ସାରା ଭାରତରେ ପେନ୍‌ସନଭୋଗୀଙ୍କ ଧାରଣା

ପେନ୍‌ସନ ବୈଧତା ଆଇନ ପ୍ରତ୍ୟାହାର ଓ ପୁରାତନ ପେନ୍‌ସନଭୋଗୀଙ୍କ ପେନ୍‌ସନ ସଂଶୋଧନ ଦାବି...

Sep 19, 2026 - 20:08
 3
ସାରା ଭାରତରେ ପେନ୍‌ସନଭୋଗୀଙ୍କ ଧାରଣା

୨୦୨୬ ମସିହା ପୂର୍ବରୁ ସରକାରୀ ସେବାରୁ ଅବସର ଗ୍ରହଣ କରିଥିବା ପ୍ରାୟ ୭୦ ଲକ୍ଷ ପୁରାତନ ପେନ୍‌ସନଭୋଗୀ ପେନ୍‌ସନ ସଂଶୋଧନ ସମ୍ପର୍କିତ ବିଭିନ୍ନ ପଦକ୍ଷେପକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। 

ବିଶେଷକରି ପେନ୍‌ସନ ବୈଧତା ଆଇନ, ୨୦୨୫ ଏବଂ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗର ବିଚାର ଓ ସୁପାରିଶ ପରିସରରୁ ପୁରାତନ ପେନ୍‌ସନଭୋଗୀଙ୍କ ପେନ୍‌ସନ ସଂଶୋଧନକୁ ବାଦ ଦିଆଯାଇଥିବାରୁ ପେନ୍‌ସନଭୋଗୀମାନଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି ହୋଇଛି।

ଅଡିଟ ଓ ଆକାଉଣ୍ଟସ ପେନ୍‌ସନଭୋଗୀ ସଂଘର କହିବା ଅନୁଯାୟୀ, ଅବସର ଗ୍ରହଣର ତାରିଖକୁ ଆଧାର କରି ପେନ୍‌ସନଭୋଗୀଙ୍କ ମଧ୍ୟରେ ପାର୍ଥକ୍ୟ କରାଯିବା ପ୍ରକ୍ରିୟା ପୂର୍ବରୁ ମଧ୍ୟ ବିବାଦର କାରଣ ହୋଇଆସିଛି। 

୧୯୭୯, ୨୦୦୮ ଏବଂ ଏବେ ୨୦୨୫ ମସିହାରେ ଏ ସମ୍ପର୍କରେ ବିଭିନ୍ନ ଅଭିସନ୍ଧି ମୂଳକ ପଦକ୍ଷେପ ନିଆଯାଇଥିବା ସେମାନେ ଦର୍ଶାଇଛନ୍ତି।

ଷଷ୍ଠ କେନ୍ଦ୍ରୀୟ ବେତନ ଆୟୋଗ ୧ ଜାନୁଆରୀ ୨୦୦୬ରୁ ବେତନ ଓ ପେନ୍‌ସନ ସଂଶୋଧନ ପାଇଁ ସୁପାରିଶ କରିଥିଲା । 

ତେବେ ୨୦୦୮ ମସିହାରେ ଅବସର ଗ୍ରହଣର ବର୍ଷ ଆଧାରରେ ପେନ୍‌ସନ ସଂଶୋଧନ ପାଇଁ ଦୁଇଟି ଭିନ୍ନ ସୂତ୍ର ଜାରି କରାଯାଇଥିଲା। 

ଗୋଟିଏ ସୂତ୍ର ୨୦୦୬ ପୂର୍ବରୁ ଅବସର ନେଇଥିବା ପେନ୍‌ସନଭୋଗୀଙ୍କ ପାଇଁ ଏବଂ ଅନ୍ୟଟି ୨୦୦୬ ପରେ ଅବସର ନେଇଥିବା ପେନ୍‌ସନଭୋଗୀଙ୍କ ପାଇଁ ଲାଗୁ କରାଯାଇଥିଲା।

ଏହା ଫଳରେ ପେନ୍‌ସନ ସଂଶୋଧନରେ ଅସଙ୍ଗତି ସୃଷ୍ଟି ହୋଇଥିବା ଅଭିଯୋଗ କରି କେତେକ ପେନ୍‌ସନଭୋଗୀ ନ୍ୟାୟ ପାଇଁ ଅଦାଲତର ଆଶ୍ରୟ ନେଇଥିଲେ । 

ଦୀର୍ଘ ଆଇନଗତ ଲଢ଼େଇ ପରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ୨୦୦୬ ପୂର୍ବରୁ ଅବସର ନେଇଥିବା ପେନ୍‌ସନଭୋଗୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ପେନ୍‌ସନ ସଂଶୋଧନ ସୂତ୍ର ଲାଗୁ କରିବା ସହିତ ୧ ଜାନୁଆରୀ ୨୦୦୬ରୁ ବକେୟା ପେନ୍‌ସନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିବା ପେନ୍‌ସନଭୋଗୀ ସଂଗଠନ ପକ୍ଷରୁ କୁହାଯାଇଛି । 

ଏହି ରାୟ ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଅପିଲ୍‌ ମଧ୍ୟ ଖାରଜ ହୋଇଥିବା ସେମାନେ ଦାବି କରିଛନ୍ତି।