ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ...

Sep 3, 2026 - 23:05
 7
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ...

ରାଜ୍ୟର ଆର୍ଥିକ ପ୍ରଦର୍ଶନ ଓ ବ୍ୟୟ ସ୍ଥିତି ସମୀକ୍ଷା

ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଲକ୍ଷ୍ୟରେ ଖୋର୍ଦ୍ଧା ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ୨୫ଟି ବିକାଶ ପ୍ରକଳ୍ପର ରୋଡମ୍ୟାପ୍ ଉପସ୍ଥାପନ

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । 

ବୈଠକରେ ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂହଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବିଭିନ୍ନ ବିଭାଗର ସଚିବମାନେ ଯୋଗଦେଇ ବିଭାଗୀୟ କାର୍ଯ୍ୟକ୍ରମ, ଆର୍ଥିକ ପ୍ରଦର୍ଶନ, ଜନକଲ୍ୟାଣମୂଳକ ପଦକ୍ଷେପ ଏବଂ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ।

ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଗତ ଅଗଷ୍ଟ ମାସରେ ହୋଇଥିବା ବିଭିନ୍ନ ଜନକଲ୍ୟାଣମୂଳକ ଓ ଲୋକାଭିମୁଖୀ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଓ ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଥିଲେ । 

ବିଶେଷ କରି ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଣ ଘୋଷଣା, ଓପିଏସସି ପରୀକ୍ଷା ଦେବାର ପ୍ରୟାସ ସଂଖ୍ୟା ଉପରେ ଥିବା ସୀମା ହଟାଇବା, ‘ସୁଭଦ୍ରା’ର ୫ମ କିସ୍ତି ପ୍ରଦାନ, ଦ୍ୱିତୀୟ ଜାତୀୟ ଗରିମା ସମ୍ମିଳନୀର ସଫଳ ଆୟୋଜନ ଏବଂ କେତେକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ସେ ସମ୍ପୃକ୍ତ ବିଭାଗ ଓ ଅଧିକାରୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । 

ଏହି ପଦକ୍ଷେପଗୁଡ଼ିକ ରାଜ୍ୟର ମାନବ ସମ୍ବଳ ବିକାଶ, ମହିଳା ସଶକ୍ତିକରଣ, ସୁଶାସନ ଓ ସମାବେଶୀ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଶାସନ ସଚିବ ମତବ୍ୟକ୍ତ କରିଥିଲେ । 

ବୈଠକରେ ଅର୍ଥ ବିଭାଗ ପକ୍ଷରୁ ରାଜ୍ୟର ଆୟ ଓ ବ୍ୟୟ ସ୍ଥିତି ସମ୍ପର୍କରେ ବିସ୍ତୃତ ଉପସ୍ଥାପନ କରାଯାଇଥିଲା । 

ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ମାସ ଶେଷ ସୁଦ୍ଧା ଗତ ବର୍ଷର ଏହି ସମୟ ତୁଳନାରେ ରାଜ୍ୟର ମୋଟ ବ୍ୟୟ ଓ କାର୍ଯ୍ୟକ୍ରମ ବ୍ୟୟରେ ଉନ୍ନତି ଘଟିଥିବା ବେଳେ ପୁଞ୍ଜି ବ୍ୟୟରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା ଜଣାଯାଇଛି । 

ସେହିପରି ରାଜ୍ୟର ମୋଟ ରାଜସ୍ୱ ଆଦାୟରେ ମଧ୍ୟ ଗତବର୍ଷ ତୁଳନାରେ ଅଧିକ ଅଭିବୃଦ୍ଧି ରେକର୍ଡ ହୋଇଛି । 

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ବିଭିନ୍ନ ବିଭାଗର ବ୍ୟୟ ସ୍ଥିତି ସମୀକ୍ଷା କରି ଅନୁମୋଦିତ ବଜେଟ୍‌ ବ୍ୟବସ୍ଥା ଅନୁଯାୟୀ ବିକାଶମୂଳକ ଯୋଜନା ଓ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରି ବ୍ୟୟ ହାର ବୃଦ୍ଧି କରିବାକୁ ସଚିବମାନଙ୍କୁ ପରାମର୍ଶ ଦେଇଥିଲେ । 

ନିର୍ଦ୍ଧାରିତ ଲକ୍ଷ୍ୟ ଅନୁଯାୟୀ ବ୍ୟୟ କରିବା ସହ କାର୍ଯ୍ୟକ୍ରମର ଗୁଣାତ୍ମକ ଓ ଫଳାଫଳଭିତ୍ତିକ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେବାକୁ ସେ କହିଥିଲେ ।

ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ବିକଶିତ ଖୋର୍ଦ୍ଧା ଜିଲ୍ଲା ଦୃଷ୍ଟିକୋଣ ରଖି ଜିଲ୍ଲାର ସାମଗ୍ରିକ ବିକାଶ ଲକ୍ଷ୍ୟ ପୂରଣ ପାଇଁ ପ୍ରୟାସ ସ୍ୱରୂପ ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଜିଲ୍ଲାର ୨୫ଟି ରଣନୀତିକ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ । 

ଖୋର୍ଦ୍ଧା ଜିଲ୍ଲାର ସମନ୍ୱିତ ଓ ଦ୍ରୁତ ବିକାଶ ପାଇଁ ଶିଳ୍ପ, ଭିତ୍ତିଭୂମି, କୃଷି, କ୍ରୀଡ଼ା, ପର୍ଯ୍ୟଟନ, ଐତିହ୍ୟ ଓ ଜ୍ଞାନଭିତ୍ତିକ ବିକାଶକୁ ସମାନ ଗୁରୁତ୍ୱ ଦେଇ ପ୍ରସ୍ତୁତ ରୋଡମ୍ୟାପ୍‌ ସଂପର୍କରେ ଜିଲ୍ଲାପାଳ ଆଲୋକପାତ କରିଥିଲେ । 

ଜିଲ୍ଲାର ଗ୍ରାମ ପଞ୍ଚାୟତସ୍ତରରେ କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ମଡେଲ୍‌ ପାର୍କ, ପୋଖରୀ ଭଳି ବହୁମୁଖୀ ସୁବିଧା ସହ ପ୍ରମୁଖ ଉପଯୋଗୀ ମଡେଲ୍ ପ୍ରକଳ୍ପ ବିକଶିତ କରିବା ପାଇଁ ପ୍ରସ୍ତାବ ରଖାଯାଇଛି ।   

ବେଗୁନିଆ-ବୋଲଗଡ଼ ଓ ଟାଙ୍ଗୀ ଅଞ୍ଚଳକୁ ଶିଳ୍ପ କ୍ଷେତ୍ର ଭାବେ ବିକଶିତ କରି ନୂଆ ପୁଞ୍ଜିନିବେଶ ଆକର୍ଷଣ, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଏମ୍‌ଏସ୍‌ଏମ୍‌ଇ ଭିତ୍ତିକ ସହାୟକ ଶିଳ୍ପର ବିକାଶ ପାଇଁ ପ୍ରସ୍ତାବ ରଖାଯାଇଛି । 

ତୃଣମୂଳସ୍ତରରେ ସିଭିକ୍‌ ଓ ଜ୍ଞାନଭିତ୍ତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆଧୁନିକ ବ୍ଲକ୍‌ସ୍ତରୀୟ କନଭେନ୍ସନ୍‌ ସେଣ୍ଟରକୁ ଜନସମାଗମ, ଜ୍ଞାନ ବିନିମୟ, ସାଂସ୍କୃତିକ ପ୍ରଦର୍ଶନୀ ଓ ସରକାରୀ କାର୍ଯ୍ୟକ୍ରମର କେନ୍ଦ୍ର ଭାବେ ବିକଶିତ କରିବା ନେଇ ଆଲୋଚନା ହୋଇଥିଲା । 

ରାଜଧାନୀ ଓ ଉପକୂଳ ଅଞ୍ଚଳକୁ ସଂଯୋଗ କରୁଥିବା ଦ୍ୱୈତ ରିଙ୍ଗ୍‌ ରୋଡ୍‌ ରଣନୀତି ମାଧ୍ୟମରେ ଯାତାୟାତ ଚାପ ହ୍ରାସ, ଶିଳ୍ପ ଓ ଲଜିଷ୍ଟିକ୍‌ ବିକାଶ, ପର୍ଯ୍ୟଟନ ପ୍ରସାରକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା ।  

ଖୋର୍ଦ୍ଧା-ବିଜୟାନଗରମ୍ ରେଳପଥ ସମ୍ପ୍ରସାରଣ ଓ କ୍ଷମତା ବୃଦ୍ଧି ପାଇଁ ପ୍ରଶାସନିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ନେଇ ପ୍ରସ୍ତାବ ରଖାଯାଇଥିଲା ।

ଖୋର୍ଦ୍ଧା ଜିଲ୍ଲାରେ ଆଧୁନିକ କ୍ରୀଡ଼ା ଭିତ୍ତିଭୂମି, ପ୍ରଶିକ୍ଷଣ ସୁବିଧା ଓ ଫିଟନେସ୍‌ କେନ୍ଦ୍ର ବିକଶିତ କରି ଗ୍ରାମୀଣ ଓ ସହରୀ ଅଞ୍ଚଳରୁ କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରିବା ନେଇ ଆଲୋଚନା ହୋଇଥିଲା । 

ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ପ୍ରଶସ୍ତୀକରଣ, ଫ୍ଲାଏଓଭର, ସଂଯୋଗୀ ରାସ୍ତାର ଉନ୍ନତି ମାଧ୍ୟମରେ ଏହି ପ୍ରମୁଖ ଯାତାୟାତ କରିଡର୍‌କୁ ଅଧିକ ସୁଗମ, ନିରାପଦ ଓ ନିରବଚ୍ଛିନ୍ନ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ କରାଯାଇଛି । 

ଖୋର୍ଦ୍ଧା ଜିଲ୍ଲାର ଐତିହ୍ୟ ସ୍ମାରକଗୁଡ଼ିକର ସଂରକ୍ଷଣ, ପୁନରୁଦ୍ଧାର ଓ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ମାଧ୍ୟମରେ ଐତିହ୍ୟ ସୁରକ୍ଷା ସହ ସ୍ଥାନୀୟ ଅର୍ଥନୀତିକୁ ଯୋଡ଼ିବା ନେଇ ଆଲୋଚନା ହୋଇଥିଲା । 

ବାଳକାଟିର ପିତ୍ତଳ ଓ କଂସା କାରିଗରୀ କ୍ଲଷ୍ଟରକୁ ଆଧୁନିକ ସାଧାରଣ ସୁବିଧା, ଦକ୍ଷତା ବିକାଶ, ଡିଜାଇନ୍‌, ପ୍ରଦର୍ଶନୀ ଓ ବିପଣନ ବ୍ୟବସ୍ଥା ସହ ଏକ ସଂଗଠିତ କାରିଗରୀ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । 

ଜଳସେଚନ ଭିତ୍ତିଭୂମିରେ ଉନ୍ନତି, କେନାଲ୍‌ ଉନ୍ନତି ଓ ଜଳ ବଣ୍ଟନ ବ୍ୟବସ୍ଥାର ସୁଦୃଢ଼ୀକରଣ ମାଧ୍ୟମରେ କୃଷକଙ୍କୁ ନିଶ୍ଚିତ ଜଳସେଚନ ସୁବିଧା ପ୍ରଦାନ ଓ କୃଷି ଉତ୍ପାଦନ ବୃଦ୍ଧି କରିବା ନେଇ ଆଲୋଚନା ହୋଇଥିଲା । 

ରାଜୁଆ ଡାଇଭର୍ସନ୍‌ ଓ୍ୱେଅର୍‌ ପ୍ରକଳ୍ପକୁ ତ୍ୱରିତ କାର୍ଯ୍ୟକାରୀ କରାଯିବା, ଚିଲିକାକୁ ପରିବେଶ ସୁରକ୍ଷା ସହ ସମନ୍ୱିତ ଏକ ପ୍ରମୁଖ ଇକୋ-ଟୁରିଜମ୍‌ ସର୍କିଟ୍‌ ଭାବେ ବିକଶିତ କରି ସ୍ଥାନୀୟ ଉଦ୍ୟୋଗୀ, ମତ୍ସ୍ୟଜୀବୀ ଓ ଗୋଷ୍ଠୀ ସମୁଦାୟ ପାଇଁ ନୂଆ ଜୀବିକା ସୁଯୋଗ ସୃଷ୍ଟି କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । 

ପାଇକ ବିଦ୍ରୋହର ଗୌରବମୟ ଇତିହାସକୁ ସଂରକ୍ଷଣ ଓ ପ୍ରଚାର କରିବା ପାଇଁ ପାଇକ ମେମୋରିଆଲ୍‌ କଲ୍ଚରାଲ୍‌ ସେଣ୍ଟରକୁ ଡିଜିଟାଲ୍‌ ମ୍ୟୁଜିୟମ୍‌, ବ୍ୟାଖ୍ୟା କେନ୍ଦ୍ର, ଗବେଷଣା ଓ ସାଂସ୍କୃତିକ ପ୍ରଦର୍ଶନୀ ସହ ଏକ ପ୍ରମୁଖ ଐତିହ୍ୟ ଓ ଶିକ୍ଷାମୂଳକ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । 

କ୍ୟାପିଟାଲ୍‌ ସାଇନ୍ସ ସିଟିର ଇନୋଭେସନ୍‌ ହବ୍‌ ମାଧ୍ୟମରେ ଯୁବପିଢ଼ିଙ୍କୁ ବିଜ୍ଞାନ, ପ୍ରଯୁକ୍ତି, ଗବେଷଣା ଓ ନବସୃଜନ ସହ ଯୋଡ଼ି ଖୋର୍ଦ୍ଧାକୁ ଜ୍ଞାନ ଓ ନବସୃଜନର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବା ନେଇ ଆଲୋଚନା ହୋଇଥିଲା ।