ଭତ୍ତା ବୃଦ୍ଧି ନେଇ ଗୃହରେ ଏହା କହିଲେ ମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ଭତ୍ତା ବୃଦ୍ଧି ନେଇ ଆସୁଥିବା ବିଭିନ୍ନ ଦାବି ନେଇ ସରକାର ସଚେତନ ଅଛନ୍ତି । ଠିକ୍ ସମୟରେ ଠିକଣା ନିଷ୍ପତ୍ତି ନେବେ । ଭତ୍ତା ବୃଦ୍ଧି ନେଇ ଗୃହରେ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୩ ଲକ୍ଷ ୮ ହଜାର ୯୬୭ ଜଣଙ୍କୁ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ସହାୟତା ମିଳୁଛି । ଆଜି ଯାଏ ୨୧,୩୮୬ ହିତାଧିକାରୀ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ପେନସନ ପାଉଛନ୍ତି । ସେମାନଙ୍କ ମଧ୍ୟରୁ ଯେଉଁମାନେ ବ୍ୟାଙ୍କ ଯିବାକୁ ଅସମର୍ଥ, ସେମାନଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନକୁ ଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ସେମାନଙ୍କ ଘର ଦୁଆରେ ପେନସନ ଦିଆଯାଇ ପାରୁଛି । ତେବେ ପ୍ରତି ପଞ୍ଚାୟତରେ ଆମ ବ୍ୟାଙ୍କ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବିଧା କରୁଛନ୍ତି । ଯାହା ଜାତୀୟ ସାମାଜିକ ସୁରକ୍ଷା ଯୋଜନା ହିତାଧିକାରୀମାନଙ୍କୁ ଲାଭ ଦେବ । ୨୦୧୭ ମସିହାରେ ୪୮ ଲକ୍ଷ ହିତାଧିକାରୀ ପେନସନ ପାଉଥିଲେ । ଯେଉଁଥିରେ ୨୮ ଲକ୍ଷ ମଧୁବାବୁ ପେନସନ ଓ ୨୦ ଲକ୍ଷରୁ ଅଧିକ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ପେନସନ ପାଉଥିଲେ । ତିନି ଦିନ ତଳେ ଅଧିକ ୪ ଲକ୍ଷ ୧୩ ହଜାର ହିତାଧିକାରୀ ମାନଙ୍କୁ ମଧୁବାବୁ ପେନସନରେ ମୁଖ୍ୟମନ୍ତ୍ରୀ ସାମିଲ କରିଛନ୍ତି । କାରଣ ୩.୩୫ ଲକ୍ଷ ପେନସନ ଆବେଦନ କରି ଅପେକ୍ଷା କରିଥିବା ବେଳେ ୬୫ ହଜାର ଅନଲାଇନ ଆବେଦନ କରିଥିଲେ । ସେମାନେ ଆସନ୍ତା ଫେବୃଆରୀ ୧୫ ତାରିଖରେ ପେନସନ ପାଇବେ । ବର୍ତ୍ତମାନ ପେନସନ ହିତାଧିକାରୀଙ୍କ ସଂଖ୍ୟା ୫୮ ଲକ୍ଷରେ ପହଞ୍ଚିଛି ।