ରାଜ୍ୟରେ ବିଜ୍ଞାନ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ଉପଯୋଗୀତା ଉପରେ ବୈଠକ...
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ ପ୍ରମୁଖ ଅନୁଷ୍ଠାନ ଗୁଡିକର ମୁଖ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଆଲୋଚନାରେ ନାଇଜର, ଆଇଏଲଏସ, ଆଇଆଇଟି,ଆଇଏମଏମଟି, ଆରଏମଆରସି ଭଳି ପ୍ରତିଷ୍ଠିତ ସଂସ୍ଥାର ଅଧିକାରୀ ମାନେ ଯୋଗ ଦେଇଥିଲେ ।
ଉକ୍ତ ବୈଠକରେ ଅନୁଷ୍ଠାନ ମୁଖ୍ୟମାନେ ନିଜ ନିଜ ଅନୁଷ୍ଠାନର ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକ ବିଷୟରେ ବିଷଦ ଆଲୋଚନା କରିବା ସହ ଆଗାମୀ ଦିନରେ ଥିବା ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଉପରେ ମନ୍ତ୍ରୀ ଶ୍ରୀପାତ୍ରଙ୍କୁ ଅବଗତ କରାଇଥିଲେ ।
ମନ୍ତ୍ରୀ ଶ୍ରୀ ପାତ୍ର ରାଜ୍ୟର ବିଜ୍ଞାନ ଶିକ୍ଷା ଓ ଗବେଷଣା ଅନୁଷ୍ଠାନଗୁଡ଼ିକର ଅବଦାନକୁ ପ୍ରଶଂସା କରିବା ସହ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ମାଧ୍ୟମରେ ରାଜ୍ୟର ସାମଗ୍ରିକ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଏବଂ ଏହି ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସମନ୍ୱିତ ଉଦ୍ୟମ ଓ ଘନିଷ୍ଠ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ରାଜ୍ୟର ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ବୃଦ୍ଧି ବ୍ୟବସ୍ଥାବଳୀକୁ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ସହ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏକ ମିଳିତ ପ୍ରତିବଦ୍ଧତା ପାଇଁ ମଧ୍ୟ ଆଲୋଚନା ହୋଇଥିଲା ।
ଉକ୍ତ ବୈଠକରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଚିତ୍ରା ଆରୁମୁଗମ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।