ପ୍ରମୁଖ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ କମାଇଲେ ସରକାର: ଉପଭୋକ୍ତାଙ୍କୁ ମିଳିବ ଆଶ୍ୱସ୍ତି...

Sep 24, 2026 - 18:13
 6
ପ୍ରମୁଖ ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ କମାଇଲେ ସରକାର: ଉପଭୋକ୍ତାଙ୍କୁ ମିଳିବ ଆଶ୍ୱସ୍ତି...

ଅଶୋଧିତ ସୂର୍ଯ୍ୟମୂଖୀ ତେଲ ଉପରେ ବିସିଡି ହେଲା ଶୂନ; ସୋୟାବିନ ଏବଂ ତାଳ ତେଳ ଉପରେ ୫%କୁ ଖସିଲା ଶୁଳ୍କ

ଘରୋଇ ବିଶୋଧନକୁ ପ୍ରୋତ୍ସାହନ ଦେବା ଲାଗି ଅଶୋଧିତ ଏବଂ ରିଫାଇନ୍‌ ଖାଇବା ତେଲ ମଧ୍ୟରେ ଆମଦାନୀ ଶୁଳ୍କ ବ୍ୟବଧାନକୁ ୧୯.୨୫ ପ୍ରତିଶତ ମଧ୍ୟରେ ସ୍ଥିର ରଖାଯାଇଛି

କେନ୍ଦ୍ର ସରକାର ଆମଦାନୀ ହେଉଥିବା ପ୍ରମୁଖ ଖାଇବା ତେଲ ଉପରେ ମୂଳ ସୀମା ଶୁଳ୍କ (ବିସିଡି) ହ୍ରାସ କରିଛନ୍ତି । 

ଘରୋଇ ଖାଇବା ତେଳ ଦର ନିୟନ୍ତ୍ରଣ କରିବା, ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେବା ଏବଂ ଅନ୍ତର୍ଜାତୀୟ ସ୍ତରରେ ଖାଇବା ତେଲ ଦରରେ ଦ୍ରୁତ ବୃଦ୍ଧି କାରଣରୁ ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତି ଚାପକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଉଛି ।

ଅଶୋଧିତ ତେଲ ସୂର୍ଯ୍ୟମୁଖି ତେଲ ଉପରେ ମୂଳ ସୀମା ଶୁଳ୍କ (ବିସିଡି)କୁ ୧୦ ପ୍ରତିଶତରୁ କମାଇ ଶୂନ କରି ଦିଆଯାଇଛି । 

ଅନ୍ୟପଟେ ସୋୟାବିନ୍‌ ତେଲ ଏବଂ ଅଶୋଧିତ ପାମ୍‌ ତେଲ୍‌ ଉପରେ ବିସିଡିକୁ ୧୦ ପ୍ରତିଶତରୁ କମାଇ ୪% କରାଯାଇଛି। ଏଥିସହିତ ସରକାର ସମ୍ପୃକ୍ତ ରିଫାଇନ୍‌ ଖାଇବା ତେଲ ଉପରେ ଲାଗୁ ବିସିଡିକୁ ମଧ୍ୟ ହ୍ରାସ କରିଛନ୍ତି । 

ଅଶୋଧିତ ଏବଂ ବିଶୋଧନ ବା ରିଫାଇନ୍‌ ହୋଇଥିବା ଖାଇବା ତେଲ ମଧ୍ୟରେ ଆମଦାନୀ ଶୁଳ୍କ ବ୍ୟବଧାନ ୧୯.୨୫ ପ୍ରତିଶତ ମଧ୍ୟରେ ବଜାୟ ରଖାଯାଇଛି ।

ଅନ୍ତର୍ଜାତୀୟ ସ୍ତରରେ ଖାଇବା ତେଲ ଦର ବୃଦ୍ଧି, ଘରୋଇ ବଜାରରେ ଖର୍ଚ୍ଚ ଓ ଖୁଚୁରା ଦର ବୃଦ୍ଧିକୁ ଆଖି ଆଗରେ ରଖି ଆମଦାନୀ ଶୁଳ୍କକୁ ଯୁକ୍ତିସଂଗତ କରାଯାଇଛି । 

ଆମଦାନୀ ଶୁଳ୍କ ଭାରତକୁ ଆମଦାନୀ ହେଉଥିବା ଖାଇବା ତେଲ ଖର୍ଚ୍ଚରେ ଏକ ମହତ୍ୱପୂର୍ଣ୍ଣ ଉପାଦାନ ହୋଇଥିବାରୁ ଏହାର ପ୍ରଭାବ ଘରୋଇ ବଜାର ଦର ଉପରେ ପଡ଼ିଥାଏ ।

ଅଶୋଧିତ ତେଲ ଉପରେ ବିସିଡି ହ୍ରାସ ପାଇବା ଯୋଗୁ ଘରୋଇ ବଜାରରେ ଖର୍ଚ୍ଚ କମ ହେବ ଏବଂ ଘରୋଇ ଯୋଗାଣ ଶୃଙ୍ଖଳ ମାଧ୍ୟମରେ ଉପଭୋକ୍ତାଙ୍କ ପାଖରେ ଏହାର ଲାଭ ପହଞ୍ଚିବ । ଏହାଦ୍ୱାରା ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିବ ଏବଂ ଖାଇବା ତେଲ ତଥା ସାମଗ୍ରିକ ମୁଦ୍ରାସ୍ଫୀତି ଚାପ ନିୟନ୍ତ୍ରଣ ହୋଇପାରିବ ।

ସରକାର ଘରୋଇ ବିଶୋଧନ କ୍ଷମତାକୁ ଉପଯୋଗ କରିବା ଏବଂ ରିଫାଇନ୍‌ ତେଲର ଅତ୍ୟଧିକ ଆମଦାନୀକୁ କମାଇବା ପାଇଁ ଅଶୋଧିତ ଏବଂ ବିଶୋଧିତ ଖାଇବା ତେଲ ମଧ୍ୟରେ ଶୁଳ୍କ ବ୍ୟବଧାନକୁ ୧୯% ମଧ୍ୟରେ ବଜାୟ ରଖିଛନ୍ତି । ଏହି ଉପାୟ ଦ୍ୱାରା ଘରୋଇ ବିଶୋଧନକାରୀଙ୍କ ପାଇଁ ଅଧିକ ସମାନ ସୁଯୋଗ ଉପଲବ୍ଧ ହେବ ।

ଆମଦାନୀ ଶୁଳ୍କ ହ୍ରାସ କାରଣରୁ ମିଳିବାକୁ ଥିବା ଲାଭ ସମ୍ପୂର୍ଣ୍ଣ ଭାବେ ଉପଭୋକ୍ତାଙ୍କ ପାଖରେ ପହଞ୍ଚାଇବା ଲାଗି ସରକାର ଖାଇବା ତେଲ ସଂଘ ଏବଂ ଉଦ୍ୟୋଗ ଅଂଶୀଦାରଙ୍କୁ ପରାମର୍ଶ ଦେଇଛନ୍ତି ।

ବିତରକ ମୂଲ୍ୟ (ପିଟିଡି) ଏବଂ ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି)ରେ ତତ୍କାଳ ସଂଶୋଧନ ଲାଗି ମଧ୍ୟ ସରକାର ଉଦ୍ୟୋଗ ଅଂଶୀଦାରଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ତର୍ଜାତୀୟ ଖାଇବା ତେଲ ବଜାର ଏବଂ ଘରୋଇ ଦର ଉପରେ ସରକାର ନିରନ୍ତର ନଜର ରଖିଛନ୍ତି । 

ଉପଭୋକ୍ତାଙ୍କ ହିତ ରକ୍ଷା, ଚାଷୀ ଓ ଘରୋଇ ଖାଇବା ତେଲ ଉଦ୍ୟୋଗ ପାଇଁ ସନ୍ତୁଳିତ ନୀତିଗତ ପରିବେଶ ବଜାୟ ରଖିବା ସହିତ ସରକାର ଆବଶ୍ୟକତା ଅନୁସାରେ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ସୂଚନା ଦେଇଛି ।