ନିରପେକ୍ଷ ନିର୍ବାଚନ ପାଇଁ ଇସିଆଇଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ଆଗାମୀ ନିର୍ବାଚନ ପାଇଁ ମୋଟ ୨୧୫୦ ପର୍ଯ୍ୟବେକ୍ଷକ ମୁତୟନ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୯୦୦ ଜଣ ସାଧାରଣ ପର୍ଯ୍ୟବେକ୍ଷକ, ୪୫୦ ଜଣ ପୋଲିସ ପର୍ଯ୍ୟବେବେକ୍ଷକ ଏବଂ ୮୦୦ ବ୍ୟୟ ପର୍ଯ୍ୟବେକ୍ଷକ। ଏହି ବୈଠକରେ ପର୍ଯ୍ୟବେକ୍ଷକମାନଙ୍କୁ ସେମାନଙ୍କ ଆଚରଣରେ କଠୋର କିନ୍ତୁ ନମ୍ର ହେବାକୁ ନିର୍ଦ୍ଦେଶ ଦିଆଯାଇ ସମ୍ବେଦନଶୀଳ ଅଞ୍ଚଳରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବାକୁ ସିଇସି କହିଛନ୍ତି। ଏହି ପରିପ୍ରେକ୍ଷୀରେ ପର୍ଯ୍ୟବେକ୍ଷକଙ୍କ ଗାଡ଼ିରେ ଜିପିଏସ ଟ୍ରାକିଂ ଲଗାଇବାକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ସ୍ୱଚ୍ଛ ନିର୍ବାଚନ ଉପରେ ଗୁରୁତ୍ୱ ଦିଆଯାଇଛି। ଦିଲ୍ଲୀ ବିଜ୍ଞାନ ଭବନରେ ହାଇବ୍ରିଡ ମୋଡରେ ଅନୁଷ୍ଠିତ ଏକ ବୈଠକରେ ଏହି ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ଆୟୋଜିତ ଏହି ବୈଠକରେ ଆଇଏଏସ, ଆଇପିଏସ୍ ଅଧିକାରୀଙ୍କ ସମେତ ଭାରତୀୟ ରାଜସ୍ବ ସେବା ଏବଂ ଅନ୍ୟ କେତେକ କେନ୍ଦ୍ରୀୟ ସେବାର ଅଧିକାରୀମାନେ ଯୋଗ ଦେଇଥିଲେ। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ନିରପେକ୍ଷ ତଥା ଦୁର୍ନୀତିମୁକ୍ତ ନିର୍ବାଚନ ପାଇଁ ସମସ୍ତ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।