କୋରାପୁଟରେ ବୈଷୟିକ ଶିକ୍ଷାର ନୂଆ ଅଧ୍ୟାୟ, ମାନ୍ୟବର ମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇଟି ଏମଓୟୁ ସ୍ବାକ୍ଷରିତ...
କୋରାପୁଟ ଜିଲ୍ଲାରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଜୟପୁର ଆମ୍ବାଗୁଡ଼ାସ୍ଥିତ ସରକାରୀ ପଲିଟେକନିକ ପରିସରରେ ଶନିବାର ୨୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ଓ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରୀ ନିବାସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ।
କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ କୋରାପୁଟ ବିଧାୟକ ରଘୁରାମ ମାଛ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ।
ଏଥିସହ ଆଧୁନିକ ଶିଳ୍ପ ଓ ପ୍ରଯୁକ୍ତିବିଦ୍ୟା ସହ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ଦୁଇଟି ପ୍ରମୁଖ ସଂସ୍ଥା ସହ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି।
ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ ଅନୁଷ୍ଠାନର ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ସହ ଆଲୋଚନା କରି ଶିକ୍ଷାଦାନ ବ୍ୟବସ୍ଥା, ଅନୁଷ୍ଠାନର ଅଗ୍ରଗତି ଓ ମୌଳିକ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ।
ଛାତ୍ରଛାତ୍ରୀଙ୍କ ଆବାସିକ ସୁବିଧାକୁ ସୁଦୃଢ଼ କରିବା ପାଇଁ ଅନୁଷ୍ଠାନ ପରିସରରେ ମୋଟ ୩୦୦ ଶଯ୍ୟାର ଦୁଇଟି ଛାତ୍ରାବାସ ନିର୍ମାଣ କରାଯାଉଛି।
ଏଥିରେ ୨୦୦ ଶଯ୍ୟା ବିଶିଷ୍ଟ ବାଳକ ଛାତ୍ରାବାସ ପାଇଁ ୯ କୋଟି ୧୭ ଲକ୍ଷ ଟଙ୍କା ଏବଂ ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରୀବାସ ପାଇଁ ୬ କୋଟି ୬୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ଏହି ଆବାସିକ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଶତାଧିକ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ସୁବିଧାଜନକ ଆବାସିକ ପରିବେଶ ମିଳିପାରିବ।
ବୈଷୟିକ ଶିକ୍ଷାକୁ ଶିଳ୍ପ ଆବଶ୍ୟକତା ସହ ସମନ୍ୱିତ କରିବା ପାଇଁ ସ୍କାଇ ସ୍କିଲ୍ ଏକାଡେମି ପ୍ରାଇଭେଟ୍ ଲିମିଟେଡ୍, ହାଇଦ୍ରାବାଦ ଏବଂ ଟେକ୍ କମ୍ୟୁନିକେସନ୍ କମ୍ପ୍ୟୁଟର ଏକାଡେମି ପ୍ରାଇଭେଟ୍ ଲିମିଟେଡ୍, ଭୁବନେଶ୍ୱର ସହ ଏମ୍ଓୟୁ ସ୍ୱାକ୍ଷର ହୋଇଛି।
ସ୍କାଇ ସ୍କିଲ୍ ଏକାଡେମି ପକ୍ଷରୁ ଇଭି ଓ ବ୍ୟାଟେରି ପ୍ରଯୁକ୍ତି, ଶିଳ୍ପ ପ୍ରଶିକ୍ଷଣ, ପାଠ୍ୟକ୍ରମ ପ୍ରସ୍ତୁତି ଓ ସ୍ୱଳ୍ପମିଆଦୀ ବୈଷୟିକ ପ୍ରଶିକ୍ଷଣ ଦିଆଯିବ।
ସେହିପରି ଟେକ୍ କମ୍ୟୁନିକେସନ୍ କମ୍ପ୍ୟୁଟର ଏକାଡେମି ପକ୍ଷରୁ ଏଆଇ, ରୋବୋଟିକ୍ସ, ଇଣ୍ଡଷ୍ଟ୍ରି ୪.୦, ଡିଜିଟାଲ୍ ପ୍ରଯୁକ୍ତି ଓ ସୂଚନା ପ୍ରଯୁକ୍ତି ପରିଚାଳିତ ସେବା କ୍ଷେତ୍ରରେ ବ୍ୟାବହାରିକ ପ୍ରଶିକ୍ଷଣ ଦିଆଯିବ।
ଫଳରେ ଛାତ୍ରଛାତ୍ରୀମାନେ ଶିଳ୍ପସଂସ୍ଥା ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହୋଇ ବ୍ୟାବହାରିକ ଅଭିଜ୍ଞତା, ଶିଳ୍ପ ପ୍ରଶିକ୍ଷଣ ଓ ନୂତନ ପ୍ରଯୁକ୍ତି ସମ୍ପର୍କିତ ଜ୍ଞାନ ହାସଲ କରିପାରିବେ। ଏହାଦ୍ୱାରା ଭବିଷ୍ୟତରେ ନିଯୁକ୍ତି ଓ ଦକ୍ଷତା ବିକାଶର ସୁଯୋଗ ମଧ୍ୟ ବୃଦ୍ଧି ପାଇବ।
କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବୈଷୟିକ ଶିକ୍ଷାକୁ ଆଧୁନିକ ଶିଳ୍ପ ଓ ପ୍ରଯୁକ୍ତି ସହ ଯୋଡ଼ିବା ଦିଗରେ ଏହି ପଦକ୍ଷେପ ବେଶ୍ ଗୁରୁତ୍ୱ ବହନ କରୁଛି।