'ବୋଲ ବମ' ଯାତ୍ରାର ଇତିବୃତ୍ତି I

Jul 27, 2025 - 15:23
 16
'ବୋଲ ବମ' ଯାତ୍ରାର  ଇତିବୃତ୍ତି I

ପୁରାଣ ବର୍ଣିତ ବୋଲ୍ ବମ୍ ଯାତ୍ରା !!!
ମହାବଳୀ ଭୀମ ଓ ଅର୍ଜୁନ ଦୁହେଁ ମହାଭାରତର ପ୍ରଖ୍ୟାତ ଯୋଦ୍ଧା l ଭୀମ ମହାନ ଗଦାଧର ଭାବେ  ଓ ଅର୍ଜୁନ ମହାନ୍ ଧନୁର୍ଦ୍ଧର ଭାବେ ଖ୍ୟାତ l ଦୁହେଁ ଥିଲେ ଭଗବାନ ଶଙ୍କରଙ୍କର ପରମଭକ୍ତ l ଅର୍ଜୁନ ମହାଦେବଙ୍କୁ ତୁଷ୍ଟକରି ପାଶୁପତ ଅସ୍ତ୍ର ଲାଭ କରି ଥିଲେ l ଭୀମ ମଧ୍ୟ ନିଷ୍ଠାର ସହ ଭଗବାନ୍ ଶିବଙ୍କ ପୁଜା କରୁଥଲେ l ଭୀମ ଓ ଅର୍ଜୁନଙ୍କ ପୁଜାପଦ୍ଧତି କିନ୍ତୁ ଥିଲା ଭିନ୍ନ l ଅର୍ଜୁନ ବୈଦିକ କର୍ମକାଣ୍ଡ ଲୋକାଚାର ପଦ୍ଧତିରେ ଶଙ୍କରଙ୍କ ପୂଜା କରୁଥିଲା ବେଳେ, ଭୀମ ପ୍ରତିଦିନ କେବଳ ମାତ୍ର କିଛି ସମୟ ଧ୍ୟାନସ୍ଥ ରହି ମହାଦେବଙ୍କ ମାନସିକ ପୂଜା କରୁଥିଲେ l ଭୀମଙ୍କର ଏଭଳି ସରଳ ପୂଜା କେହି ଜାଣି ପାରୁ ନଥିଲେ l ସେ ମହାଦେବଙ୍କର ଜଣେ ବଡ଼ଭକ୍ତ ବୋଲି ମଧ୍ୟ କେହି ଜାଣି ନଥାନ୍ତି l
କିନ୍ତୁ ଏହା ଶ୍ରୀକୃଷ୍ଣ ଜାଣିଥିଲେ l 
ଶ୍ରୀକୃଷ୍ଣ ତ ପ୍ରିୟ ସଖା ଅର୍ଜୁନଙ୍କ ମତି ଗତିକୁ ପ୍ରତି ମୁହୂର୍ତ୍ତରେ ପରଖିଥାନ୍ତି l ପ୍ରଭୁ ଦିନେ ଲକ୍ଷ୍ୟ କଲେ ଶିବଙ୍କ ପୂଜା ଉପାସନା ନେଇ, ଅର୍ଜୁନଙ୍କ ମନରେ ଟିକିଏ ଅହଂଭାବ ଉଙ୍କିମାରୁଛି l ମନେ ମନେ ସେ ଭାବନ୍ତି, ଭାଇ ଭୀମ, ବୟସରେ ମୋ ଠାରୁ ବଡ଼, ଗଦାଯୁଦ୍ଧରେ ପ୍ରବୀଣ ମଧ୍ୟ l ମାତ୍ର ପୂଜା ପାଠରେ ମୁଁ ହିଁ ଅଗ୍ରଣୀ l ଶ୍ରୀକୃଷ୍ଣ ଅର୍ଜୁନଙ୍କ ଏହି ଅହଙ୍କାର ମନ ମଧ୍ୟରେ ରଖିଥାନ୍ତି l
ଦିନେ ସେ ଅର୍ଜୁନଙ୍କୁ କହିଲେ,ସଖେ ! କୈଳାଶକୁ ଯାଇଚାଲ ଭଗବାନ୍ ଶିବଙ୍କ ଦର୍ଶନ କରିଆସିବା l ସଖାଙ୍କ କଥା ଶୁଣି ଅର୍ଜୁନ ଅତି ଆନନ୍ଦରେ ସଙ୍ଗେ ସଙ୍ଗେ ବାହାରି ପଡ଼ିଲେ ଏବଂ କିଛି ସମୟ ଯାତ୍ରା ପରେ ଦୁହେଁ ଯାଇ ଶିବପୁରୀ କୈଳାଶରେ ପହଞ୍ଚି ଗଲେ l କୈଳାଶରେ ପହଞ୍ଚି ଅର୍ଜୁନ ଭକ୍ତିଗଦଗଦ ହୋଇ ଶିବ ଲିଙ୍ଗରେ ଲକ୍ଷେ ସ୍ଵର୍ଣ୍ଣଚମ୍ପା ଓ ଲକ୍ଷେ ବେଲପତ୍ର ଚଢ଼ାଇଲେ l ପୁଣି ଲକ୍ଷେକୁମ୍ଭ ଜାହ୍ନବୀ ଜଳରେ ଶିବ ଲିଙ୍ଗଙ୍କୁ ଜଳଶାୟୀ କଲେ l 
ବାକିରହିଲା ଶିବଙ୍କ ଦର୍ଶନ l କୃଷ୍ଣ କହିଲେ, ସଖା ଚାଲ ପାଖରେ ରମଣୀୟ ମାନସରୋବର ରହିଛି ଟିକିଏ ଦର୍ଶନ କରି ଆସିବା l ସରୋବରର ହଂସ କାରଣ୍ଡବ କୁଜିତ ସ୍ୱଚ୍ଛ ଜଳରେ ଟିକିଏ ସ୍ନାନ କରି ମନ ପ୍ରଫୁଲ୍ଲିତ କରିବା l 
ଉଭୟ ମାନସରୋବର ଦିଗରେ ଅଗ୍ରସର ହେଉ ଥାନ୍ତି ହଠାତ୍ ଦେଖିଲେ ପର୍ବତାକାରର ସ୍ବର୍ଣ୍ଣଚମ୍ପା ଶଗଡ଼ରେ ଲଦା ହୋଇ ଆସୁଛି l ପୁଣି ଆଉ କିଛି ଶଗଡ଼ରେ ପର୍ବତାକାର ବେଲପତ୍ର ଲଦା ହୋଇଛି ଓ ଆଉ କେତେକ ଶଗଡ଼ରେ ଅସଂଖ୍ୟ କୁମ୍ଭ ଭର୍ତ୍ତି ଗଙ୍ଗାଜଳ ଲଦା ହୋଇଛି l ଏହା ଦେଖି ଅର୍ଜୁନଙ୍କ ବିସ୍ମୟର ସୀମା ରହିଲାନାହିଁ l ଆଶ୍ଚର୍ଯ୍ୟ ଅଭିଭୂତ ହୋଇ ସେ ଭାବୁ ଥାନ୍ତି,ଏସବୁ ଯାଉଛି କୁଆଡ଼େ l ପୁଣି ଏହାକୁ କିଏ ପଠାଉଛି l 
ଏମିତି ଚିନ୍ତା କରି ସେ ଶଗଡ଼ିଆ ମାନଙ୍କୁ ଏକଥା ପଚାରିଲେ l ଶଗଡ଼ିଆ କହିଲେ,ବାଟ ଛାଡ଼ ହୋ, ତୁମ ପ୍ରଶ୍ନର ଉତ୍ତର ଦେବାକୁ ଆମ ପାଖରେ ବେଳ ନାହିଁ l ରାତି ପାହିଲେ, ଲକ୍ଷେଚମ୍ପା, ଲକ୍ଷେ ବେଲ ପତ୍ର, ଲକ୍ଷେ କୁମ୍ଭ ଗଙ୍ଗାଜଳ, ମହାଦେବଙ୍କୁ ଲାଗି ହେବ l ଏବେ ପରା, ଭଗବାନ୍ ଶଙ୍କରଙ୍କ ଶ୍ରାବଣ ଅଭିଷେକ ଚାଲିଛି l ଏ କଥା କଅଣ ତୁମକୁ ଜଣା ନାହିଁ l ସେଥି ପାଇଁ ଆମେ ନ ଖାଇ ନ ପିଇ ଲାଗି ପଡ଼ିଛୁ l ଅର୍ଜୁନ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ l ସେ ପୁଣି ନମ୍ର ହୋଇ ପଚାରିଲେ,"ଭାଇ ତେବେ ମୋତେ ଖାଲି ଟିକିଏ ବତାଇଦିଅ କେଉଁ ମହାତ୍ମା ଏ ସବୁର ଆୟୋଜନ କରିଛନ୍ତି l ବିରକ୍ତ ହୋଇ ଶଗଡ଼ିଆ ମାନେ କହିଲେ,ଆହେ ତୁମେ ଜାଣିନାହଁ, ପ୍ରତିଦିନ ପା ମହାବଳୀ ଭୀମ, ମହାଦେବଙ୍କ ପାଇଁ ଏଭଳି ପୂଜା ସାମଗ୍ରୀ ପଠାଇ ଥାନ୍ତି l ଆମେ ବର୍ଷ ସାରା ତାଙ୍କରି କାମରେ ଲାଗି ରହିଛୁ l ଏହା ଶୁଣି ଅର୍ଜୁନ କୃଷ୍ଣଙ୍କ ଆଡେ଼ ବିସ୍ମୟ ବିସ୍ଫାରିତ ନେତ୍ରରେ ଚାହିଁଲେ l ପ୍ରଭୁଙ୍କ ଅଧରରେ ଫୁଟି ଉଠିଲା ସେହି ଭୁବନ ମୋହନ ହସ l ଶ୍ରୀକୃଷ୍ଣ କହିଲେ, ସଖେ ! ତୁମର ଜ୍ୟେଷ୍ଟ ଭ୍ରାତାଙ୍କ ଶିବଭକ୍ତି ଓ ଶିବ ପୂଜନ ଦେଖିଲ ତ ! 
ଯୋଡ଼ହସ୍ତ ହୋଇ ଅର୍ଜୁନ କହିଲେ, ସଖା ! କର୍ମ କାଣ୍ଡରେ ବିଶ୍ୱାସ ନ ରଖି ମଧ୍ୟ, ଭାଇ ଭୀମସେନ କିପରି ମହାଦେବଙ୍କ ପୂଜା କରୁଛନ୍ତି, ତାହା ମୁଁ ସ୍ଵ ଚକ୍ଷୁରେ ଦେଖିଲି l ଆଜି ମୋର ସମସ୍ତ ଅହଙ୍କାର ଦୂର ହୋଇଛି l 
କୁହାଯାଏ ବିରାଟ ନଗରରେ ପାଣ୍ତବ ମାନେ ଅଜ୍ଞାତ ବାସ କରୁଥିଲା ବେଳେ ଭୀମ, ଛଦ୍ମ ବେଶରେ ପାଚକ ଭାବେ କାର୍ଯ୍ୟ କରୁଥିଲେ, ସେତେବେଳେ ସେ ଅନ୍ୟ ସାଥି ସୂପକାର ମାନଙ୍କୁ ନେଇ ଗୁପ୍ତରେ ଶିବ ଅଭିଷେକ ପାଇଁ ଯାତ୍ରା କରୁଥିଲେ l 
ଏପରି ହିଁ ଥିଲେ  ଶିବଭକ୍ତ ରାମ |
ପରବର୍ତ୍ତୀ ସମୟରେ ସେହି ଯାତ୍ରା କାଉଡ଼ିଆ ଯାତ୍ରା ରୂପେ ପରିଚିତ ହୋଇଥିଲା l