ରାଗାଭାସ ଏବଂ କଳିଙ୍ଗ ଭାଷା ମୁକ୍ତମଞ୍ଚ ପକ୍ଷରୁ ଗଜଲ୍ କାର୍ଯ୍ୟକ୍ରମ 'ନୁର୍ ଆଣ୍ଡ୍ ନୋଟ୍ସ୍'...
ମଞ୍ଚରେ ପରିବେଷିତ ହେଲା ଉଭୟ ଉର୍ଦ୍ଦୁ ଏବଂ ଓଡ଼ିଆ ଗଜଲ୍
ଓଡ଼ିଶାରେ ପ୍ରଥମଥର ଯୁବପିଢ଼ିଙ୍କୁ ନେଇ ଗଜଲ୍ କାର୍ଯ୍ୟକ୍ରମ
ରାଗାଭାସ ଏବଂ କଳିଙ୍ଗ ଭାଷା ମୁକ୍ତମଞ୍ଚର ମିଳିତ ଆନୁକୁଲ୍ୟରେ 'ନୁର୍ ଆଣ୍ଡ୍ ନୋଟ୍ସ୍' ଶୀର୍ଷକରେ ଏକ ସୁନ୍ଦର ଗଜଲ କାର୍ଯ୍ୟକ୍ରମ ଝାରପଡ଼ାସ୍ଥିତ ଆଉଟକାଷ୍ଟ୍ ଷ୍ଟୁଡିଓଠାରେ ଅନୁଷ୍ଠିତ ହୋଇଯାଇଛି ଲା
ସୁଖ୍ୟାତ ଗୀତିକାର ମୋହିତ ଚକ୍ରବର୍ତ୍ତୀ ଏବଂ ଗଜଲ୍ ଗାୟକ ବୈଷ୍ଣବ କୈଳାସ ଅତିଥି ଭାବେ ଯୋଗ ଦେଇ ଗଜଲକୁ ନେଇ ପ୍ରଥମଥର ଓଡ଼ିଶାରେ ଆଜିର ଯୁବପିଢ଼ି ଏପରି ଏକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ କରିପାରିଥିବା ନେଇ ଖୁବ୍ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ସଭିଙ୍କୁ ଉତ୍ସାହିତ କରିଥିଲେ l
ଓଡ଼ିଆ ଗଜଲର ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଅକ୍ଷୟ ମହାନ୍ତି ବା ସଭିଙ୍କ ପ୍ରିୟ ଖୋକାଭାଇଙ୍କୁ ମନେ ପକାଇ ଅତିଥିମାନେ ଭାବପ୍ରବଣ ହୋଇପଡ଼ିଥିଲେ l
ଗୋଟିଏ ପରେ ଗୋଟିଏ ପ୍ରସିଦ୍ଧ ଗଜଲ୍ ପଢି ଏବଂ ଗାଇ ଶୁଣାଇଥିଲେ ଓଡ଼ିଆ କବି ଏବଂ କଣ୍ଠଶିଳ୍ପୀମାନେ l
ପର୍ବିନ୍ ଶାକିର୍, ଜନ୍ ଏଲିୟା, ବଶିର୍ ଭଦ୍ର, ଅହମ୍ମଦ ଫରାଜଙ୍କ ଲୋକପ୍ରିୟ ଗଜଲ୍ ସବୁକୁ ଆବୃତ୍ତି କରି ଶୁଣାଇଥିଲେ ଯୁବ କବି ସ୍ଵାଗତିକା ମିଶ୍ର, ତୃପ୍ତି ରଞ୍ଜନ ଦାସ, ସୁମିତ୍ ପଣ୍ଡା ଏବଂ ଅଂଶୁମାନ ସାହୁ l
ସେହିପରି ଆଶା ଭୋଁସଲେ, ହରି ହରନ୍ ଏବଂ ଗୁଲାମ ଅଲ୍ଲୀଙ୍କ ପରି ପ୍ରଥିତଯଶା ଗାୟକଙ୍କ ଗୀତ ସବୁକୁ ନିଜ ସ୍ଵରରେ ସଜାଇଥିଲେ ତରୁଣ କଣ୍ଠଶିଳ୍ପୀ ସସ୍ମିତା ବେହେରା, ସୁଦିପ୍ତା ମହାପାତ୍ର, ଶୁଭ୍ରାଂଶୁ ବିଷୋୟୀ ଏବଂ ଅମିତ୍ ପଣ୍ଡା l
ପରେ ପରେ ଯୁବକବିମାନେ ସ୍ୱଲିଖିତ ଓଡ଼ିଆ ଗଜଲ୍ ମଧ୍ଯ ଶୁଣାଇଥିଲେ l ଉଭୟ ଉର୍ଦ୍ଦୁ ଏବଂ ଓଡ଼ିଆ ଗଜଲକୁ ଖୁବ୍ ଉପଭୋଗ କରିଥିଲେ ଉପସ୍ଥିତ ଦର୍ଶକବୃନ୍ଦ l
ଟିକେଟ୍ କାଟି ଏପରି ଏକ ଗଜଲ୍ କାର୍ଯ୍ୟକ୍ରମ ଦେଖିବାକୁ ଆସିଥିବା ଦର୍ଶକମାନେ ପ୍ରଥମ ଥର ଗଜଲ ଏବଂ ସଙ୍ଗୀତର ଯୁଗଳବନ୍ଦୀରେ ଏମିତି ଏକ ସ୍ମରଣୀୟ ଅନୁଭବ ନେଇ ଫେରିଥିବାରୁ ଖୁବ୍ ଖୁସି ପ୍ରକାଶ କରିଥିଲେ l
କାର୍ଯ୍ୟକମ ପ୍ରାରମ୍ଭରେ ତରୁଣ କବି ଅଂଶୁମାନ ସାହୁ(ସୋନୁ) ବେଦପାଠ କରିଥିବା ବେଳେ ଶେଷରେ କଳିଙ୍ଗ ଭାଷା ମୁକ୍ତମଞ୍ଚର ଆବାହକ ସତ୍ୟ ଶିବ ସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l କଳାତ୍ମକ ସାଜସଜ୍ଜା ସାଙ୍ଗକୁ ତଳେ ବସି ଗଜଲର ଆସର ଖୁବ୍ ଆକର୍ଷଣୀୟ ଦିଶୁଥିଲା l
ପ୍ରଥମ ଥର ଭୁବନେଶ୍ୱରରେ ଏପରି ଏକ ଗଜଲ କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ଆଗାମୀ ଦିନରେ ପୁଣି ନୂଆ ଆକାରରେ ଗଜଲ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଆବାହକ ଶ୍ରୀ ଦାସ ସୂଚନା ଦେଇଥିଲେ l