‘ମନ କି ବାତ୍’ର ୧୩୬ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ...

Jul 26, 2026 - 21:10
 6
‘ମନ କି ବାତ୍’ର ୧୩୬ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ...

ଜଳ ସଂରକ୍ଷଣରେ ଭୁବନେଶ୍ୱରର ଉଲ୍ଲେଖନୀୟ ସଫଳତା; ‘କ୍ୟାଚ୍ ଦ ରେନ୍’ ଅଭିଯାନର ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।

ଆମ ଜୀବନରେ ଏହିପରି କିଛି ତାରିଖ ଥାଏ ଯାହାକୁ ମନେରଖିବା ପାଇଁ କ୍ୟାଲେଣ୍ଡର ଦେଖିବାର ଆବଶ୍ୟକତା ନ ଥାଏ । ଆଜି, ଜୁଲାଇ ୨୬ ସେହିଭଳି ଗୋଟିଏ ତାରିଖ । 

ଆଜି ହେଉଛି ‘କାରଗିଲ ବିଜୟ ଦିବସ’ । 

ଏହି ଦିନଟି ଆମକୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ । ଏହି ଦିନଟି ଆମକୁ ଆମର ବୀର ଯବାନମାନଙ୍କ ଅଦମ୍ୟ ସାହସକୁ ସ୍ମରଣ କରାଇଦିଏ । କାରଗିଲର ସୁଉଚ୍ଚ ଶିଖରଗୁଡ଼ିକ, ପ୍ରତିକୂଳ ପାଗ, ଶତ୍ରୁର ଆହ୍ୱାନ, ପ୍ରତ୍ୟେକ ପରିସ୍ଥିତି ଆମ ସୈନିକମାନଙ୍କ ଆଗରେ ଥିଲା, କିନ୍ତୁ ସେମାନଙ୍କ ସାହସ ପ୍ରତ୍ୟେକ ଆହ୍ୱାନଠାରୁ ଅଧିକ ଥିଲା । ସେମାନେ ଭାରତମାତାର ସୁରକ୍ଷା ପାଇଁ ନିଜର ସର୍ବସ୍ୱ ଅର୍ପିତ କରିଦେଲେ । ଆଜି କାରଗିଲ୍ ବିଜୟ ଦିବସ ଅବସରରେ ମୁଁ ସମସ୍ତ ବୀର ଶହୀଦ ଏବଂ ବୀର ସୈନିକମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି ।

ବନ୍ଧୁଗଣ, ଆଜିର ଭାରତ କେବଳ ନିଜ ବୀରମାନଙ୍କୁ ସ୍ମରଣ କରେ, ତାହାନୁହେଁ ବରଂ ନୂତନ ପିଢ଼ିକୁ ସେମାନଙ୍କ କାହାଣୀ ମଧ୍ୟ କହିଥାଏ । ଏହି ଭାବନାକୁ ନେଇ ଚଳିତ ବର୍ଷ ଗୋଟିଏ ବିଶେଷ ‘ଶୌର୍ଯ୍ୟ ବିଜୟ ଯାତ୍ରା’ ଆରମ୍ଭ କରାଯାଇଛି । ୧୪ ଜୁଲାଇରୁ ଦିଲ୍ଲୀର ‘ଜାତୀୟ ଯୁଦ୍ଧ ସ୍ମାରକୀ’ଠାରୁ ଆରମ୍ଭ ହୋଇଥିବା ଏହି ମୋଟରସାଇକେଲ ଯାତ୍ରା ଦ୍ରାସ୍ର କାରଗିଲ ୱାର ମେମୋରିଆଲ ପର୍ଯ୍ୟନ୍ତ ଯିବ । ଏହାର ବାର୍ତ୍ତା ହେଉଛି – “ଗୋଟିଏ ରାଇଡ୍, ଗୋଟିଏ ଜାତି, ଗୋଟିଏ ସାଲ୍ୟୁଟ୍” । ଏହି ଯାତ୍ରା ଆମକୁ ମନେପକାଇଦିଏ ଯେ ରାଷ୍ଟ୍ର ପାଇଁ ଦିଆଯାଇଥିବା ବଳିଦାନକୁ କେବେହେଲେ ପାଶୋରି ଦେଇହେବ ନାହିଁ ।

ବନ୍ଧୁଗଣ, ଆଜି ଭାରତ ନିଜ ସୈନିକମାନଙ୍କ ସାହସ ସହ ନିଜର ବୈଷୟିକ କ୍ଷମତାକୁ ମଧ୍ୟ ଲଗାତର ଭାବେ ସୁଦୃଢ଼ କରିଚାଲିଛି । କିଛିଦିନ ପୂର୍ବରୁ ଭାରତୀୟ ନୌବାହିନୀରେ ଆଇଏନ୍ଏସ୍ ମହେନ୍ଦ୍ରଗିରିକୁ ସାମିଲ କରାଗଲା । ଏହି ଆଧୁନିକ ଯୁଦ୍ଧ ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଭାରତରେ ହିଁ କରାଯାଇଛି । 

ଏଥିରେ ୭୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି । ଏହା ଆତ୍ମନିର୍ଭର ଭାରତର ବୃଦ୍ଧି ପାଉଥିବା ଶକ୍ତିର ପ୍ରତୀକ । ଚଳିତ ମାସ ଡିଆରଡିଓ, ସବୁଠାରୁ ଦୂରଗାମୀ ଗାଇଡେଡ୍ ରକେଟର ମଧ୍ୟ ସଫଳ ପରୀକ୍ଷଣ କରିଛି । ଏହି ସଫଳତା ପଛରେ ଆମର ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କ ମିଳିତ ପରିଶ୍ରମ ରହିଛି । ମାତ୍ର ଦୁଇ-ତିନି ଦିନ ପୂର୍ବେ ଡିଆରଡିଓ କୁଶା ମିଜାଇଲର ମଧ୍ୟ ସଫଳ ପରୀକ୍ଷଣ କରିଛି ।

ବନ୍ଧୁଗଣ,

ଆଜି ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ହେଉ, ସୁରକ୍ଷା ସାମଗ୍ରୀ ରପ୍ତାନୀ ହେଉ କିମ୍ବା ମିତ୍ର ଦେଶମାନଙ୍କ ସହ ରାଜନୈତିକ ସହଯୋଗ ହେଉ – ଭାରତ କ୍ରମାଗତ ଭାବେ ନୂତନ ଶିଖର ଆଡ଼କୁ ମାଡ଼ିଚାଲିଛି । 

ଚଳିତ ମାସ ଆରମ୍ଭରେ, ମୁଁ, ଇଣ୍ଡୋନେସିଆରେ ଥିଲି, ଯେଉଁଠାରେ ବ୍ରହ୍ମୋସ ଏବଂ ଅସ୍ତ୍ର ମିଜାଇଲ ପାଇଁ ଗୋଟିଏ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେଲା । ଭାରତର ପ୍ରତିରକ୍ଷା ଉପକରଣ ଏବଂ ଜ୍ଞାନକୌଶଳ ଉପରେ ବିଶ୍ୱର ଭରସା ବଢ଼ିଚାଲିଛି । ଆସନ୍ତୁ, ଏହି ‘କାରଗିଲ ବିଜୟ ଦିବସ’ ଅବସରରେ ଆମେ ଆମର ଅମର ଶହୀଦମାନଙ୍କୁ ପ୍ରଣାମ କରିବା ଏବଂ ଏକ ସୁରକ୍ଷିତ, ସକ୍ଷମ ଓ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ନିଜର ସଂକଳ୍ପକୁ ଆହୁରି ସୁଦୃଢ଼ କରିବା ।

ମୋର ପ୍ରିୟ ଦେଶବାସୀଗଣ,

‘ମନ୍‌ କି ବାତ୍‌’ର ବିଗତ ଅଧ୍ୟାୟରେ ମୁଁ ଆପଣମାନଙ୍କ ସହ ‘କ୍ୟାଚ୍‌ ଦି ରେନ୍‌’ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲି। 

ବର୍ଷାଜଳର ପ୍ରତିଟି ଟୋପାକୁ ସଂରକ୍ଷିତ କରିବାର ଏହି ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ପାଇଁ ମୁଁ ନିବେଦନ କରିଥିଲି। ‘କ୍ୟାଚ୍‌ ଦି ରେନ୍‌’ର ବାର୍ତ୍ତା ଅତି ସରଳ – ଯେଉଁଠାରେ ଏବଂ ଯେତେବେଳେ ବି ବର୍ଷା ହେଉ, ଜଳକୁ ସେହିଠାରେ ହିଁ ସଂରକ୍ଷିତ କରନ୍ତୁ। ସେଥିପାଇଁ ଜୁଲାଇ ୪ ତାରିଖରୁ ସାରା ଦେଶରେ ଏକ ବିଶେଷ ଅଭିଯାନ ଜାରି ରହିଛି। ଏହା ଅନ୍ତର୍ଗତ ବର୍ଷାଜଳ ଅମଳ, ଭୂତଳ ଜଳ ପୁନଃଚାର୍ଜ, ପୁରାତନ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଏବଂ ବୃକ୍ଷରୋପଣକୁ ନୂତନ ଗତି ପ୍ରଦାନ କରାଯାଉଛି। ଏକଥା ଜାଣି ମୁଁ ବହୁତ ଖୁସି ଯେ ଗାଁ ହେଉ କି ସହର, ପଞ୍ଚାୟତ ହେଉ କିମ୍ବା ସାମାଜିକ ସଙ୍ଗଠନ, ପ୍ରତ୍ୟେକ ସ୍ଥାନରେ ଲୋକେ ଆଗ୍ରହର ସହିତ ଏଥିରେ ଅଂଶଗ୍ରହଣ କରିଛନ୍ତି । 

କେଉଁଠି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଉଛି ତ କେଉଁଠି କୂଅ ଏବଂ ବାମ୍ଫିଗୁଡ଼ିକୁ ପୁନର୍ଜୀବିତ କରାଯାଉଛି । ବନ୍ଦ ପଡ଼ିରହିଥିବା ବୋରୱେଲ୍ ଏବେ ଭୂତଳ ଜଳ ପୁନଃଚାର୍ଜର ମାଧ୍ୟମ ସାଜିଛନ୍ତି ।

ବନ୍ଧୁଗଣ,

ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ପ୍ରାୟ ଦେଢ଼ହଜାର ପୁଷ୍କରିଣୀ ଖନନ କରାଯାଇଛି । ନରସିଂହପୁରରେ ଅମୃତ ସରୋବରଗୁଡ଼ିକୁ ସୁସଜ୍ଜିତ କରାଯାଇଛି । ମହାରାଷ୍ଟ୍ରର ନାସିକରେ ବହୁ ମାତ୍ରାରେ ଜଳସଂରକ୍ଷଣର କ୍ଷମତା ବିକଶିତ ହୋଇଛି । ଆନ୍ଧ୍ରପ୍ରଦେଶର ନନ୍ଦିଆଲରେ ସମସ୍ତ ଗ୍ରାମପଞ୍ଚାୟତ ଏହି ଅଭିଯାନ ସହ ଯୋଡ଼ିହୋଇଛନ୍ତି ଏବଂ ପୁରୁଣା ପୋଖରୀଗୁଡ଼ିକୁ ପୁଣିଥରେ ବ୍ୟବହାରଯୋଗ୍ୟ କରାଯାଉଛି । 

ଆମ ସହରଗୁଡ଼ିକ ମଧ୍ୟ ପଛରେ ନାହାଁନ୍ତି । ଛତିଶଗଡ଼ର କୋରବା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମରେ ଏହି ଅଭିଯାନର ଉତ୍ସାହଜନକ ପରିଣାମ ଦେଖିବାକୁ ମିଳୁଛି । 

ଆସନ୍ତୁ, ଆମେ ମଧ୍ୟ ନିଜ ଆଖପାଖରେ ଥିବା କୌଣସି ପୋଖରୀ, କୂଅ କିମ୍ବା ବାମ୍ଫିର ଦାୟିତ୍ୱ ନେବା - ପାଣିର ପ୍ରତିଟି ବୁନ୍ଦାକୁ ସଂରକ୍ଷିତ କରିବା । 

ଆଜି ସଞ୍ଚୟ କରାଯାଇଥିବା ପ୍ରତ୍ୟେକ ବୁନ୍ଦା, ଆଗାମୀ ପିଢ଼ୀର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ପୁଞ୍ଜି ।

........ବନ୍ଧୁଗଣ,

ମୋର ବିଶ୍ୱାସ ଏହାକୁ ଶୁଣି ଆପଣଙ୍କ ମନକୁ ଖୁବ୍ ଭଲ ଲାଗିଥିବ । ଦେବବର୍ମା ମହାଶୟଙ୍କୁ ନେଇ ମୁଁ ଖୁବ୍ ଗର୍ବିତ । ପାରମ୍ପରିକ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ଏହି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ । ମୋର ନିବେଦନ ଆପଣମାନେ ବି ଆପଣଙ୍କ ଆଖପାଖରେ ଥିବା ପାରମ୍ପରିକ ବାଦ୍ୟଯନ୍ତ୍ରର ସୂଚନା ସାମାଜିକ ଗଣମାଧ୍ୟମରେ ନିଶ୍ଚିତ ରୂପେ ଶେୟାର କରନ୍ତୁ । ଆପଣଙ୍କର ଏହି ପ୍ରଚେଷ୍ଟା ଅନ୍ୟମାନଙ୍କୁ ବି ପାରମ୍ପରିକ ଭାରତୀୟ ସଙ୍ଗୀତ ସହ ନିଶ୍ଚିତ ଭାବେ ଯୋଡ଼ିବ ।

ମୋର ପ୍ରିୟ ଦେଶବାସୀଗଣ,

କାଲି ଜୁଲାଇ ୨୭ ତାରିଖ ହେଉଛି ଭାରତରତ୍ନ ଡଃ. ଏ.ପି.ଜେ. ଅବଦୁଲ କଲାମଙ୍କ ପୁଣ୍ୟତିଥି । 

ଡଃ କଲାମଙ୍କ ବ୍ୟକ୍ତିତ୍ୱର ଅନେକ ପ୍ରେରଣାଦାୟକ ରୂପ ଥିଲା, କିନ୍ତୁ ତାଙ୍କ ହୃଦୟର ସବୁଠାରୁ ନିକଟତର ଥିଲା ଏକ ଶିକ୍ଷକର ଭୂମିକା । ସେ ଛୋଟ ପିଲା ଓ ଯୁବକମାନଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରିତ କରୁଥିଲେ । ସଂଯୋଗବଶତଃ ଏହି ସପ୍ତାହରେ ଆମେ ପବିତ୍ର ‘ଗୁରୁପୂର୍ଣ୍ଣିମା’ ପର୍ବ ପାଳନ କରିବା । 

ଆମ ମା’-ବାପା ହେଉଛନ୍ତି ଆମର ପ୍ରଥମ ଗୁରୁ । ସ୍କୁଲ ଶିକ୍ଷକ ଆମକୁ ଅକ୍ଷର ଶିଖାନ୍ତି । ଏପରି ସମସ୍ତ ଗୁରୁମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ସୁନ୍ଦର ଅବସର ହେଉଛି ଗୁରୁପୂର୍ଣ୍ଣିମା । ମୁଁ ଦେଶର ସମସ୍ତ ଶିକ୍ଷକ ଓ ଗୁରୁଜନମାନଙ୍କୁ ଶ୍ରଦ୍ଧାପୂର୍ବକ ପ୍ରଣାମ କରୁଛି ।

ବନ୍ଧୁଗଣ,

କିଛି ସପ୍ତାହ ପରେ ଆମେ ଆମ ସ୍ୱାଧୀନତାର ମହାପର୍ବ ବି ପାଳନ କରିବା । ଅଗଷ୍ଟ ୧୫, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ । ଏହା ହେଉଛି ସେହି ଅସଂଖ୍ୟ ବୀରମାନଙ୍କୁ ସ୍ମରଣ କରିବାର ଦିନ, ଯେଉଁମାନେ ‘ଭାରତମାତା’ର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ସମର୍ପିତ କରିଦେଇଥିଲେ । ତାଙ୍କ ତ୍ୟାଗ ଓ ତପସ୍ୟା ଯୋଗୁଁ ହିଁ ଆଜି ଆମ ହାତରେ ତ୍ରିରଙ୍ଗା ଶୋଭା ପାଉଛି । ଏହି ତ୍ରିରଙ୍ଗାରେ ଆମ ସମ୍ବିଧାନର ଆଦର୍ଶ ରହିଛି ।

ବନ୍ଧୁଗଣ,

ଗତ କିଛିବର୍ଷ ହେଲା ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ସମଗ୍ର ଦେଶକୁ ଏକ ଅଦ୍ଭୁତ ଭାବନାରେ ଯୋଡ଼ିପାରିଛି । ପ୍ରତ୍ୟେକ ଘରେ, ପ୍ରତ୍ୟେକ ଗଳିକନ୍ଦିରେ ତ୍ରିରଙ୍ଗାର ଉତ୍ସବ ଦେଖିବାକୁ ମିଳୁଛି । ଚଳିତ ବର୍ଷ ବି ଆମେ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ଖୁବ୍ ଉତ୍ସାହର ସହ ଆଗକୁ ନେବା । ନିଜେ ଘରେ ସସମ୍ମାନରେ ତ୍ରିରଙ୍ଗା ଉଡ଼ାଇବା ।

ବନ୍ଧୁଗଣ,

ପ୍ରତିବର୍ଷ ଅଗଷ୍ଟ ୧୫ ପୂର୍ବରୁ ଆପଣମାନେ ମୋତେ ବହୁତ ପ୍ରସ୍ତାବ ଓ ପରାମର୍ଶ ପଠାନ୍ତି । ଚଳିତ ବର୍ଷ ବି ଆପଣମାନେ ଆପଣଙ୍କର ପ୍ରସ୍ତାବ ଓ ପରାମର୍ଶ ମାଇଗଭରେ ନିଶ୍ଚିତ ରୂପେ ପଠାନ୍ତୁ । ମୁଁ ଆପଣଙ୍କ ପରାମର୍ଶକୁ ଅପେକ୍ଷା କରିଛି ।

ବନ୍ଧୁଗଣ,

‘ମନ କି ବାତ୍’ରେ ଆଜି ପାଇଁ ଏତିକି । 

ଆସନ୍ତା ମାସରେ ଆମେମାନେ ପୁଣି ଦେଖାହେବା, ଦେଶବାସୀଙ୍କର ଅନେକ ନୂତନ ଉପଲବଧି ଓ ପ୍ରେରଣାଦାୟୀ ପ୍ରୟାସକୁ ନେଇ । ସେ ପର୍ଯ୍ୟନ୍ତ ମୋତେ ଅନୁମତି ଦିଅନ୍ତୁ । 

ବହୁତ ବହୁତ ଧନ୍ୟବାଦ । ନମସ୍କାର ।