ଆପାର୍ଟମେଣ୍ଟ ପଞ୍ଜିକରଣ ହେଲା ସହଜ, ସରଳ ଓ ସ୍ୱଚ୍ଛ...

Sep 28, 2026 - 20:19
 4
ଆପାର୍ଟମେଣ୍ଟ ପଞ୍ଜିକରଣ ହେଲା ସହଜ, ସରଳ ଓ ସ୍ୱଚ୍ଛ...

ଓଡ଼ିଶାରେ ଆପାର୍ଟମେଣ୍ଟ ୟୁନିଟ୍‌ଗୁଡ଼ିକର ପଞ୍ଜୀକରଣ ଓ ହସ୍ତାନ୍ତର ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଓ ସୁଗମ କରିବା ଉଦ୍ଦେଶ୍ୟରେ ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍, ୨୦୨୬ ବିଧାନସଭାରେ ବିଚାର ପାଇଁ ଉପସ୍ଥାପିତ ହୋଇଛି। 

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ବିଧାନସଭାରେ ଏହି ବିଲ୍ ଉପସ୍ଥାପନ କରିଛନ୍ତି l 

ଏହି ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଓ ସୁବିଧାଗୁଡ଼ିକର ହସ୍ତାନ୍ତରକୁ ସରଳ କରିବା, ଆପାର୍ଟମେଣ୍ଟ ମାଲିକମାନଙ୍କ ଉପରେ ଅନାବଶ୍ୟକ ଆର୍ଥିକ ଭାର ହ୍ରାସ କରିବା ଏବଂ ରାଜ୍ୟ ସରକାରଙ୍କ ରାଜସ୍ୱ ସ୍ୱାର୍ଥକୁ ସୁରକ୍ଷିତ ରଖିବା। 

ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ଅଧିନିୟମ, ୨୦୨୩ ଅନୁଯାୟୀ, ପ୍ରମୋଟରଙ୍କ ଦ୍ୱାରା ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍‌ଗୁଡ଼ିକର ହସ୍ତାନ୍ତର ପୂର୍ବରୁ ପ୍ରକଳ୍ପର ସାଧାରଣ କ୍ଷେତ୍ର ଓ ସୁବିଧାଗୁଡ଼ିକୁ Association of Allotteesଙ୍କ ସପକ୍ଷରେ ପଞ୍ଜୀକୃତ ଦଲିଲ ମାଧ୍ୟମରେ ହସ୍ତାନ୍ତର କରିବାର ବ୍ୟବସ୍ଥା ରହିଛି। ଏହି ସାଧାରଣ କ୍ଷେତ୍ର ଓ ସୁବିଧା ମଧ୍ୟରେ ପ୍ରକଳ୍ପର ଜମି ସହିତ ଗ୍ୟାରେଜ୍, ସିଡ଼ି, ଲିଫ୍ଟ ଆଦି ଅନ୍ତର୍ଭୁକ୍ତ। 

ତେବେ ଏହି ସାଧାରଣ କ୍ଷେତ୍ର ଓ ସୁବିଧାଗୁଡ଼ିକ Association of Allotteesଙ୍କ ସପକ୍ଷରେ ହସ୍ତାନ୍ତର କରିବା ସମୟରେ ଲାଗୁଥିବା ଷ୍ଟାମ୍ପ ଡ୍ୟୁଟି ଯୋଗୁଁ ଆପାର୍ଟମେଣ୍ଟ ମାଲିକମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପଡ଼ୁଥିଲା। 

ଏହି ପ୍ରକ୍ରିୟାକୁ ସରଳ କରିବା ଏବଂ ବୃହତ୍ତର ଜନସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ଷ୍ଟାମ୍ପ ଅଧିନିୟମ, ୧୮୯୯ର ଅନୁସୂଚୀ I-Aର ଅନୁଚ୍ଛେଦ ୨୩(ଗ)ରେ ସଂଶୋଧନ ପ୍ରସ୍ତାବ କରାଯାଇଛି। 

????ସାଧାରଣ କ୍ଷେତ୍ର ଓ ସୁବିଧା ପାଇଁ ନାମମାତ୍ର ଷ୍ଟାମ୍ପ ଡ୍ୟୁଟି 

ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ପ୍ରମୋଟରଙ୍କଠାରୁ Association of Allotteesଙ୍କ ସପକ୍ଷରେ ସାଧାରଣ କ୍ଷେତ୍ର ଓ ସୁବିଧା ହସ୍ତାନ୍ତର ଦଲିଲ ଉପରେ ମାତ୍ର ₹୫୦,୦୦୦ ଷ୍ଟାମ୍ପ ଡ୍ୟୁଟି ଧାର୍ଯ୍ୟ କରାଯିବ। 

ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍ ହସ୍ତାନ୍ତର ଦଲିଲରେ ସାଧାରଣ କ୍ଷେତ୍ରର ଅବିଭକ୍ତ ଆନୁପାତିକ ଅଂଶକୁ ଅନ୍ତର୍ଭୁକ୍ତ କରି ୫ ପ୍ରତିଶତ ହାରରେ ଷ୍ଟାମ୍ପ ଡ୍ୟୁଟି ଧାର୍ଯ୍ୟ କରାଯିବ। 

ଏହା ଦ୍ୱାରା ଏକପଟେ ଆପାର୍ଟମେଣ୍ଟ ମାଲିକଙ୍କ ଉପରେ ଅନାବଶ୍ୟକ ଆର୍ଥିକ ଭାର ହ୍ରାସ ପାଇବା ସହିତ ଅନ୍ୟପଟେ ସରକାରୀ ରାଜସ୍ୱ ମଧ୍ୟ ସୁରକ୍ଷିତ ରହିବ। ଏହା ପୂର୍ବରୁ ଆପାର୍ଟମେଣ୍ଟର ସାଧାରଣ କ୍ଷେତ୍ର ଓ ସୁବିଧାଗୁଡ଼ିକ ହସ୍ତାନ୍ତର ସମ୍ବନ୍ଧୀୟ ପଞ୍ଜୀକରଣ ଦେୟକୁ ₹୨୦,୦୦୦ରେ ସୀମିତ କରାଯାଇଛି। 

????ଷ୍ଟାମ୍ପ ଡ୍ୟୁଟିରେ ସ୍ଲାବ୍ ବ୍ୟବସ୍ଥାର ସରଳୀକରଣ

ପ୍ରସ୍ତାବିତ ସଂଶୋଧନରେ ବ୍ୟକ୍ତିଗତ ଆପାର୍ଟମେଣ୍ଟ ୟୁନିଟ୍‌ର ହସ୍ତାନ୍ତର ସମୟରେ ଲାଗୁଥିବା ୩%, ୪% ଓ ୫% ସ୍ଲାବ୍‌ଭିତ୍ତିକ ଷ୍ଟାମ୍ପ ଡ୍ୟୁଟିକୁ ସରଳ କରି ସମସ୍ତ ଆପାର୍ଟମେଣ୍ଟ ୟୁନିଟ୍ ହସ୍ତାନ୍ତର ପାଇଁ ୫% ଏକକ ହାର ଧାର୍ଯ୍ୟ କରାଯିବ। 

ପୂର୍ବ ବ୍ୟବସ୍ଥା ଅନୁଯାୟୀ ₹୫ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟର ଆପାର୍ଟମେଣ୍ଟ ପାଇଁ ୩%, ₹୫ ଲକ୍ଷରୁ ₹୧୫ ଲକ୍ଷ ପର୍ଯ୍ୟନ୍ତ ୪% ଏବଂ ₹୧୫ ଲକ୍ଷରୁ ଅଧିକ ମୂଲ୍ୟର ଆପାର୍ଟମେଣ୍ଟ ପାଇଁ ୫% ଷ୍ଟାମ୍ପ ଡ୍ୟୁଟି ଲାଗୁ ହେଉଥିଲା। 

ଏଥିସହିତ, ଆର୍ଥିକ ଭାବେ ଦୁର୍ବଳ ବର୍ଗ (EWS) ପାଇଁ ସୁଲଭ ଆବାସ ଯୋଜନା ଅଧୀନରେ ଉପଲବ୍ଧ ଘର ଉପରେ ସରକାର ପୂର୍ବରୁ ଷ୍ଟାମ୍ପ ଡ୍ୟୁଟି ଓ ପଞ୍ଜୀକରଣ ଦେୟରେ ୯୦% ଛାଡ଼ ପ୍ରଦାନ କରିଛନ୍ତି। 

ସୁତରାଂ, ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ପୂର୍ବ ବ୍ୟବସ୍ଥାରେ ୧୫ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟରେ ଲାଗୁ ହେଉଥିବା ୩% ଏବଂ ୪% ଷ୍ଟାମ୍ପ ଡ୍ୟୁଟି ଦେୟ ଏହି ୯୦ ପ୍ରତିଶତ ଛାଡ଼ରେ ଆଉ ପ୍ରଯୁଜ୍ୟ ହେଉ ନାହିଁ ଏବଂ ଏହାର ଆବଶ୍ୟକତା ମଧ୍ଯ ଆଉ ନାହିଁ l 

ପୂର୍ବରୁ ଅଧ୍ୟାଦେଶ ଭାବେ ଜାରି ହୋଇ ଓଡ଼ିଶା ଗେଜେଟରେ ପ୍ରକାଶିତ ଏହି ସଂଶୋଧନ ବିଧାନସଭାରେ ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ବିଲ୍, ୨୦୨୬ ପାରିତ ହେବା ପରେ ଏହି ଅଧ୍ୟାଦେଶର ସ୍ଥାନରେ ଭାରତୀୟ ଷ୍ଟାମ୍ପ (ଓଡ଼ିଶା ସଂଶୋଧନ) ଅଧିନିୟମ, ୨୦୨୬ ଭାବେ କାର୍ଯ୍ୟକାରୀ ହେବ। 

ଏହି ଅବସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ପ୍ରସ୍ତାବିତ ସଂଶୋଧନ ଦ୍ୱାରା ଆପାର୍ଟମେଣ୍ଟ ୟୁନିଟ୍‌ଗୁଡ଼ିକର ପଞ୍ଜୀକରଣ ଓ ହସ୍ତାନ୍ତର ପ୍ରକ୍ରିୟା ଅଧିକ ସରଳ ଓ ସୁଗମ ହେବା ସହିତ ସାଧାରଣ କ୍ଷେତ୍ର ଓ ସୁବିଧା ହସ୍ତାନ୍ତରରେ ଅନାବଶ୍ୟକ ଆର୍ଥିକ ଭାର ହ୍ରାସ ପାଇବ। 

ଏଥିସହିତ ଆପାର୍ଟମେଣ୍ଟ ମାଲିକମାନଙ୍କ ସ୍ୱାର୍ଥରକ୍ଷା ସହ ରାଜ୍ୟ ସରକାରଙ୍କ ରାଜସ୍ୱ ସ୍ୱାର୍ଥ ମଧ୍ୟ ସୁରକ୍ଷିତ ରହିବ l