେପି

ବିଜେପି ଓଡ଼ିଶାବାସୀ ଏବଂ ଓଡ଼ିଶାର ଚାଷୀକୂଳ ପାଇଁ ସମର୍ପିତ ରାଜନୈତିକ ଦଳ

ବିଜେଡି ଆତ୍ମସମୀକ୍ଷା ନକରି ପ୍ରଶ୍ନ ଉଠାଇବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା 

ମହାନଦୀର ଜଳ ସଂରକ୍ଷଣ କରି ଓଡ଼ିଶାବାସୀଙ୍କ କାମରେ ଲଗାଇବା ପାଇଁ ଗୋଟିଏ ବି ଛୋଟ ଅବା ବଡ଼ ପ୍ରକଳ୍ପ କରି ନ ଥିଲା ବିଜେଡି

ବିଜେଡି ସରକାରଙ୍କ ଅଯୋଗ୍ୟତା କାରଣରୁ ମହାନଦୀରେ ସମସ୍ତ ବ୍ୟାରେଜ ତିଆରି କରିଥିଲା ଛତିଶଗଡ଼ ସରକାର

ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା । 

ଦୀର୍ଘଦିନ ଧରି ଏହି ବିବାଦ ଟ୍ରିବ୍ୟୁନାଲରେ ଥିବା କାରଣରୁ ଏହାର ପାଣିକୁ ରାଜ୍ୟସରକାର ସଦୁପଯୋଗ କରିପାରୁନାହାନ୍ତି । ଚାଷ ଜମିକୁ ପାଣି ଏବଂ ପାନୀୟ ଜଳ ଯୋଗାଣ ପର୍ଯ୍ୟନ୍ତ ସବୁ ପ୍ରକାର କାମ ଅଟକି ଯାଇଛି । 

ମାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରୟାସ କାରଣରୁ କେନ୍ଦ୍ରର ଜଳଶକ୍ତି ମନ୍ତ୍ରୀ ସି.ଆର୍‌. ପାଟିଲ, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେବ ସାଏଙ୍କ ସହ ଛତିଶଗଡ଼ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ଅନ୍ୟାନ୍ୟ ବୈଷୟିକ ଅଧିକାରୀ ଉପସ୍ଥିତ ରହି ଏହି ବିବାଦ ସମାଧାନ ଆଡକୁ ଆଗେଇ ନେଉଛନ୍ତି । 

ଉଭୟ ରାଜ୍ୟ ସରକାରଙ୍କ ବୈଠକ ପରେ ଆସନ୍ତା ଦିପାବଳୀ ସୁଦ୍ଧା ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ହେବାକୁ ଯାଉଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାପୋଷଣ କରିଛନ୍ତି । ଏନେଇ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ଏକ ବୈଷୟିକ କମିଟି ଗଠନ କରିଛି । 

ମହାନଦୀ ଜଳ କେଉଁ ଆଧାରରେ ବଂଟନ ହେବ, ସେନେଇ ସି.ଆର୍‌. ପାଟିଲଙ୍କ ଉପସ୍ଥିତିରେ କମିଟି ଆଗରେ ରିପୋର୍ଟ ଉପସ୍ଥାପନ କରାଯିବ । 

ମହାନଦୀର ଯେଉଁ ଜଳ ଉପରେ ଓଡ଼ିଶାର ଅଧିକାର ଅଛି, ସେଥିରୁ ଯେପରି ରାଜ୍ୟ ବଂଚିତ ନ ହେବ ସେନେଇ ଭାରତୀୟ ଜନତା ପାର୍ଟିର ସରକାର ପ୍ରୟାସ ଜାରି ରଖିଛନ୍ତି । 

ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାର ସରକାରଙ୍କ ଅନ୍ୟାନ୍ୟ ଅଧିକାରୀ ଓ ବିଭାଗୀୟ ମନ୍ତ୍ରୀ ଏବିଷୟରେ ସଚେତନ ରହି କାର୍ଯ୍ୟ ମଧ୍ୟ କରୁଛନ୍ତି । 

ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଉକ୍ତ କମିଟିର ସମସ୍ତ ସଦସ୍ୟଙ୍କୁ ବିଜେପି ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଉଛି । 

ମାତ୍ର ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଯେଉଁ ସବୁ ଅବାନ୍ତର ପ୍ରଶ୍ନ ଉଠାଯାଇଛି, ସେଥିରୁ ସେମାନଙ୍କ ନୈରାଶ ଭାବ ସ୍ପଷ୍ଟ ହୋଇଛି । 

କେବଳ ମିଡିଆରେ ରହିବା ପାଇଁ ବୋଧହୁଏ ବିଜେଡି ଏପ୍ରକାର ପ୍ରଶ୍ନ କରିଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ପ୍ରେସ୍ ବାର୍ତାରେ କହିଛନ୍ତି ।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଜେଡିର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ବିଜେଡି ନେତୃବୃନ୍ଦ ସାମ୍ବାଦିକ ସମ୍ମିଳନୀରେ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ସେମାନେ ଭୁଲିଯିବା ଯିବା ଉଚିତ ନୁହେଁ ଯେ, ମହାନଦୀ ଜଳବିବାଦ ବେଳେ ଶ୍ରୀ ମିଶ୍ର ବିଧାୟକ ରହିବା ସହ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । ବାସ୍ତବରେ ମହାନଦୀ ଜଳ ବିବାଦର ସ୍ରଷ୍ଟା ହେଉଛି ବିଜେଡି । ଛତିଶଗଡ଼ ପକ୍ଷରୁ ଯେତେ ବ୍ୟାରେଜ ତିଆରି ହୋଇଛି ସେସବୁ ବିଜେଡି ସରକାର ସମୟରେ ହୋଇଛି । 

ମାତ୍ର ସେତେବେଳେ ଦିନେ ହେଲେ ତତ୍କାଳୀନ ବିଜେଡି ସରକାର ଅବା ତାଙ୍କ ମନ୍ତ୍ରୀ ଓ ବିଧାୟକମାନେ ପ୍ରଶ୍ନ ଉଠାଇ ନ ଥିଲେ । ଏହି ପ୍ରସଙ୍ଗରେ କେବଳ ବିଜେପି ସେତେବେଳେ ପ୍ରଶ୍ନ କରିଥିଲା । 

ବିଜେପିର ବିଧାୟକମାନେ ବାରମ୍ବାର ବିଧାନସଭାରେ ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲେ । ମାତ୍ର ନବୀନଙ୍କଠାରୁ ଆରମ୍ଭ କରି କୌଣସି ବିଧାୟକ ବା ମନ୍ତ୍ରୀ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ । 

ସେତେବେଳେ ତତ୍କାଳୀନ ବିଜେଡି ସରକାର ପକ୍ଷରୁ କୁହାଯାଇଥିଲା ଯେ, ଏସବୁ ବ୍ୟାରେଜ ଦ୍ୱାରା ଓଡ଼ିଶାର କୌଣସି ଅସୁବିଧା ହେବ ନାହିଁ । 

୨୦୧୬ -୧୭ ମସିହାରେ ତତ୍କାଳୀନ ଜଳ ସମ୍ପଦ ବିଭାଗର ସଚିବ ଗଣମାଧ୍ୟମ ଆଗରେ କହିଥିଲେ ଯେ, ଛତିଶଗଡ଼ ୧୦୦ଟି ବନ୍ଧ ନିର୍ମାଣ କଲେ ମଧ୍ୟ ଓଡ଼ିଶାର କୌଣସି ଅସୁବିଧା ହେବନାହିଁ । 

ମାତ୍ର ବିଜେଡି ସେତେବେଳେ କ’ଣ ପାଇଁ ମୁହଁ ଖୋଲି ନ ଥିଲା ସେନେଇ ପ୍ରଥମେ ସ୍ପଷ୍ଟୀକରଣ ଦିଅନ୍ତୁ । ବିଜେଡି ସରକାରଙ୍କ ଅଯୋଗ୍ୟତା କାରଣରୁ ଛତିଶଗଡ଼ ସରକାର ସେତେବେଳେ ମହାନଦୀରେ ଅନେକ ବ୍ୟାରେଜ ତିଆରି କରିଦେଇଥିଲା । 

ନବୀନ ପଟ୍ଟନାୟକ ଜଳସମ୍ପଦ ବିଭାଗ ନିଜ ଅଧିନରେ ରଖିଥିଲେ । ମାତ୍ର ସେତେବେଳେ ସେ ମହାନଦୀରେ ଅବା କୌଣସି ଶାଖା ନଦୀରେ ଗୋଟିଏ ବି ବ୍ୟାରେଜ ନିର୍ମାଣ କରି ନଥିଲେ । 

ମହାନଦୀର ଜଳ ସଂରକ୍ଷଣ କରି ଓଡ଼ିଶାବାସୀଙ୍କ କାମରେ ଲଗାଇବା ପାଇଁ ଗୋଟିଏ ବି ଛୋଟ, ମଧ୍ୟମ ଅବା ବଡ଼ ପ୍ରକଳ୍ପ ସେତେବେଳେ କରାଯାଇ ନ ଥିଲା । ଖାଲି ସେତିକି ନୁହେଁ, ମହାନଦୀ ଜଳ ବିବାଦ ସମାଧାନ ନ କରି ଟ୍ରିବ୍ୟୁନାଲକୁ ଦେଇ ଦେବାରୁ ସବୁ କାମ ବନ୍ଦ ହୋଇଯାଇଥିଲା । 

ଏପରିକି ଟ୍ରିବ୍ୟୁନାଲକୁ ମହାନଦୀ ପ୍ରସଙ୍ଗରେ ବିଜେଡି କୌଣସି ତଥ୍ୟ ମଧ୍ୟ ଦେଇ ନଥିଲା । ଏବେ କେଉଁ ଅଧିକାରରେ ବିଜେଡି ପ୍ରଶ୍ନ ପଚାରୁଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ମହାନଦୀ ପ୍ରସଙ୍ଗରେ ବିଜେଡିର ଶସ୍ତା ରାଜନୀତିର ଅନ୍ତ କେବେ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି ।

 ବିଜେପି ଓଡ଼ିଶାବାସୀ ଏବଂ ଓଡ଼ିଶାର ଚାଷୀକୂଳ ପାଇଁ ସମର୍ପିତ ରାଜନୈତିକ ଦଳ । ସେହି ଆଧାରରେ ମହାନଦୀ ବିବାଦର ସମାଧାନ କରାଯିବ । 

ମହାନଦୀର ଜଳକୁ ସଂରକ୍ଷଣ କରି ପୂରା ଓଡ଼ିଶାବାସୀଙ୍କ ପିଇବା ପାଣିଠାରୁ ଆରମ୍ଭ କରି ଚାଷ କାମରେ କିପରି ଲଗାଯିବ ସେନେଇ ଓଡ଼ିଶାର ବିଜେପି ସରକାର ପକ୍ଷରୁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି । 

ଏହି ଯୋଜନାର ଏକ ଅଂଶ ହେଉଛି ମହାନଦୀର ଜଳବିବାଦ ସମାଧାନ । ଟ୍ରିବ୍ୟୁନାଲରେ ଏହି ବିବାଦ ଥିବାରୁ କୌଣସି କାମ ହୋଇପାରୁ ନାହିଁ । ଏନେଇ ଉକ୍ତ ବିବାଦକୁ ଟ୍ରିବ୍ୟୁନାଲରୁ ଆଣି ଏହାର ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ । 

ମହାନଦୀ ଜଳକୁ ସାଧାରଣ ଜନତା ଓ ଚାଷୀକୂଳ ପାଖରେ ପହଚାଂଇବା ପାଇଁ ବିଜେପି ସରକାର କାର୍ଯ୍ୟ କରୁଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । 

 ଅପରପକ୍ଷେ ବିଜେଡି ପିଲାଳିଆମି କରୁଛି । 

ମହାନଦୀ ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ସରକାରଙ୍କ ମଧ୍ୟରେ କ’ଣ ଆଲେଚନା ହେଲା ତାହା ସାର୍ବଜନୀନ କରିବାକୁ କହୁଛି । ମାତ୍ର ବିଜେଡି ଜାଣିରଖିବା ଦରକାର ଯେ, ଆଲୋଚନା ସମାପ୍ତ ହୋଇନାହିଁ । 

ଦୁଇ ରାଜ୍ୟର ସରକାର ମଧ୍ୟରେ ଯେତେବେଳ ଚର୍ଚ୍ଚା ଆଲୋଚନା ହୁଏ, ତାହା ସମାପ୍ତ ନ ହେବା ପର୍ଯ୍ୟନ୍ତ ବାହାରେ ପ୍ରକାଶ କରାଯାଏ ନାହିଁ । 

ବିଜେଡିର କେଉଁ ଅଯୋଗ୍ୟତା କାରଣରୁ ମହାନଦୀ ଜଳବିବାଦ ହେଲା ତାହାର ଆତ୍ମସମୀକ୍ଷା ନକରି ଏଭଳି ପ୍ରଶ୍ନ ଉଠାଇବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।