ସ୍ୱାସ୍ଥ୍ୟ ଓ ଫିଟନେସ୍ର ସ୍ତର ବୃଦ୍ଧି ପାଇଁ ଡିଏଭି ପବ୍ଲିକ୍ ସ୍କୁଲ୍, କଳିଙ୍ଗ ନଗରରେ ପୁଶ୍-ଅପ୍ ଚ୍ୟାଲେଞ୍ଜ ଓ ବିଏମଆଇ ପରୀକ୍ଷା ଆୟୋଜିତ...
ବ୍ୟସ୍ତ ଜୀବନଶୈଳୀରେ ସୁସ୍ଥ ଓ ସୁନ୍ଦର ଜୀବନଯାପନ ପାଇଁ ସ୍ୱାସ୍ଥ୍ୟ ଏବଂ ଶାରୀରିକ ସୁସ୍ଥତାର ଗୁରୁତ୍ୱ ଅତ୍ୟନ୍ତ ଅଧିକ ।
ଶାରୀରିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ସହ ସୁସ୍ଥ ଶରୀର ଓଜନ, ପୋଷଣ ଏବଂ ସକ୍ରିୟ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ତଥା ଶାରୀରିକ ଶକ୍ତି ଓ ପେଶୀର ସହନଶକ୍ତି ପରୀକ୍ଷା କରିବା ସହ ମାପ ମାଧ୍ୟମରେ ଉଚ୍ଚତା ଓ ଓଜନର ଅନୁପାତ ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ଡିଏଭି ପବ୍ଲିକ୍ ସ୍କୁଲ୍, କଳିଙ୍ଗ ନଗର, ଭୁବନେଶ୍ୱର ପକ୍ଷରୁ ଏକ ସାମୂହିକ ପୁଶ୍-ଅପ୍ ଚ୍ୟାଲେଞ୍ଜ ଓ ବିଏମଆଇ ପରୀକ୍ଷା ଆୟୋଜନ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅଭିଭାବକ ଓ ଶିକ୍ଷକମାନଙ୍କ ପାଇଁ ପ୍ରତିଯୋଗିତା ଓ ପରୀକ୍ଷା ଆୟୋଜିତ ହୋଇଥିଲା
୧୦୦ରୁ ଅଧିକ ପୁରୁଷ ଓ ମହିଳା ଅଭିଭାବକ ଏବଂ ୫୦ରୁ ଅଧିକ ଶିକ୍ଷକ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରି ପୁଶ୍-ଅପ୍ ଚ୍ୟାଲେଞ୍ଜରେ ନିଜ ଶାରୀରିକ ଦକ୍ଷତା ପ୍ରଦର୍ଶନ କରିବା ସହ ବିଏମଆଇ ପରୀକ୍ଷା କରାଇଥିଲେ ।
କାର୍ଯ୍ୟକ୍ରମର ଉଦ୍ଘାଟନ କରି ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବଳରାମ ମହାପାତ୍ର ଉତ୍ତମ ସ୍ୱାସ୍ଥ୍ୟ ଓ ନିୟମିତ ଶାରୀରିକ ବ୍ୟାୟାମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶ୍ରୀ ଦେବାଶିଷ ରାଉତ, ଶ୍ରୀ ଦୀପକ ପାତ୍ରସିଂହ, ସୁଶ୍ରୀ ଶୁଭଜ୍ୟୋତି ଦାଶ ଏବଂ ଶ୍ରୀ ଏ. ରବି ଶଙ୍କରଙ୍କୁ ନେଇ ଗଠିତ ବିଚାରକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଏକ ପ୍ୟାନେଲ୍ ପ୍ରତିଯୋଗିତାର ବିଚାର କରିବା ସହ ଅଂଶଗ୍ରହଣକାରୀମାନଙ୍କୁ ମୂଲ୍ୟବାନ ସ୍ୱାସ୍ଥ୍ୟ ଓ ଫିଟନେସ୍ ସମ୍ପର୍କିତ ପରାମର୍ଶ ପ୍ରଦାନ କରିଥିଲେ ।
ପୁରୁଷ ବର୍ଗରେ ଶ୍ରୀ ରମାନନ୍ଦ ପୃଷ୍ଟି ବିଜେତା ହେବା ସହ ଶ୍ରୀ ଦୀପକ ରଞ୍ଜନ ସୁବୁଦ୍ଧି ଓ ଶ୍ରୀ ସ୍ୱରୂପ ଦାସ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀ ସତ୍ୟ ପ୍ରକାଶ ଦାସ ଓ ଶ୍ରୀ ଜୟ ପ୍ରକାଶ ରାୟ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ସେହିପରି ମହିଳା ବର୍ଗରେ ସୁଶ୍ରୀ ସ୍ମୃତିସ୍ମିତା ପୃଷ୍ଟି, ସୁଶ୍ରୀ ଲକ୍ଷ୍ମୀପ୍ରିୟା ସାହୁ ଏବଂ ସୁଶ୍ରୀ ସ୍ୱର୍ଣ୍ଣଲତା ପଟ୍ଟନାୟକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ ।
ବିଦ୍ୟାଳୟର ହେଲ୍ଥ୍ ଆଣ୍ଡ ୱେଲନେସ୍ ଟିମ୍, ଛାତ୍ରଛାତ୍ରୀ ଓ କର୍ମଚାରୀବୃନ୍ଦଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।