ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତ କୁରୁଡ଼ିହା ପଞ୍ଚାୟତ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସ୍ଥିତି ଅନୁଧ୍ୟାନ ସହ ତୁରନ୍ତ ସହାୟତା ପାଇଁ ନିର୍ଦ୍ଦେଶ

Aug 5, 2026 - 21:08
 3
ବାଲେଶ୍ୱର ଜିଲ୍ଲାର ବନ୍ୟା ପ୍ରଭାବିତ କୁରୁଡ଼ିହା ପଞ୍ଚାୟତ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବାଲେଶ୍ୱର | ଭୁବନେଶ୍ବର: ବାଲେଶ୍ୱର ସଦର ବ୍ଲକ୍‌ ଅନ୍ତର୍ଗତ କୁରୁଡ଼ିହା ଗ୍ରାମ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା।

ବନ୍ୟା ପରିସ୍ଥିତିର ପ୍ରତ୍ୟକ୍ଷ ସମୀକ୍ଷା କରିବା ସହ ବିପନ୍ନଙ୍କ ପାଖରେ ତୁରନ୍ତ ସହାୟତା ପହଞ୍ଚାଇବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି।

ପରିଦର୍ଶନ ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାବିତ ଲୋକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା, ସ୍ୱାସ୍ଥ୍ୟବସ୍ଥା ଓ ଆବଶ୍ୟକତା ବାବଦରେ ପଚାରି ବୁଝିଥିଲେ। ବନ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଭରଣା ଏବଂ ନିତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସେ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି।

ଏହାସହ ପ୍ରଶାସନିକ ଅଧିକାରୀମାନଙ୍କୁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ ସାମଗ୍ରୀ, ବିଶୁଦ୍ଧ ପାନୀୟ ଜଳ, ଓ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ କୌଣସି ବିପନ୍ନ ଯେପରି ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ସଜାଗ ରହିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।