ମଝି ସମୁଦ୍ରରେ ବନ କର୍ମଚାରୀଙ୍କୁ ଟାର୍ଗେଟ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ରାଜ କରୁଛନ୍ତି ଜଳଦସ୍ୟୁ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ସମୁଦ୍ର ମଝିକୁ ପଶି ଖୁଲମଖୁଲା କରୁଛନ୍ତି ମାଛ ଶିକାର। ଏହାକୁ ବିରୋଧ କଲେ ସେମାନଙ୍କ ଟାର୍ଗେଟକୁ ଆସି ଯାଉଛନ୍ତି ବନ କର୍ମଚାରୀ। ଏପରି ଏକ ଲୋମଟାଙ୍କୁରା ଘଟଣା ଗତକାଲି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଥଳ ଜଳରାଶିରେ ଘଟିଛି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ରିଡଲେଙ୍କୁ ସୁରକ୍ଷା ଦେବାଲାଗି ପଇଁତରା ମାରୁଥିବା ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ ଉଦ୍ୟମ ହୋଇଛି । ପାଟ୍ରୋଲିଂ ସମୟରେ ବନ ବିଭାଗ କର୍ମଚାରୀମାନେ ଦେଖିବାକୁ ପାଇଥିଲେଯେ, ନିଷିଦ୍ଧାଞ୍ଚଳରେ ୧୫ରୁ ୨୦ଟି ଟ୍ରଲର ବେଆଇନ ଭାବେ ମାଛ ଧରୁଥିଲେ । ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଟ୍ରଲର ଗୁଡିକ ସଂଘବଦ୍ଧ ହୋଇ ପାଟ୍ରୋଲିଂ ଟିମ୍ କୁ ଘେରିଯାଇ ବନ୍ଧୁକ ଦେଖାଇ ଆକ୍ରମଣ କରିଥିଲେ । ତେବେ ବନ ବିଭାଗ କର୍ମଚାରୀ ମାନେ ଏ ସମ୍ପର୍କରେ ଧାମରା ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ । ଏହା ପରେ ଅନ୍ୟ ପାଟ୍ରୋଲିଂ ଟିମ୍ ସେଠାରେ ପହଞ୍ଚି ଯିବାରୁ ବନ କର୍ମଚାରୀମାନେ ବର୍ତ୍ତିଯାଇଥିଲେ । ଏହି ଘଟଣା ପରେ ବନ ବିଭାଗ ତରଫରୁ ଟ୍ରଲର ମାଲିକଙ୍କ ନାଁ ରେ ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।