ଭାରତର ନୂତନ ଶିଳ୍ପ ବିପ୍ଳବ’କୁ ପ୍ରଶଂସା କଲା ବିଶ୍ୱସ୍ତରୀୟ ନିବେଶ ସଂସ୍ଥା ଜେଫ୍ରିଜ୍‌...

Sep 12, 2026 - 10:06
 3

ଛଅଟି ଉଚ୍ଚ ଅଭିବୃଦ୍ଧି କ୍ଷେତ୍ରରେ ଦେଶ ହାସଲ କରିଛି ଉଲ୍ଲେଖନୀୟ ଉପଲବ୍ଧି

ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଏବଂ ଦୀର୍ଘସ୍ଥାୟୀ ନୀତିଗତ ପ୍ରୋତ୍ସାହନ ଅଭିବୃଦ୍ଧିକୁ କରୁଛି ତ୍ୱରାନ୍ୱିତ

ବିଶ୍ୱସ୍ତରୀୟ ନିବେଶ ବ୍ୟାଙ୍କ୍‌ ଜେଫ୍ରିଜ୍‌ ୯ ସେପ୍ଟେମ୍ବରରେ ପ୍ରକାଶ କରିଥିବା ଏହାର ରିପୋର୍ଟରେ ଛଅଟି ଉଚ୍ଚ ଅଭିବୃଦ୍ଧି କ୍ଷେତ୍ରରେ ଭାରତର ଉପଲବ୍ଧିକୁ ଉଚ୍ଚ ପ୍ରଶଂସା କରିଛି । 

ବୃହତ ଘରୋଇ ବଜାର, ବେସରକାରୀ କ୍ଷେତ୍ରର ଅଧିକରୁ ଅଧିକ ଅଂଶଗ୍ରହଣ ଏବଂ ଦୀର୍ଘସ୍ଥାୟୀ ନୀତିଗତ ସମର୍ଥନ କାରଣରୁ ‘‘ଭାରତରେ ଏକ ନୂତନ ଶିଳ୍ପ ବିପ୍ଳବ’’ ଆସିଥିବା ସଂସ୍ଥା କହିଛି ।

ବିଶେଷ କରି ମହାକାଶ କ୍ଷେତ୍ରକୁ ବେସରକାରୀ ସଂସ୍ଥା ପାଇଁ ଖୋଲିବା, ଡାଟା ସେଣ୍ଟର ପ୍ରତିଷ୍ଠା ନିମନ୍ତେ ଟିକସ କୋହଳ କରିବା, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ସୌରଶକ୍ତି ପ୍ରୋତ୍ସାହନ ଯୋଜନା ଏବଂ ସ୍ଥାନୀୟ ପଦକ୍ଷେପ ସହିତ ସରକାରୀ ଜିପିୟୁ କ୍ରୟ ଭଳି ପ୍ରୟାସ ଏସବୁ ଉଦୀୟମାନ କ୍ଷେତ୍ରରେ ପ୍ରଗତିକୁ ଆଗେଇ ନେଉଥିବା ଜେଫ୍ରିଜ୍‌ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ଜେଫ୍ରିଜ୍‌ କହିଛି, ମହାକାଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କ୍ଷମତା ଥିବା ବିଶ୍ୱର ହାତଗଣତି ଦେଶ ମଧ୍ୟରୁ ଭାରତ ଅନ୍ୟତମ । 

ସ୍କାଏରୁଟ୍‌, ପିକ୍ସେଲ ଓ ଅଗ୍ନିକୁଲ୍‌ ଭଳି ବେସରକାରୀ ସଂସ୍ଥା ବାଣିଜ୍ୟିକ ମହକାଶ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ଅଗ୍ରସର ହେଉଥିବାରୁ ଏହି ମହାକାଶ ଅର୍ଥବ୍ୟବସ୍ଥା ୨୦୩୦ ସୁଦ୍ଧା ୫ ଗୁଣ ବୃଦ୍ଧି ପାଇ ୪ ହଜାରରୁ ୪,୫୦୦ କୋଟି ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି ।  

ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପ୍ରୋତ୍ସାହନ ନୀତିଗତ କାର୍ଯ୍ୟକାରିତାରୁ ପ୍ରାୟ ୨ ହଜାର କୋଟି ଡଲାର ନିବେଶରେ ରୂପାନ୍ତରିତ ହୋଇଛି । 

ଗୋଟିଏ ଚିପ୍‌ ଫାବ୍‌ ନିର୍ମାଣାଧୀନ ରହିଥିବା ବେଳେ ଏକାଧିକ ଓଏସଏଟି ପ୍ରକଳ୍ପରେ ଉତ୍ପାଦନ ଆରମ୍ଭ ହୋଇଛି । ଏହି କ୍ଷେତ୍ରରେ ଆହୁରି ପ୍ରାୟ ୧୩ ଶହ କୋଟି ଡଲାର ମୂଲ୍ୟର ପ୍ରୋତ୍ସାହନ ଯୋଜନା ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଅଧିକ ମଜଭୁତ କରିବ ।

ଅନୁରୂପ ଭାବେ ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତର ଡାଟା ସେଣ୍ଟର କ୍ଷମତା ୫ ଗୁଣ ବୃଦ୍ଧି ପାଇ ୨ ଗିଗାୱାଟରେ ପହଞ୍ଚିଛି ଏବଂ ଏହା ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୧୦ ଗିଗାୱାଟରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଫଳରେ ଶକ୍ତି, କୁଲିଂ, ନିର୍ମାଣ ଏବଂ ନେଟୱର୍କ କ୍ଷେତ୍ରରେ ୪୫ ହଜାର କୋଟି ଡଲାର ନିବେଶ ସୁଯୋଗ ସୃଷ୍ଟି ହେବ ।

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ମଧ୍ୟ ଭାରତ ଆସେମ୍ବ୍ଲି ଠାରୁ ଆଗକୁ ବଢ଼ି ଉଚ୍ଚ ମୂଲ୍ୟ ବୃଦ୍ଧି ଏବଂ ସରଞ୍ଜାମ ଉତ୍ପାଦନରେ ପ୍ରବେଶ କରିଛି । 

ମୋବାଇଲ ସରଞ୍ଜାମ କ୍ଷେତ୍ରରେ ଘରୋଇ ମୂଲ୍ୟ ବୃଦ୍ଧି ୨୦% ରୁ କମ୍‌ ଥିବା ବେଳେ ଏହା ଆସନ୍ତା ୬ ବର୍ଷରେ ୫୦%ରେ ପହଞ୍ଚିବାର ଆଶା କରାଯାଉଛି ।

ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସୌର ପିଭି ନିର୍ମାତା । ଦେଶର କାର୍ଯ୍ୟକ୍ଷମ ସେଲ୍ କ୍ଷମତା ପ୍ରାୟ ୩୫ ଗିଗାୱାଟ ଥିବା ବେଳେ ଆଉ ପ୍ରାୟ ୧୦୦ ଗିଗାୱାଟ ନିର୍ମାଣାଧୀନ ରହିଛି । 

୨୦୩୦ ସୁଦ୍ଧା ମୂଲ୍ୟ ଶୃଙ୍ଖଳାର ପ୍ରାୟ ୯୦% ସ୍ଥାନୀୟ ଉତ୍ପାଦନ ହେବ ବୋଲି ଜେଫ୍ରିଜ୍‌ ପକ୍ଷରୁ ଆକଳନ କରାଯାଇଛି ।

ଭାରତ ବିଶ୍ୱ ଏରୋସ୍ପେସ୍ ଚାହିଦା-ଯୋଗାଣ ଅସନ୍ତୁଳନର ଏକ ଲାଭାର୍ଥୀ ଭାବରେ ଉଭା ହେଉଛି । 

ଏହା ମୂଲ୍ୟ ପ୍ରତିଯୋଗିତାମୂଳକ ଉତ୍ପାଦନ ଏବଂ ଇଞ୍ଜିନିୟରିଂ ପ୍ରତିଭା ଦ୍ୱାରା ସମର୍ଥିତ। ବୋଇଂ ଓ ଏୟାରବସ୍ ପୂର୍ବରୁ ଭାରତରୁ ବାର୍ଷିକ ୧୪୦ରୁ ୧୬୦ କୋଟି ଡଲାର ସାମଗ୍ରୀ ଆମଦାନୀ କରୁଛନ୍ତି । ଅନ୍ୟପଟେ ଭାରତୀୟ ଫାର୍ମଗୁଡ଼ିକ ବିଶ୍ୱର ଓଇଏମ ଏବଂ ଟିୟର-୧ କମ୍ପାନୀଗୁଡ଼ିକୁ ଯୋଗାଣ କରୁଛନ୍ତି ।

ଭାରତରେ ଘରୋଇ କ୍ଷେତ୍ରରେ ରହିଥିବା ବ୍ୟାପକ ସୁଯୋଗ, ବେସରକାରୀ କ୍ଷେତ୍ରର ବର୍ଦ୍ଧିତ ଅଂଶଗ୍ରହଣ ଏବଂ ସରକାରଙ୍କ ସହଯୋଗ ଫଳରେ ନୂତନ ଉଦ୍ୟୋଗର ବିସ୍ତାରକୁ ଜେଫ୍ରିଜ୍‌ ରିପୋର୍ଟରେ ଉଚ୍ଚ ପ୍ରଶଂସା କରାଯାଇଛି । ଏହାଦ୍ୱାରା ଘରୋଇ ସାମର୍ଥ୍ୟ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତା କ୍ଷମତା ବଢ଼ିବ ବୋଲି ସଂସ୍ଥା କହିଛି ।