ବିଧାନସଭା ବଜେଟ ଅଧିବେଶନ ପାଇଁ ହୋଇପାରେ ହଟ ଚମଟ !

Feb 13, 2026 - 12:19
 14
ବିଧାନସଭା ବଜେଟ ଅଧିବେଶନ ପାଇଁ ହୋଇପାରେ ହଟ ଚମଟ !

ବିଧାନସଭା ବଜେଟ ଅଧିବେଶନ ପାଇଁ ହୋଇପାରେ ହଟ ଚମଟ ! 

୧୬ରେ ସର୍ବଦଳୀୟ ବୈଠକ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ଚୂଡାନ୍ତ ରଣନୀତି

ଧାନ ମଣ୍ଡି, ମହାନଦୀ ଜଳ, ମୋଟରଯାନ ପ୍ରଦୂଷଣ ପ୍ରମାଣପତ୍ର (ପିୟୁସିସି), ଆଇନଶୃଙ୍ଖଳା ଓ ଏସଆଇଆର୍ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ.. ପ୍ରସ୍ତୁତକରି ରଖିଲେଣି ବିରୋଧୀ ଦଳ

ବିଧାନସଭାର ଆଗାମୀ ବଜେଟ ଅଧିବେଶନକୁ ନେଇ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ବିରୋଧୀ ଦଳ ଓ ଶାସକ ଦଳ ।

ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ ଆସନ୍ତା ୧୭ରୁ । ବିଧାନସଭାର ଏ ଅଧିବେଶନ ପୂର୍ବରୁ ରାଜ୍ୟ ରାଜନୀତି ପାଣିପାଗରେ ଅନେକ ହଟ ଚମଟ ପ୍ରବେଶ କରିସାରିଛି । 

ଗଲା କିଛିଦିନ ଭିତରେ ବିଜେଡିର ଅନେକ ତୃଣମୂଳ ସ୍ତର ନେତାଙ୍କୁ ବିଜେପି ନିଜ ଶିବିରକୁ ନେଇ ସାରିଛି । 

ବିଜେଡି ମଧ୍ୟ ସରକାର ବିରୋଧରେ ଲଗାତାର ଆକ୍ରମଣାତ୍ମକ ବୟାନବାଜି ଜାରି ରଖିଛି । କଂଗ୍ରେସ ମଧ୍ୟ ବଳ ବଢ଼ାଇବାକୁ ଲାଗି ପଡ଼ିଛି । 

ସବୁ ଦଳର କିଛି ନା କିଛି ଦଳ ବଦଳ କରି ସାରିଲେଣି( ଡିଆଁ ଡେଇଁ) 

ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ସୁରମା ପାଢୀ । 

ଏଥିପାଇଁ ଆସନ୍ତା ୧୬ ତାରିଖ ଦିନ ସାଢେ ୧୧ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ।

କେନ୍ଦ୍ର ବଜେଟ ଓ ରାଜ୍ୟ ବଜେଟରୁ ଦୋଷ ଦୁର୍ବଳତା କାଢ଼ି ସରକାରଙ୍କୁ ଘେରିବେ ବିରୋଧୀ ଦଳ । 

ମହାନଦୀକୁ ପ୍ରମୁଖ ପ୍ରସଙ୍ଗ କରିବାକୁ ବିଜେଡି ବିଧାନସଭା ପୂର୍ବରୁ ହିଁ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛି । 

ବିଜେଡିର ବରିଷ୍ଠ ବିଧାୟକ ଡ. ଅରୁଣ କୁମାର ସାହୁ କହିଛନ୍ତି, ସରକାରଙ୍କୁ ଘେରିବା ପାଇଁ ଅନେକ ପ୍ରସଙ୍ଗ ରହିଛି । 

ଧାନ ମଣ୍ଡିରେ ଚାଷୀ ନିର୍ଯାତିତ ହେଉଛି । କଟନ ଛଟନୀ ନାଁରେ ଚାଷୀଙ୍କୁ ଶୋଷଣ କରାଯାଉଛି । 

ସେପଟେ ମହାନଦୀ ପ୍ରସଙ୍ଗ ନେଇ ସରକାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ ରହିଛି । 

କୋଟିଆ, ପୋଲାଭରମ ଏଥର ବି ପ୍ରସଙ୍ଗ ହେବ । 

ରାଜ୍ୟରେ ଆଇନଶୃଙ୍ଖଳା ବଡ଼ ସମସ୍ୟା ହୋଇଛି । 

୪ ମାସ ହେବ ଲୋକଙ୍କୁ ଭତ୍ତା ମିଳୁନି । ଗାଁ ଗାଁରେ ବିକାଶ କାମ ବନ୍ଦ ପଡ଼ିଛି । 

ମୋଟରଯାନ ପ୍ରଦୂଷର ପ୍ରମାଣପତ୍ର (ପିୟୁସିସି) ଯନ୍ତ୍ରଣା ବି ଉପସ୍ଥାପନ କରାଯିବ । 

ଏ ସବୁ ପ୍ରସଙ୍ଗ ଉଥାପନ କରି ବିଜେଡି ଦଳ ସରକାରଙ୍କୁ ହରଡ଼ ଘଣାରେ ପକେଇ ପାରେ |

କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି, ଚାଷୀ ସମସ୍ୟା ପ୍ରମୁଖ ପ୍ରସଙ୍ଗ । ମଣ୍ଡି ସମସ୍ୟା ନେଇ କଂଗ୍ରେସ ସ୍ୱର ଉଠାଇବ । 

ଏହାବାଦ ମନରେଗା ବନ୍ଦ ହେବା ନେଇ କଂଗ୍ରେସ ଦୃଢ଼ ସ୍ୱର ଉପସ୍ଥାପନ କରିବ । ନାରୀ ନିର୍ଯାତନା ବୃଦ୍ଧି ଉଦବେଗର ବିଷୟର ହୋଇଛି । ଆଇନଶୃଙ୍ଖଳା ଓ ବିଜୁଳି ସମସ୍ୟା ମଧ୍ୟ ପ୍ରମୁଖ ପ୍ରସଙ୍ଗ ରହିଛି । 

ଆସନ୍ତା ୧୬ ତାରିଖରେ କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାନସଭା ନେଇ ରଣନୀତି ଚୂଡ଼ାନ୍ତ କରିବ ।

ବିରୋଧୀ ଦଳକୁ ମୁକାବିଲା କରିବାକୁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି । 

ଡବଲ୍ ଇଞ୍ଜିନ ସରକାରରେ ଓଡ଼ିଶାକୁ ମିଳୁଥିବା ଫାଇଦା ଦେଖାଇବ ଶାସକ ଦଳ । 

ଖାଲି ସେତିକି ନୁହେଁ, ମୋଦିଙ୍କ କେନ୍ଦ୍ର ବଜେଟ ଓ ମୋହନ ସରକାରଙ୍କ ରାଜ୍ୟ ବଜେଟରେ ରାଜ୍ୟବାସୀ କିଭଳି ଉପକୃତ ହେବେ, ତା’ର ସଫଳତା ବଖାଣିବେ ସରକାର |

ରେଳ ବଜେଟରୁ ଓଡ଼ିଶାକୁ ମିଳୁଥିବା ପ୍ୟାକେଜ ଓ ପ୍ରକଳ୍ପର ଦସ୍ତାବିଜ ମଧ୍ୟ ଥୋଇବେ । 

ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ କହିଛନ୍ତି, ବିରୋଧୀ ଦଳ ବିରୋଧ କରିବେ, ଅନେକ ପ୍ରସଙ୍ଗ ଉଠାଇବେ । ହେଲେ ବିରୋଧୀ ଦଳର ସବୁ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି । 

ଧାନ ବାବଦରେ ଅଧିକ ମୂଲ୍ୟ ମିଳୁଥିବାରୁ ରାଜ୍ୟରେ ଧାନ ଚାଷୀଙ୍କ ଭିତରେ ଆଗ୍ରହ ବଢ଼ିଯାଇଛି । ଚାଷୀଙ୍କ ଆୟ ବଢ଼ିଛି 

ଅପରାଧ ବିରୋଧରେ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି ।

ଯାହା ବି ପ୍ରସଙ୍ଗ ଆସିବ, ତା’ର ଠିକଣା ଜବାବ ଦିଆଯିବ । ଏଭଳି ଟକରା ଟକରି ଭିତରେ ବିଧାନସଭାରେ ଏଥର କିଛି ନୂଆ ସ୍ଥିତି ଦେଖିବାକୁ ମିଳିପାରେ ।

ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ଭୂମିକା କ’ଣ ରହିବ ତାହାର ବି ପ୍ରାସଙ୍ଗିକତା ରହିଛି.. 

ନିଲମ୍ବିତ ବିଧାୟକ କାହା ସହ ସ୍ୱର ମିଶାଇବେ ଓ କାହାକୁ ଟାର୍ଗେଟ କରିବେ, ତାହା ଉପରେ ସାରା ରାଜ୍ୟର ନଜର ରହିବ । 

ସେହିପରି କଂଗ୍ରେସ ରାଜ୍ୟ ନେତୃତ୍ୱ ଓ କିଛି ବିଧାୟକଙ୍କ ଭିତରେ ବିବାଦ ଲାଗି ରହିଥିବା ଚର୍ଚ୍ଚାର ପ୍ରଭାବ ବିଧାନସଭାରେ ଦେଖିବାକୁ ମିଳି ପାରେ ବୋଲି ଆଶା କରାଯାଉଛି

ଏମିତି ଅନେକ ଦ୍ଵନ୍ଦାତ୍ମକ ପ୍ରସଙ୍ଗ ସରକାରଙ୍କୁ ଅଧିବେଶନ ଚଳେଇବାରେ ଦିଗହରା କରିପାରେ...