"କୁମାର ପୂର୍ଣ୍ଣିମା" ଦିବସ ପାଳନ ର କଥା କାହାଣୀ...

Oct 25, 2026 - 13:03
 22
"କୁମାର ପୂର୍ଣ୍ଣିମା" ଦିବସ ପାଳନ ର କଥା କାହାଣୀ...

"କୁମାର ପୂର୍ଣ୍ଣିମା"

ଦିବସ ପାଳନ ର କଥା କାହାଣୀ...

"କୁଆଁର ପୁନେଇ ଜ‌ହ୍ନ ଗୋ ଫୁଲ ବଉଳ ବେଣୀ"...                                                                                                                                                                        

ଆଶ୍ୱିନ ପୂର୍ଣ୍ଣିମାକୁ ଓଡ଼ିଶାରେ କେବଳ କୁମାର ପୂର୍ଣ୍ଣିମା ହିସାବରେ ପାଳନ କରାଯାଏ ।

ଏହି ଦିବସଟି ଆଶ୍ୱିନର ଶେଷ ଦିନ ଓ କାର୍ତ୍ତିକ ମାସର ଆରମ୍ଭର ପୂର୍ବ ଦିନ । କାର୍ତ୍ତିକ କୃତ୍ତିକା ନକ୍ଷେତ୍ରର ମାସ । କୃତ୍ତିକାଙ୍କର ପୁତ୍ର ହେଉଛନ୍ତି କୁମାର ବା କାର୍ତ୍ତିକେୟ । 

କାର୍ତ୍ତିକ ନିଜେ ଚିର କୁମାର, ଶ୍ରେଷ୍ଠ ପୁରୁଷ ଏବଂ ଦେବତାମାନଙ୍କର ସେନାପତି ଥିବାରୁ ସମ୍ଭବତଃ ତାଙ୍କରି ପବିତ୍ର ପୌରାଣିକ ସ୍ମୃତିରେ ଉଦ୍‌ବୋଧନ ପାଇଁ ଏହି ପୂଜାର ସୃଷ୍ଟି ହୋଇଥିବା ସମ୍ଭବ । 

ଏହିଦିନ ଚନ୍ଦ୍ର ଅଶ୍ୱିନୀ ନକ୍ଷତ୍ରରେ ରୁହନ୍ତି । ବୈଦିକ କାଳରୁ ଅଶ୍ୱିନୀଙ୍କ ସଂଗେ କୁମାରଙ୍କର ନିତ୍ୟ ସମ୍ବୋଧ । 

ତେଣୁ ଏହି ଅଶ୍ୱିନୀ ଚନ୍ଦ୍ର ହେଲେ ‘ଅଶ୍ୱିନୀ କୁମାର’ । ଏହି ପୁର୍ଣ୍ଣିମା ହେଲେ ‘କୁମାର’ । ଏହି ପରି ହୁଏତ ଏ ଦିନଟିର ନାମ ହୋଇଛି କୁମାର ପୂର୍ଣ୍ଣିମା ।’ ମହର୍ଷି ସୁଶ୍ରୁତ ଲେଖିଛନ୍ତି ‘କୁମାର’ ବା ‘ସ୍କନ୍ଦ’ ଏକ ଗ୍ରହ । 

ମଙ୍ଗଳଙ୍କର ଅନ୍ୟନାମ ମଧ୍ୟ କୁମାର । 

ଏମାନଙ୍କର କୁମାର ବା’ ବାଳୁତମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ୁଥିବା ହେତୁ ଆୟୁର୍ବେଦୀୟ ମତରେ ଏହି ଦିନଟି ସେମାନଙ୍କର କୋପ ଦୃଷ୍ଟିରୁ ରକ୍ଷାନିମନ୍ତେ ଉପଚାର କରାଯାଏ ।

ଭିନ୍ନ ଏକ କାହାଣୀମତେ ଏକଦା ଆଶ୍ୱିନ ପୂର୍ଣ୍ଣିମା ଦିନ କୃଷ୍ଣ, ରୁକ୍ମଣୀ ଓ ସତ୍ୟଭାମା ରାତିରେ ପଶା ଖେଳୁଥିଲେ । 

ଠିକ୍ ଏତିକି ବେଳେ କଟ ନାମ ଏକ ରାକ୍ଷସ ସକ୍ରାଜିତ ମଣି ଲୋଭରେ ସତ୍ୟଭାମାଙ୍କୁ ଆକ୍ରମଣ କରନ୍ତେ ଗରୁଡ଼ ଦ୍ୱାରା ସେ ନିହତ ହେଲା ଅଥଚ ସେ ସକାଳକୁ ବଞ୍ଚି ଯାଇଥିଲା ।

ଏକଥା ସତ୍ୟଭାମା କୃଷ୍ଣଙ୍କୁ ପୁଛନ୍ତେ ସେ କହିଲେ : କୁମାର ପୂର୍ଣ୍ଣିମା ରାତିରେ ଚନ୍ଦ୍ରାଲୋକରୁ ଅମୃତ ବର୍ଷିତ ହୁଏ । ଏହି ରାକ୍ଷସଟି ସେ ଅମୃତ ଭକ୍ଷଣକରି ସଂଜୀବୀତ ହୋଇଛି । 

ଏହାକୁ ଆଧାରକରି ଦେହର ପୁଷ୍ଟି ଓ ମନର ପ୍ରଫୁଲ୍ଲତା ବୃଦ୍ଧି ନିମନ୍ତେ ନାରୀମାନେ ସ୍ୱାମୀଙ୍କ ସହ ଉଜାଗର ରହି ଦାମ୍ପତ୍ୟ ଜୀବନର ସୁଖଲାଭ କରନ୍ତି । 

ଏହି ଦିବସଟି ପ୍ରତିଟି ମଣିଷ ପାଇଁ ପାପ ନାଶିନୀ ପୂର୍ଣ୍ଣିମା ରୂପେ ବିଚାର୍ଯ୍ୟ ।

କୁଆଁରୀ ଝିଅଙ୍କ ପର୍ବ କୁଆଁରପୁନେଇ । ଏହିଦିନ କୁଆଁରୀ ମାନେ ସଜବାଜ ହୋଇ ହାତରେ ପୂଜାଥାଳି ଧରି ଚାନ୍ଦ ବନ୍ଦେଇବାକୁ ଅଗଣାରେ ଏକାଠି ହୋଇଥାନ୍ତି । 

ଲୋକକଥା ଅନୁଯାୟୀ ଏହି ପୂଜା କୁଆଁରୀ ଝିଅମାନେ ନିଷ୍ଠାର ସହ କଲେ ତାଙ୍କୁ ଚାନ୍ଦପରି ସୁନ୍ଦର ଓ ଶୀତଳ( ସ୍ୱଭାବର ରାଗି ନୁହେଁ) ବର ମିଳିଥାଏ । 

ହିନ୍ଦୁଶାସ୍ତ୍ର ଅନୁସାରେ ଆଶ୍ୱିନ ମାସ ପୂର୍ଣ୍ଣିମାରେ ମହାଦେବଙ୍କ ପୁତ୍ର କୁମାର କାର୍ତ୍ତିକେୟଙ୍କ ଜନ୍ମ ହୋଇଥିବା କାରଣରୁ ଏହି ଦିନକୁ ତାଙ୍କର ଜନ୍ମ ଦିବସ ରୂପେ ପାଳନ କରାଯାଏ । 

କୁମାର, କୁମାରୀଙ୍କ ପୂଜା ପରମ୍ପରା ଏହି ପର୍ବର ମୂଳ ଲକ୍ଷ୍ୟ । କୁମାର ପୂର୍ଣ୍ଣିମାର ଅନ୍ୟନାମ ‘କୌମୁଦି ପୂର୍ଣ୍ଣିମା’ ରହିଥିବା ଅନେକ କହନ୍ତି ।

ଆଶ୍ୱିନ ମାସ ଏକ ପବିତ୍ର ମାସ ବର୍ଷାୠତୁ ଧରାପୃଷ୍ଠରୁ ବିଦାୟ ନେଇଛି । ଶରତଋତୁ ଆଗମନରେ ପୃଥିବୀ ମାତା ଉଲ୍ଲସିତା ହୋଇଛି । 

ଆକାଶ ସ୍ୱଚ୍ଛ, ନିର୍ମଳ । ଲତାରେ ଜହ୍ନି ଫୁଲ ହସୁଛି । ରାତିରେ ଜହ୍ନର ଧବଳ ଜ୍ୟୋସ୍ନା କୁମାରୀମାନଙ୍କର ଜହ୍ନି ଓଷା ଗୀତ ‘ଜହ୍ନି ଫୁଲ ଠୋ ଠୋ, କାକୁଡି ଫୁଲ ଠୋ ଠୋ’ , ଗ୍ରାମ୍ୟ ପରିବେଶକୁ ଆନନ୍ଦ ମୁଖରିତ କରିଥାଏ । 

ଦଶହରା ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମାର ଉତ୍ସବ ପାଳନ କରାଯାଏ । ଏହି ଦିନ ମାନଙ୍କରେ ତାସ ଖେଳ, ପଇସା ଖେଳ, କଉଡ଼ି ଖେଳ ଆଦି ଚାଲିଥାଏ । 

ପୂର୍ଣ୍ଣମୀ ଦିନ ତାସଖେଳ ବା ପଇସା ଖେଳରେ ହାରିଲେ ଆଗାମୀ ବର୍ଷ ଭଲରେ କଟିବ ବୋଲି ବିଶ୍ୱାସ ରହିଛି ।ଧାର୍ମିକ ସାମାଜିକ ଭାବଧାରା ପରିପୂର୍ଣ୍ଣ ଏ ପୂର୍ଣ୍ଣିମା । 

ଏହିଦିନ କୁମାରୀମାନେ ମାସବ୍ୟାପୀ କରିଆସୁଥିବା ଜହ୍ନିଓଷାର ଉଦଯାପନ କରନ୍ତି । ନାଚ,ଗୀତ, ମଉଜ, ମଜଲିସରେ ଏହି ଉତ୍ସବ ଅଧିକ ମନୋରମ ଓ ଆକର୍ଷଣୀୟ ହୋଇଉଠେ ।

ଇତିହାସ କହେ- କନ୍ୟା କୁମାରୀ ଠାରୁ କାମକ୍ଷା ଯାଏଁ ଦକ୍ଷିଣ ଓ ପୂର୍ବ ଭାରତରେ କୁମାରୀ ପୂଜାର ପରମ୍ପରା ଅଷ୍ଟମ ଶତାବ୍ଦୀରୁ ରହି ଆସିଛି ।

‘କୁମାରୀ ତନ୍ତ୍ର’ ଅନୁସାରେ ତନ୍ତ୍ରିକମାନେ ଅବିବାହିତ ବା କୁମାରୀ କନ୍ୟାମାନଙ୍କୁ ପୂଜା କରି ସିଦ୍ଧି ଲାଭ କରିଥିଲେ । କ୍ରମଶଃ ଦେଶରେ କୁମାରୀ ପୂଜା ପାଳନ ହେଉଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହା ସାମାଜିକ ପରମ୍ପରାରେ ପରିଣତ ହୋଇଗଲା। 

ଏହି ଦିନ ଘରର କୁମାରୀମାନେ ଭୋର୍‌ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି । 

ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ । 

ତେବେ ଓଡ଼ିଶାର କେତେକ ଅଞ୍ଚଳରେ ଏହି ଆଞ୍ଜୁଳା ଟେକା ବିଧି ପାଳନ କରାଯାଏ ନାହିଁ । ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି । 

ଏହିଦିନ କୁମାରୀ ତ‌ଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି । ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ । 

ପ୍ରତ୍ୟକ ପୂଜା ପର୍ବରେ ଭାରତୀୟ ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି । 

ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ । 

କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ । 

ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବ‌ହାର କରାଯାଇଥାଏ । ଚନ୍ଦ୍ର ଉଦୟ ହେଲେ କଇଁ ଫୁଟିଥାଏ । 

ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବ‌ହୃତ ହୋଇଥାଏ । ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ ।

ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା' ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । 

ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ । 

ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । 

ଏହି ପର୍ବରେ ତିଆରି କରାଯାଉଥିବା ମଣ୍ଡା ପିଠା ଓଡ଼ିଶାର ମୁଖ୍ୟ ଆକର୍ଷଣମାନ‌ଙ୍କ ମଧ୍ୟରୁ ଅନ୍ୟତମ । 

ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନ‌ଙ୍କୁ ଶଙ୍ଖ ଓ ହୁଳହୁଳି ସ‌ହ ଦୀପରେ ବନ୍ଦାଇ ଦିଆଯାଏ । 

ଯେଉଁ ଘରେ କୌଣସି କୁମାରୀ କନ୍ୟା ନଥାନ୍ତି, ସେ ଘରେ ବିବାହିତା ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ଚଉରା ଓ ଚନ୍ଦ୍ର ପୂଜା କରିଥାନ୍ତି । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି ।

ପୁରାଣ ଓ କିମ୍ବଦନ୍ତୀ ଅନୁସାରେ ତୁଳସୀ ଜଣେ ସତୀ – ସ୍ୱାଧୀ ଏବଂ ପତିବ୍ରତା ପତ୍ନୀ । ତାଙ୍କର ସତୀତ୍ୱ ବଳରୁ ରାକ୍ଷସ ଜଳନ୍ଧର ବଳିୟାନ ଥିଲେ । 

ସେ ବର ପାଇଥିଲା ଯେ, ତୁଳସୀଙ୍କ ପତିବ୍ରତା ନଷ୍ଟ ନହେଲା ଯାଏଁ ତାକୁ କେହି ମାରିପାରିବେ ନାହିଁ । ଏପଟେ ଜଳଧରର ବିନାଶର ଆବଶ୍ୟକତା ଥିଲା । 

ଏଣୁ ବିଷ୍ଣୁ ନିଜେ ଜଳନ୍ଧର ବେଶରେ ଯାଇ ତୁଳସୀଙ୍କର ସତୀତ୍ୱ ଅପହରଣ କଲେ । 

ଫଳରେ ଜଳନ୍ଧର ବଧହେଲା ଅନ୍ୟପକ୍ଷରେ ଏଥିପାଇଁ ତୁଳସୀ ମର୍ତ୍ତ୍ୟରେ ପ୍ରତିଘରେ ଏବଂ ଶୁଭରେ ପୂଜା ପାଇବା ନିମନ୍ତେ ସେ ତାଙ୍କୁ ବରଦେଲେ । 

ପୁନଶ୍ଚ ତୁଳସୀ ହେଉଛନ୍ତି ଭକ୍ତି – ପ୍ରୀତି – ଶାନ୍ତି – ମୈତ୍ରୀର ନିଦର୍ଶନ । 

ସେ ସକଳ ବାଞ୍ଛା ପୁରାଣ କରନ୍ତି ବୋଲି ବିଶ୍ୱାସ ।

ସେଥିପାଇଁ ଏହି ଦିନ ତୁଳସୀଙ୍କର ପୂଜା କରାଯାଏ ।

ତୁଳସୀଙ୍କୁ ପାଥେୟ କରି କୁମାରୀ କନ୍ୟାମାନେ ଯେଉଁ ଓଷା ଇନ୍ଦୁ ପୂର୍ଣ୍ଣିମା ଠାରୁ ଆଶ୍ୱିନ ପୂର୍ଣ୍ଣିମା ଯାଏଁ ପାଳନ କରନ୍ତି, ତାକୁ ଜହ୍ନି ଓଷା କହନ୍ତି । 

ଜହ୍ନି ଓଷା ଜହ୍ନି, ତା’ ଫୁଲ ଓ ଫଳକୁ ଆଧାର କରି ଚାନ୍ଦ ପୂଜା କରାଯାଏ । 

କୁମାର ପୂର୍ଣ୍ଣିମା ଜହ୍ନି ଓଷାର ଉଦ୍‌ଯାପନ ଦିବସ । 

ଏହିଦିନ ଏହି କୁମାରୀ କନ୍ୟାମାନେ ମଧ୍ୟ ଉଜାଗରରେ ନାଚ, ଗୀତ ଓ ଖେଳ ଇତ୍ୟାଦିରେ ଚମକାନ୍ତି ରାତି ଓ ଛାତି । 

ତାଙ୍କ କଣ୍ଠରେ ମଧୁର ସ୍ୱରରେ ଥାଏ :

‘ଜହ୍ନି, ଜହ୍ନି, ଜହ୍ନି ଆଞ୍ଜୁଳି

ନିତି ପକାଏ ତିନି ଆଞ୍ଜୁଳି

ଦୋଳିରେ ଯାଏ ଦୋଳିରେ ଆସେ

ପଟା ପିଢ଼ା ଖଣ୍ଡିମାଡ଼ି ବସେ,

ମୋ ବୋହୂ ମୋ କୋଳରେ ବସେ ।

ନାତୁଣୀ ବୋହୂ ଭାତ ପରଶେ,

ହାଣ୍ଡି ପୋଛା ଭାତ ଖାଏ,

ବଡ଼ ଘର ଝିଅ ବୋଲେଇ ଥାଏ ।’

ଜହ୍ନି ଫୁଲ ଠୋ ଠା

କାକୁଡ଼ି ଫୁଲ ଠୋ ଠା

ଗୁଣ୍ଡୁଚି ମୂଷା କହିଯାଇଛି

ଚାଉଳ ମୁଠେ ଥୋଇଥା ।

    

                ଧାର୍ମିକ ଦୃଷ୍ଟିକୋଣରୁ କୁମାର ପୂର୍ଣ୍ଣିମାର ବିଶେଷତ୍ୱ ନିଶ୍ଚିତ ଭାବରେ ଅଛି । ସେହିପରି ପଶ୍ଚିମ ଓଡ଼ିଶାରେ କୁମାର ପୂର୍ଣ୍ଣିମାର ପୂର୍ବଦିନ ଓ ପୂର୍ଣ୍ଣିମା ଦିନ ଗାଈ ମାନଙ୍କର ‘ବଏଲ ଯାତ୍ରା’ ଅନୁଷ୍ଠିତ ହୁଏ