ମହାନଦୀ ବଞ୍ଚାଅ ଆନ୍ଦୋଳନର କେନ୍ଦ୍ରୀୟ ଜଳ ଆୟୋଗ ଅଫିସ ସମ୍ମୁଖରେ ବିକ୍ଷୋଭ...
ଭୁବନେଶ୍ୱର, ମହାନଦୀ ଜଳ ବିବାଦର ଆପୋଷ ସମାଧାନ କେନ୍ଦ୍ରୀୟ ଜଳ ଆୟୋଗର ପ୍ରଦତ୍ତ ତଥ୍ୟ ଆଧାରରେ ହେବ ବୋଲି ଘୋଷଣା ହୋଇଛି l
ଏପର୍ଯ୍ୟନ୍ତ ସମାଧାନର ଆଧାର ଓ ତଥ୍ୟ ସାର୍ବଜନୀନ ହୋଇନି ତେଣୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି ଭୁବନେଶ୍ୱରର କେନ୍ଦ୍ରୀୟ ଜଳ ଆୟୋଗ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ବିକ୍ଷୋଭ କରାଯାଇଛି l ଆବାହକ ସୁଦର୍ଶନ ଦାସଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ, ନାଗରିକ ସମାଜର ସଦସ୍ୟ ଓ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
କେନ୍ଦ୍ରୀୟ ଜଳ ଆୟୋଗର ସମ୍ପୂର୍ଣ ରିପୋର୍ଟ ଓ ତଥ୍ୟ କୁ ସାର୍ବଜନୀନ, ଅଣମୌସୁମୀରେ ଓଡିଶାକୁ ସର୍ବନିମ୍ନ ଦୁଇ ମିଲିଆନ ଏକର ଫୁଟ ପାଣି ପ୍ରଦାନ ଓ ଛତିଶଗଡ ଦ୍ୱାରା ବେଆଇନ ନିର୍ମିତ ସବୁ ପ୍ରକଳ୍ପର ସାମଗ୍ରିକ ପ୍ରଭାବ ଆକଳନ ଆଦି ତିନୋଟି ପ୍ରମୁଖ ଦାବୀ ଉପରେ ଆଜି ବିକ୍ଷୋଭ ଆୟୋଜିତ ହୋଇଥିଲା l
ବିଶ୍ୱସ୍ତ ସୂତ୍ରରୁ ଜଣାପଡିଥିବା ମହାନଦୀ ଜଳ ବଣ୍ଟନ ନେଇ କେନ୍ଦ୍ରୀୟ ଜଳ ଆୟୋଗର ତଥ୍ୟ ଓ ପ୍ରସ୍ତାବିତ ଢାଞ୍ଚା ଅନ୍ତରଘାତି ଓ ମହାନଦୀ ବିରୁଦ୍ଧରେ ଘୋର ଷଡଯନ୍ତ୍ର ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ଅଭିଯୋଗ କରି ଆସୁଛି l
ମୁଖ୍ୟଯନ୍ତ୍ରୀ ଶ୍ରୀ ନାଗ ମୋହନଙ୍କୁ ଭେଟି ଆବାହକ ସୁଦର୍ଶନ ଦାସ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ମୁଖପାତ୍ର ପ୍ରସନ୍ନ ବିଷୋୟୀ,କଂଗ୍ରେସ ଉପସଭାପତି ଶିବାନନ୍ଦ ରାୟ, ସିପିଏମ ପ୍ରଦୀପ୍ତ ନାୟକ, ଆମ ଆଦମୀ ପାର୍ଟିର ସନ୍ଦୀପ୍ତ ଦାସ,ଚିଲକା ବଞ୍ଚାଅ ଆନ୍ଦୋଳନର ପରେଶ ଜାଲି,ସାମ୍ବାଦିକ ଗିରିଜା ଦାସ, ପ୍ରଭାସିନୀ ରାଉତ, ମଳୟ ମହାପାତ୍ର, ଆଦି ପ୍ରତିନିଧି ମଣ୍ଡଳୀ ସ୍ମାରକପତ୍ର ପ୍ରଦାନ ସହ ଆଲୋଚନା କରିଥିଲେ l
ଆଲୋଚନା ବେଳେ କେନ୍ଦ୍ରୀୟ ଜଳ ଆୟୋଗର ସମ୍ପୂର୍ଣ୍ଣ ବୈଷୟିକ ରିପୋର୍ଟ, ଜଳବୈଜ୍ଞାନିକ ତଥ୍ୟ, ହିସାବ ଓ ଆବଣ୍ଟନ ପଦ୍ଧତି ତୁରନ୍ତ ସାର୍ବଜନୀନ କରିବାକୁ ଦାବି କରାଯାଇଥିଲା। ମୁଖ୍ୟଯନ୍ତ୍ରୀ ସ୍ମାରକପାତ୍ର କୁ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟକୁ ତୁରନ୍ତ ଜଣାଇବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ l
ପୂର୍ବରୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏକ ରାଉଣ୍ଡ ଟେବୁଲ ବୈଠକରେ ମହାନଦୀ ଜଳ ପ୍ରବାହ ଜନିତ ସମସ୍ତ ତଥ୍ୟ ପ୍ରକାଶ ଓ ସ୍ୱାଧୀନ ବୈଷୟିକ ଯାଞ୍ଚ ବିନା କୌଣସି ଜଳ ବଣ୍ଟନ ଚୁକ୍ତି ଚୂଡ଼ାନ୍ତ ନକରିବାକୁ ସର୍ବସମ୍ମତ ନିଷ୍ପତି ହୋଇଥିଲା।
ମହାନଦୀ ଆପୋଷ ସମାଧାନ ଓ ଟ୍ରିବ୍ୟୁନାଲର ଚୂଡ଼ାନ୍ତ ରାୟ ଯଦି ଓଡ଼ିଶା ଓ ମହାନଦୀର ନିରନ୍ତର ପ୍ରବାହ ଏବଂ ସୁରକ୍ଷା ଅବବାହିକାର ସଠିକ ସ୍ୱାର୍ଥ ରକ୍ଷା ନକରେ ତେବେ ମହାନଦୀ ବଞ୍ଚାଅ ଆନ୍ଦୋଳନ ସୁପ୍ରିମକୋର୍ଟରେ ଆଇନଗତ ଲଢେଇ କରିବ l
ଅଣମୌସୁମୀ ସମୟରେ ମହାନଦୀରେ ଜଳ ପ୍ରବାହ ହ୍ରାସ ଫଳରେ କୃଷକ, ମତ୍ସ୍ୟଜୀବୀଙ୍କ ଗୁରୁତର ମାନବାଧିକାର କ୍ଷୁର୍ଣ ଉପରେ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ହେବ l
ମହାନଦୀ ପ୍ରସଙ୍ଗକୁ କେବଳ ସରକାରୀ ଓ ଆଇନଗତ ସ୍ତରରେ ସୀମିତ ନରଖି ଅବବାହିକାର ସବୁ ନାଗରିକଙ୍କୁ ସାମିଲ କରି ଏକ ବ୍ୟାପକ ଜନଆନ୍ଦୋଳନ ଗଢ଼ି ତୋଳାଯିବ।
ତଥ୍ୟକୁ ଲୁଚାଇ କିମ୍ବା ବନ୍ଦ କୋଠରୀର ନିଷ୍ପତ୍ତି ଆଧାରରେ ମହାନଦୀର ଭବିଷ୍ୟତ ନିର୍ଦ୍ଧାରଣ ହୋଇପାରିବ ନାହିଁ ବୋଲି ଆଜି ବିକ୍ଷୋଭରେ ଯୋଗ ଦେଇ ନେତୃତ୍ୱ ମାନେ ମତବ୍ୟକ୍ତ କରିଥିଲେ l
ବିକ୍ଷୋଭ ରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଫରୱାର୍ଡ଼ ବ୍ଲକ ସମ୍ପଦକ ଜ୍ୟୋତି ରଞ୍ଜନ ମହାପାତ୍ର,ଇଂ ଲଳିତ ମୋହନ ପଟ୍ଟନାୟକ,ବିଜେଡି ନେତା ଦୁର୍ଗା ସାମନ୍ତରାୟ , ପୂର୍ବତନ କଂଗ୍ରେସ ସାଂସଦ ଜଗନ୍ନାଥ ପଟ୍ଟନାୟକ, ହୁମାନ ରାଇଟ୍ସ ଫ୍ରଣ୍ଟ ଅଧକ୍ଷ ମନୋଜ ଜେନା, ବିଜୟ ପ୍ରଧାନ, ଅରୁଣ ଜେନା, ଅଜୟ ସେଠୀ, ଅଶୋକ ପାଇକରାୟ,ରାଜ କିଶୋର ପରିଡା,ପୃଥ୍ଵୀରାଜ ଜେନା, ପୃଥ୍ଵୀରାଜ ସାହୁ,ମନୋଜ ବାରିକ,ଅଶୋକ ସାହୁ,ଗନ୍ଧର୍ବ ଭୋଳ, ଚିନ୍ମୟ ପଣ୍ଡାଙ୍କ ସମେତ ଅନେକ ନଦୀ ଅଧିକାର କର୍ମୀ ଯୋଗ ଦେଇଥିଲେ l