ଆଜିର ଯୁବ ସମାଜକୁ ସଠିକ ବାଟରେ ନେବାପାଇଁ ଭାଗବତ ପାଠ ଏକମାତ୍ର ମାଧ୍ୟମ...

Oct 5, 2025 - 16:09
 9
ଆଜିର ଯୁବ ସମାଜକୁ ସଠିକ ବାଟରେ ନେବାପାଇଁ ଭାଗବତ ପାଠ ଏକମାତ୍ର ମାଧ୍ୟମ...

ଧର୍ମ ଜାଗରଣ ସମିତି, ଓଡ଼ିଶା ପକ୍ଷରୁ ଭୁବନେଶ୍ବରର ସ୍ଥିତ ତେରାପନ୍ଥ ଭବନ ଠାରେ ଆୟୋଜିତ ଶ୍ରୀମଦ୍ ଭାଗବତ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରତ୍ୟେକ ଓଡ଼ିଆ ଘରେ ଭାଗବତ ଏବଂ ପ୍ରତ୍ୟେକ ଗାଁର ଭାଗବତ ଟୁଙ୍ଗି ମାନଙ୍କର ପୁନରୁଦ୍ଧାର ଓ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। 

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଯୁବବର୍ଗ ଆଜିର ସମାଜର ସମସ୍ତ ବିକାଶରେ ମୁଖ୍ୟ ଭୂମିକା ନିଭାଇଥାନ୍ତି ଏଣୁ ସେମାନଙ୍କୁ ଏହି ମାର୍ଗରେ ନେବା ପାଇଁ ଭାଗବତ ପାଠ ଏକ ବଳିଷ୍ଠ ମାଧ୍ୟମ। 

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶ୍ରୀମଦ୍ ଭାଗବତ ଗ୍ରନ୍ଥ, ପରମ୍ପରା, ଭକ୍ତି ଓ ଧର୍ମର ଅମୂଲ୍ୟ ଶିକ୍ଷା ସହିତ ଜନସାଧାରଣଙ୍କୁ ଭଗବତ କାର୍ଯ୍ୟରେ ସଂପୃକ୍ତ କରେ । ସେହି ଦୃଷ୍ଟିରୁ ଏହି ମହୋତ୍ସବ ଆମ ସମାଜ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀମଦ ଭାଗବତ ଗ୍ରନ୍ଥର ମହତ୍ଵ ପାଞ୍ଚଗୋଟି ମୂଳତତ୍ତ୍ୱ ଯଥା, ଇଶ୍ବର, ଜୀବ, ପ୍ରକୃତି, କାଳ

ସମୟ ଏବଂ କର୍ମ କୁ ନେଇ ଏ ବିଶ୍ବ ସଞ୍ଚାଳିତ। 

ସେଥିପାଇଁ ସନାତନ ପରମ୍ପରାରେ ଜୀବନ ଦୀପ ଲିଭିବା ପୂର୍ବରୁ ଶ୍ରୀମଦ ଭାଗବତ ଶୁଣି ଶେଷ ନିଶ୍ବାସ ତ୍ୟାଗ କରିବା ପ୍ରତ୍ୟେକ ସନାତନୀର ଶେଷ ଇଚ୍ଛା। 

ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ ଯେ, ସମସ୍ତେ ପ୍ରତ୍ୟେହ ଭାଗବତ ପାଠ କରନ୍ତୁ, କାରଣ ଏହା ଆମ ଜୀବନକୁ ଏକ ସୁସ୍ଥ ଧାର୍ମିକ ଓ ନୈତିକ ଦିଗରେ ନେଇଯିବ।  

ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ପ୍ରକାରର ମହୋତ୍ସବ ସମାଜରେ ଏକତାର ସୂଚକ। ଏହା ଭକ୍ତି, ସମ୍ମାନ, ଓ ମୌଳିକ ମୂଲ୍ୟକୁ ଦୃଢ଼ କରେ। ଏହି ମହୋତ୍ସବର ଅନୁଭୂତି ଓ ଶିକ୍ଷା ଉପସ୍ଥିତ ସୁଧିବୃନ୍ଦଙ୍କ ଜୀବନରେ ନିତିମୂଳକ, ଧର୍ମୀୟ, ଓ ସାମାଜିକ ଉନ୍ନତି ଆଣିବାରେ ସାହାଯ୍ୟ କରିବ।

୨୦୧୪ ପରେ ଭାରତରେ ଭାରତୀୟ ସଂସ୍କୃତି, ପରମ୍ପରାର ଏକ ପ୍ରକାର ଅଭ୍ୟୁଦୟ ହୋଇଛି, କାରଣ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଜୀ ନାରା ଦେଇଛନ୍ତି, ‘ବିକାଶ ଭି, ବିରାଶତ ଭି'। ପ୍ରଧାନମନ୍ତ୍ରୀ ଏହି ଭାବକୁ କେବଳ ସ୍ଲୋଗାନ କି ଭାବନାରେ ସୀମାବଦ୍ଧ କରି ରଖି ନାହାନ୍ତି। ଏହାର ପ୍ରମାଣ ହେଉଛି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ, ମହାକୁମ୍ଭରେ ରେକର୍ଡ ୬୮ କୋଟି ଶ୍ରଦ୍ଧାଳୁଙ୍କ ଆଗମନ, କାଶୀ ବିଶ୍ବନାଥ କରିଡର, ମହାକାଳ କରିଡର ନିର୍ମାଣ । ଆଜି ଦେଶରେ ଏକ ଧର୍ମୀୟ ଭାବନାର ପୁନର୍ଜାଗ୍ରତ ହୋଇଛି ଏବଂ ଏହାର ନେତୃତ୍ବ ନେଇଛନ୍ତି ଏ ଦେଶର ଯୁବ ସମାଜ । ଆଜି ପ୍ରତ୍ୟେକ ହିନ୍ଦୁ ସଗର୍ବେ ନିଜକୁ ସନାତନି ଭାବେ ପରିଚୟ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ପଦ୍ମଶ୍ରୀ ଶ୍ରୀଯୁକ୍ତ ବାବା ବଳିଆ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଅସ୍ମିତାର କାର୍ଯ୍ୟକାରିତା ନିଖୁଣ ଭାବେ ସମ୍ପାଦନ କରୁଥିବାରୁ ଧନ୍ୟବାଦ ଦେବା ସହିତ ଆଗାମୀ ସମୟରେ ଶ୍ରୀମଦ ଭାଗବତ ର ତତ୍ୱକୁ ପ୍ରତ୍ୟେକ ଓଡ଼ିଆ ଘରେ ଘରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ। 

ସେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟରେ ଓଡ଼ିଆ, ଭାଷା ସଂସ୍କୃତି ଓ ସାହିତ୍ୟ ସମେତ ଭଗବତ ଚିନ୍ତା ଚେତନା ପୁନଃ ନବୀକରଣ ହେବ।

କାର୍ଯ୍ୟକ୍ରମରେ ଧର୍ମ ଜାଗରଣ ସମିତିର ପୂର୍ବ ପ୍ରାନ୍ତ ପ୍ରମୁଖ ଶ୍ରୀ ଚନ୍ଦ୍ରକାନ୍ତ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ, ଧର୍ମ ଜାଗରଣ ସମିତିର ସଂଯୋଜକ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଧନ୍ୟବାଦ ଦେଇଥିଲେ।