ରାଜ୍ୟସ୍ତରୀୟ ଭିନ୍ନ କ୍ଷମ ଦିବସ ପାଳନ...
ଏକ ସୁସ୍ଥ ଓ ସନ୍ତୁଳିତ ସମାଜ ଗଠନ କରିବାକୁ ହେଲେ ସମାଜର ପ୍ରତ୍ୟେକ ବର୍ଗର, ପ୍ରତ୍ୟେକ ବ୍ୟକ୍ତିର ପ୍ରଗତି ଓ ସୁରକ୍ଷା ଆବଶ୍ୟକ । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମଧ୍ୟରେ ମଧ୍ୟ ପ୍ରତିଭା ରହିଛି, ସାମର୍ଥ୍ୟ ରହିଛି । ଏଣୁ ସେମାନଙ୍କର ସାମାଜିକ, ଅର୍ଥନୈତିକ, ବୌଦ୍ଧିକ ବିକାଶ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିଲେ ସେମାନେ ମଧ୍ୟ ରାଜ୍ୟର ପ୍ରଗତିରେ ନିଜର ଯୋଗଦାନ ଦେଇପାରିବେ । ଭିନ୍ନକ୍ଷମମାନେ କେବଳ ସମର୍ଥନର ହିତାଧ୍କାରୀ ନୁହଁନ୍ତି ବରଂ ମାନବସମାଜ ପାଇଁ ସେମାନଙ୍କର ଅନେକ ଅବଦାନ ରହିଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି ।
ଆଜି ସୋଆ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସରେ ମୁଖ୍ୟ ଅତିଥ୍ ରୂପେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ଯେ ସଶକ୍ତିକରଣ ଏବଂ ଅନ୍ତର୍ଭୂକ୍ତି କରଣ ହେଉଛି ସ୍ଥାୟୀ ବିକାଶର ମୂଳ ଭିତ୍ତିଭୂମି । ଭିନ୍ନକ୍ଷମ ବ୍ୟକ୍ତିମାନେ ସବୁ କ୍ଷେତ୍ରରେ ସମାନ ଭାବେ ଅଂଶଗ୍ରହଣ କରିପାରିଲେ, ପ୍ରକୃତ ପ୍ରଗତି ସମ୍ଭବ ହୋଇପାରିବ । ରାଜ୍ୟ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମ୍ମାନ ଏବଂ ସଶକ୍ତିକରଣ ପ୍ରଦାନ କରିବା କ୍ଷେତ୍ରରେ ଏକ ଦାୟିତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଅଛି । ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱରେ ଓଡ଼ିଶା ସରକାର ସର୍ବଦା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର, ମର୍ଯ୍ୟାଦା ଏବଂ କଲ୍ୟାଣକୁ ପ୍ରମୁଖ ଦେଇଆସୁଛି ।
ରାଜ୍ୟ ସରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଆଇନର କଭରେଜକୁ ବିସ୍ତାର କରିବା ପାଇଁ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି ଏବଂ ଅଧୂକ ଭିନ୍ନକ୍ଷମଙ୍କୁ ଏହାର ପରିସରକୁ ଆଣିପାରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶିକ୍ଷା, ଜୀବିକା, ସାମାଜିକ ଅଂଶଗ୍ରହଣ, ନେତୃତ୍ବ ଏବଂ ସେବା ପ୍ରଦାନ ପରି ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ, ସୁରକ୍ଷା ଏବଂ ପୂର୍ଣ୍ଣ ଅନ୍ତର୍ଭୁକ୍ତିକରଣ ନିମନ୍ତେ ପ୍ରୟାସ ଜାରି ରଖୁଛି । ଏବେ ରାଜ୍ୟ ସରକାର ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମତା ଥୁବା ବ୍ୟକ୍ତିଙ୍କୁ ମାସିକ ୩୫୦୦ ଟଙ୍କା ସହାୟତା ଦେଉଛନ୍ତି । ଏହା ସେମାନଙ୍କ ଜୀବନନିର୍ବାହରେ ନିଶ୍ଚିତ ରୂପେ ପରିବର୍ତ୍ତନ ଆଣିବ । ସାଇନ୍ ଲାଙ୍ଗୁଏଜ୍ର ପ୍ରସାର ପାଇଁ ଦକ୍ଷ ଶିକ୍ଷକ ସୃଷ୍ଟି କରାଯିବା ସହ ୬୦ ଜଣ ଦୃଷ୍ଟିହୀନଙ୍କୁ ଭାରତୀୟ ବିଦ୍ୟା ଭବନରେ କମ୍ପ୍ୟୁଟର ଶିକ୍ଷା ଦିଆଯାଉଛି । ଗତବର୍ଷ ଭିନ୍ନକ୍ଷମ ଶିଳ୍ପୀ ଓ କଳାକାରଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ‘ନିନାଦ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭିନ୍ନକ୍ଷମ ଶିଶୁଙ୍କ ଉପଚାର ପାଇଁ ମୟୂରଭଞ୍ଜର ବାରିପଦା ସମେତ ରାଜ୍ୟର ତିନୋଟି ସ୍ଥାନରେ ରିହାବିଲିଟେସନ୍ ସେଣ୍ଟର କାର୍ଯ୍ୟକରୁଛି । ଆଗାମୀ ଦିନରେ ଏପରି ଅଧିକ ସେଣ୍ଟର ଖୋଲିବାର ଯୋଜନା ରହିଛି ବୋଲି ଉଲ୍ଲେଖ କରି ଏ ଦିଗରେ ନିଜର ପୂର୍ଣ୍ଣ ସମର୍ଥନ ଦେବାକୁ ସେ ଉପସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏବଂ ଜନସାଧାରଣଙ୍କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଅନୁରୋଧ କରିଥିଲେ ।
ଭୁବନେଶ୍ୱର – ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ତାଙ୍କ ବକ୍ତବ୍ୟରେ ଭିନ୍ନକ୍ଷମ ଶିଶୁମାନେ ଯେପରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ, ସେ ଦିଗରେ ସମାଜର ପ୍ରତ୍ୟେକ ସ୍ତରରୁ ଉଦ୍ୟମ ହେବା ଆବଶ୍ୟକ । ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାର ଉନ୍ମେଷ ଓ ବିକାଶ ପାଇଁ ଅଭିଭାବକଙ୍କଠାରୁ ଆରମ୍ଭ କରି ଶିକ୍ଷକ ଏବଂ ସମାଜକର୍ମୀମାନେ ଆଗକୁ ଆସିବାକୁ ଅନୁରୋଧ କରି ବିଧାୟକ ଶ୍ରୀ ସିଂ କହିଲେ ଯେ ଏବେ ଭିନ୍ନକ୍ଷମ
ବ୍ୟକ୍ତିମାନେ ସମାଜର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ସରକାର ମଧ୍ୟ ଭିନ୍ନକ୍ଷମମାନଙ୍କ ପାଇଁ ସରକାରୀ ଚାକିରିରେ ସୁବିଧା ଦେଉଛନ୍ତି । ଏ ଦିଗରେ ଅନ୍ୟ ସଂସ୍ଥାମାନେ ମଧ୍ୟ ଆଗକୁ ଆସି ସେମାନଙ୍କ ଦକ୍ଷତା ଅନୁଯାୟୀ ସେମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ପ୍ରଚେଷ୍ଟା କରିବା ଆବଶ୍ୟକ । ଏହି ଅବସରରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.କେ. ପାତ୍ର ମଧ୍ୟ ବକ୍ତବ୍ୟ ରଖୁଥିଲେ ।