ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ...

Aug 12, 2026 - 21:04
 7
ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ...

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ ହୋଇଯାଇଛି। 

ଜାତୀୟ ଗ୍ରନ୍ଥାଗାରିକ ଦିବସ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀମାନେ ଗ୍ରନ୍ଥାଗାର ବିଜ୍ଞାନର ଜନକ ପଦ୍ମଶ୍ରୀ ଏସ ଆର ରଙ୍ଗନାଥନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ସ୍ମିତା ମହାନ୍ତି ଓ ଅର୍ଥ ପରାମର୍ଶ ଦାତା ତଥା ଯୁଗ୍ମ ଶାସନ ସଚିବ ଶ୍ରୀ ପ୍ରମୋଦ କୁମାର ମଣ୍ଡଳ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ଅତିଥିମାନେ ପାଠାଗାର ବିଜ୍ଞାନକୁ ଋଦ୍ଧିମନ୍ତ କରିବା ଦିଗରେ ପଦ୍ମଶ୍ରୀ ଏସ ଆର ରଙ୍ଗନାଥନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

ପାଠାଗାରର ବିଶେଷତା ଓ ଗ୍ରନ୍ଥାଗାରିକମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବା ସହ ଆଜିର କୃତ୍ରିମ ବୁଦ୍ଧିମତା ଓ ଡିଜିଟାଲ ଜଗତରେ ପୁସ୍ତକ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। 

ବିଭିନ୍ନ ପୁସ୍ତକ, ଉପନ୍ୟାସ ଓ ପତ୍ରିକା ପଠନର ଅଭ୍ୟାସକୁ ଯେପରି ଯୁବପିଢ଼ିଙ୍କ ମଧ୍ୟରେ ଆଦୃତ କରାଯାଇପାରିବେ ସେ ସମ୍ବନ୍ଧରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗ୍ରନ୍ଥାଧ୍ୟକ୍ଷ ଶ୍ରୀ ରୁଦ୍ର ପ୍ରସାଦ ବେହେରା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।