'ମାଘ ପୂର୍ଣମୀ' ବନାମ "ଗଜ ଉଦ୍ଧାରଣ" ବେଶ...
'ମାଘ ପୂର୍ଣମୀ' ବନାମ "ଗଜ ଉଦ୍ଧାରଣ" ବେଶ...
" ଲକ୍ଷେ ଯୋଜନରେ ଗଜ ଡାକିଲା ହେ ଦେବରାଜ
ତା ଡାକକୁ ଚତୁର୍ଭୁଜ ଶୁଣିଛ ଶ୍ରବଣ ଡେରି । "
ପବିତ୍ର ମାଘ ପୂର୍ଣ୍ଣିମା ପ୍ରତିବର୍ଷ ପରମ୍ପରା ପ୍ରକାରେ ମାଘ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ରତ୍ନସିଂହାସନସ୍ଥ ଶ୍ରୀ ବିଗ୍ରହମାନଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ।
ଏହିଦିନ ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ସରି ମୈଲମ ହେବାପରେ ସର୍ବାଙ୍ଗହୋଇଥାଏ। ଏହାପରେ ୩ ବାଡ଼ରେ ଗଜ ଉଦ୍ଧାରଣ ବେଶ ହୋଇଥାଏ। ଭିତରଚ୍ଛ ,ତଳିଚ୍ଛ, ପୁଷ୍ପାଳକ ନିଯୋଗ, ଖୁଣ୍ଟିଆ ଓ ମେକାପ ସେବକମାନଙ୍କ ସାହାଯ୍ୟ ସହଯୋଗରେ ଏହି ବେଶ କାର୍ଯ୍ୟ ସଂପାଦନ କରାଯାଇଥାଏ।
ଠାକୁରମାନେ ଏହି ବେଶରେ ଚୂଳ, କିରୀଟ, କର୍ଣ୍ଣ କୁଣ୍ଡଳ, ସୂର୍ଯ୍ୟ ଚନ୍ଦ୍ର,ଅଣ୍ଟାପଟି,ହାତ ,ବାଜୁବନ୍ଧ, ହାତଫେର, ଆୟୁଧ- ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ, ମୂଷଳ,ଅଣ୍ଟାପିଠି, ବାଙ୍କି, ପାହୁଡ,ଗୋଡ଼ ଖଡ଼ୁ,ହାତମାଳ,ନାକଚଣା, ପଦ୍ମ କଢି ପ୍ରଭୃତି ଅଳଙ୍କାର ଯାହାକି ସୋଲ, ଜରି, ଜମ୍ବୁରା, କନା,କଇଥ ଅଠା ଦ୍ବାରା ନିର୍ମିତ ହୋଇଥାଏ।କୁଶଳୀ କାରିଗରମାନେ ଏହି ବେଶ କାର୍ଯ୍ୟ ଅନ୍ତତଃ ୧୫ ଦିନ ପୂର୍ବରୁ ଶ୍ରୀମନ୍ଦିର ପରିସରରେ ପ୍ରସ୍ତୁତ କରିଥାନ୍ତି।
????ଗଜ ଉଦ୍ଧାରଣ ବେଶ ତାଲିକା -
(୧)ଗଜ, (୨)ଚୁଳ-୩, (୩) କିରିଟ-୩ ,(୪)ପେଟ-୩,(୫)ଶ୍ରୀପୟର-୩ହଳ, (୬)ଶ୍ରୀଭୁଜ-ଶ୍ରୀ ସୁଭଦ୍ରା-୨, (୭) ଶ୍ରୀଭୁଜ- ଶ୍ରୀ ବଳରାମ-୪ (୮)ଶ୍ରୀଭୁଜ-ଶ୍ରୀଜଗନ୍ନାଥ-୪,(୯)ଗରୁଡ-୧,(୧୦)ଗରୁଡ ଭୁଜ, ପୟର-୪,(୧୧) କୁମ୍ଭୀର-୧,(୧୨) ଶଙ୍ଖ-୨,(୧୩)ହର ମୂଷଳ-୧, (୧୪) ଗଦା-୨,(୧୫) ଚକ୍ର-୨,(୧୬) ପୁଟା-୨,(୧୭) ଅଳକା-୩,(୧୮) ସିଂହାସନ-୧,(୧୯) କର୍ଣ୍ଣ କୁଣ୍ଡଳ -୩ହଳ,(୨୦) ଅଣ୍ଟାପଟି-୩ହଳ, (୨୧) ପା ପଦ୍ମ-୩ହଳ,(୨୨) ପଦ୍ମଫୁଲ-୪(ପ୍ରତିବର୍ଷ ନୂଆ ହୁଏ),(୨୩) (ଶୋଲ ଜରିରେ ନିର୍ମିତ)ହାତଫେର-୧୦,(୨୪) ନାକୁଆସୀ-୩(ପ୍ରତିବର୍ଷ ନୂଆ ହୁଏ),(୨୫) ସୂର୍ଯ୍ୟ ଚନ୍ଦ୍ର-୩ ହଳ( ପ୍ରତିବର୍ଷ ନୂଆ ହୁଏ), (୨୬) କାନୋଟିଆ-୬(ପ୍ରତିବର୍ଷ ନୂଆ ହୁଏ) ,(୨୭)ପଦ୍ମକଢି ମାଳ-୨ ,(୨୮) ସମୁଦ୍ର-୧(ପ୍ରତିବର୍ଷ ନୂଆ ହୁଏ),(୨୯) ଫେର -୨ ,(୩୦) ପଦ୍ମକଢି-୧।
ଶ୍ରୀମନ୍ଦିର ପ୍ରଶାସନର ତତ୍ତ୍ଵାବଧାନରେ ଏହି ବେଶ କାର୍ଯ୍ୟ ୧୯୭୯ ମସିହାଠାରୁ ନିୟମିତ ଭାବେ ହୋଇଆସୁଅଛି।
ଏ ବେଶରେ ବଳଭଦ୍ର ଓ ଜଗନ୍ନାଥ ପ୍ରତ୍ୟେକ ଚାରିଭୁଜ ହୋଇଥାନ୍ତି। ଶ୍ରୀଜଗନ୍ନାଥ ଶଙ୍ଖ,ଚକ୍ର, ଗଦା,ପଦ୍ମ ଧାରଣ କରି ଗରୁଡ ଉପରେ ବସିବା ଭଙ୍ଗୀରେ ରହନ୍ତି ଏବଂ ତାଙ୍କ କୋଳରେ ଲକ୍ଷ୍ମୀ ପ୍ରତିମା ବିରାଜମାନ କରିଥାନ୍ତି।ସୂଚନାଯୋଗ୍ୟ ଯେ, ଏହି ବେଶରେ କେବଳ ଲକ୍ଷ୍ମୀ(ଶ୍ରୀଦେବୀ) ଶ୍ରୀ ଜୀଉଙ୍କ କୋଳରେ ଉପବେଶନ କରିଥାନ୍ତି। ଚୂଳ, କିରୀଟ ଓ ଅଳଙ୍କାର ମାନ ଲାଗି ହୋଇଥାଏ। ????ସେହିପରି ବଳଭଦ୍ର ଶଙ୍ଖ, ଚକ୍ର,ହଳ, ମୂଷଳ, ଧରି ବାସୁଦେବ ରୂପରେ ବିରାଜମାନ କରିଥାନ୍ତି ????ସୁଭଦ୍ରା କୃଷ୍ଣଙ୍କ ପରି ପାଦକୁ ଛନ୍ଦି ଏକ ପଦ୍ମ କଢି ଧରି ବିରାଜିତ ହୋଇଥାନ୍ତି। ଦୁଇଟି ହସ୍ତୀ(ଗଜ) ଶୁଣ୍ଢରେ ପଦ୍ମ କଳିକା ଧରି ଦଣ୍ଡାୟମାନ ଅବସ୍ଥାରେ ରହିଥାନ୍ତି।
ହସ୍ତୀ ଦୁଇଟି ଶ୍ରୀଜୀଉଙ୍କ ସମୀପରେ ରହେ। ତାର ଶରୀରକୁ ଆକ୍ରମଣ ଭଙ୍ଗୀରେ ଏକ କୁମ୍ଭୀର ମୂର୍ତ୍ତି ରହିଥାଏ।
ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଠାକୁରମାନଙ୍କ ଗଜ ଉଦ୍ଧାରଣ ବେଶ ସଂପୂର୍ଣ୍ଣ ହେବାପରେ କ୍ଷୀରି ଓ ଅମାଲୁ ଭୋଗ ଓ ସନ୍ଧ୍ୟାଧୂପ ପୂଜା ହୁଏ।
ସନ୍ଧ୍ୟାଧୂପ ଶେଷ ପରେ ସାଧାରଣ ଦର୍ଶନ ବା ସାହାଣମେଲା ଅନୁଷ୍ଠିତ ହୋଇଥାଏ। ସାହାଣମେଲା ଦର୍ଶନ ସରିବା ପରେ ମହାସ୍ନାନ ହୋଇ ଶ୍ରୀଜୀଉମାନଙ୍କ ଅନ୍ୟାନ୍ୟ ନୀତି ହୋଇଥାଏ।
ଶ୍ରୀମଦ୍ଭାଗବତ ର ଅଷ୍ଟମସ୍କନ୍ଦ ର ଦ୍ବିତୀତ ଅଧ୍ୟାୟ ଠାରୁ ଚତୁର୍ଥ ଅଧ୍ୟାୟ ଅନ୍ତର୍ଗତ କଥାଵସ୍ତୁ ଉପରେ ଉକ୍ତ ବେଶ ଆଧାରିତ।ଖୀରସାଗର ଦ୍ୱାରା ପରିବେଷ୍ଟିତ ତ୍ରିକୁଟ ପର୍ବତ ର ଅନ୍ତର୍ଗତ ବରୁଣ ହ୍ରଦ ରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦର ଏକ ଭୀଷଣାକୃତି କୁମ୍ଭୀର ତାକୁ ଆକ୍ରମଣ କଲା। କୁମ୍ଭୀର (ଗ୍ରାହ)ର ଆକ୍ରମଣରେ ଗଜରାଜ କ୍ଷତ ବିକ୍ଷତ ହୋଇ ଭୀଷଣ କଷ୍ଟ ଅନୁଭବ କରି ଉଦ୍ଧାର ପାଇବାର କୌଣସି ଉପାୟ ନ ଦେଖି ବିକଳରେ ପୁରୁଷୋତ୍ତମ ଭଗବାନଙ୍କୁ ପ୍ରାର୍ଥନା କରନ୍ତି
ଲୋକେ ବୋଲନ୍ତି ମହାପ୍ରଭୁ ଙ୍କ ପରି ମହାଲକ୍ଷ୍ମୀ ମଧ୍ଯ ହଟ ଭିଆଇବା ରେ ଧୁରନ୍ଧର କିନ୍ତୁ ତା ପରି କରୁଣାମୟି ଜନନୀ ଯାହାକୁ ସାରା ସଂସାର ମା କହି ଡ଼ାକିଥାଏ ଏ ତ୍ରିଭୁବନ ରେ ଦୁର୍ଲଭ। ସେ ସଚରାଚର ଜଗତର ମା, ଯେତେବେଳେ ମହାପ୍ରଭୁ ଓ ମା ସାଆନ୍ତାଣୀ ପଶାଖେଳରେ ବ୍ୟସ୍ତ ଅଛନ୍ତି ଗଜରାଜ ର ଆକୁଳ ନିବେଦନ ବୈକୁଣ୍ଠପୁର ରେ ପ୍ରକମ୍ପିତ ହେଉଥାଏ କିନ୍ତୁ ମହାପ୍ରଭୁ ଯେ ଧର୍ୟ୍ଯ ପରୀକ୍ଷକ ଭକତ ର ଭାବ ପରକ୍ଷୁଥାଆନ୍ତି କିନ୍ତୁ ମହାଲକ୍ଷ୍ମୀ ପା ଜଗତଜନନୀ ମା ସନ୍ତାନ ର ବେଦନା କ'ଣ କଉ ମା କହିପାରେ!? ଆନ୍ଦୋଳିତ ମନରେ ମହାପ୍ରଭୁ ଙ୍କୁ ଗଜରାଜ ର କଷ୍ଟ ଫେଡ଼ିବା ପାଇଁ ନିବେଦନ କରନ୍ତି ଓ ଶେଷରେ ଦୀନବତ୍ସଳ ହରି ଗଜରାଜ ର କଷ୍ଟ ହରନ୍ତି ।
ଗଜରାଜର ପ୍ରାର୍ଥନାରେ ସ୍ବୟଂ ପୁରୁଷୋତ୍ତମ ତତ୍କ୍ଷଣାତ୍ ଭକ୍ତ ଗଜଙ୍କୁ ଆକ୍ରମଣରୁ ରକ୍ଷା କରିବାପାଇଁ ବରୁଣ ହ୍ରଦରେ ଉପସ୍ଥିତ ହୋଇ ଗଜ ରାଜଙ୍କୁ ଉଦ୍ଧାର କରିଥିଲେ। ସେହି ପୌରାଣିକ ଆଖ୍ୟାୟିକାର ସ୍ମୃତିରେ ଶ୍ରୀମନ୍ଦିରରେ ଅତ୍ୟନ୍ତ ପୁରାତନ ସମୟରୁ ଶ୍ରୀବିଗ୍ରହମାନଙ୍କର ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇ ଆସୁଅଛି।
ଗବେଷକ ପଦ୍ମଶ୍ରୀ ସଦାଶିବ ରଥଶର୍ମା'ବେଶ ରହସ୍ୟ' ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ।ତତ୍ପରେ ଅନେକ ବର୍ଷ ଧରି କେତେକ ଅନିବାର୍ଯ୍ୟକାରଣବଶତଃ ଏହା ବନ୍ଦ ହୋଇଯାଇଥିଲା।
ଖ୍ରୀ.ଅ.୧୫୭୫ରେ ରାମଚନ୍ଦ୍ର ଦେବ ଠାକୁରମାନଙ୍କ ଗଜ ଉଦ୍ଧାରଣ ବେଶର ପୁନଃ ପ୍ରଚଳନ କରିଥିଲେ। କିଛି ବର୍ଷଧରି ପୁରୀର ରାଣୀ ସାହେବା ଏ ବେଶ କରାଇ ଆସୁଥିଲେ।
ଶ୍ରୀମନ୍ଦିର ସ୍ଵତ୍ତ୍ଵଲିପି ପ୍ରକାରେ ଏ ବେଶ ବାସୁଦେବ ବାବାଜୀ କରାଉଥିଲେ। ପରବର୍ତ୍ତୀ ସମୟରେ ଟ୍ରଷ୍ଟି ରାୟ ବାହାଦୂର ରମେଶ ଚନ୍ଦ୍ର ମିତ୍ର କିଛି ବର୍ଷ ପାଇଁ ଏହି ବେଶ କରାଇଥିଲେ।
୧୯୭୭ମସିହାରୁ ଏହି ଟ୍ରଷ୍ଟି ଠାକୁରଙ୍କ ବେଶ ସାମଗ୍ରୀ ଓ ଭୋଗ ଖର୍ଚ୍ଚ ବନ୍ଦ କରି ଦେବାରୁ ସେହିବର୍ଷ ଶ୍ରୀମନ୍ଦିର ମିଳିତ ଅନ୍ନଦାନ କମିଟି ପକ୍ଷରୁ ବେଶର ସମସ୍ତ ଖର୍ଚ୍ଚ ବହନ କରାଯାଇ ଠାକୁରମାନଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥିଲା।ତତ୍ପରେ ୧୯୭୯ ମସିହାରେ ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ଶ୍ରୀମତୀ ଇଲା ପଣ୍ଡା ଏହି ବେଶ ନିମନ୍ତେ ଏକଲକ୍ଷ ଏକଚାଳିଶ ହଜାରଟଙ୍କା ଶ୍ରୀମନ୍ଦିର ପାଣ୍ଠିକୁ ଦାନ କରିବା ପରଠାରୁ ପ୍ରତିବର୍ଷ ତତ୍ଲବ୍ଧ ଗଚ୍ଛିତ ଅର୍ଥର ସୁଧରେ ମହାପ୍ରଭୁମାନଙ୍କ ଗଜୋଦ୍ଧାରଣ ବେଶ ସୁରୁଖୁରୁରେ ହୋଇ ଆସୁଅଛି।ବିଗତ କେତେକ ବର୍ଷ ଯଥାକ୍ରମେ ୧୮.୨.୯୨, ୬.୨.୯୩, ୨୬.୨.୯୪, ୧୫.୨.୯୫, ୪.୨.୯୬, ୮.୨.୯୭, ୨୦.୧.୧୯୯୯, ୯.୨.୨୦୦୦, ୨୭. ୧.୨୦୦୧ ତାରିଖ ମାନଙ୍କରେ ଶ୍ରୀ ଜୀଉମାନଙ୍କର ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ ବ୍ରିଟିଶ ରାଜତ୍ଵ ସମୟରେ ୧୯୦୦ମସିହାରେ ପାଳିତ ହୋଇଥିବା ଗଜ ଉଦ୍ଧାରଣ ବେଶ ସଂପର୍କରେ ପୁରୀର ଜଏଣ୍ଟ ମାଜିଷ୍ଟ୍ରେଟ ଏ.ଗ୍ୟାରେଟ୍ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ତଥା ପୁରୀ ସହରର ପୋଲିସ୍ ପ୍ରଶାସନ ଉପରେ ଓଡ଼ିଶା ଡ଼ିଭିଜନର କମିଶନରଙ୍କ ଜରିଆର ବଙ୍ଗ ସରକାରଙ୍କୁ ୧୯୦୧ ସାଲରେ ଏକ ରିପୋର୍ଟ ପ୍ରଦାନ କରିଥିଲେ।
ଉକ୍ତ ରିପୋର୍ଟରୁ ଜଣାଯାଏ ୧୯୦୦ସାଲରେ ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ଦିନ ୬୦,୦୦୦ଦର୍ଶନାର୍ଥୀ ହୋଇଥିଲେ।
ଶ୍ରୀ ଜୀଉମାନଙ୍କ ଏହି ବେଶରେ ସଂପ୍ରତି ତିନିଶହ ଅଧେ କୁଡିଆ (ଢଳା କୁଡିଆ)ଖିରି ଓ ୨୪୮୬ଟା ଅମାଲୁ ଭୋଗ ହେଉଅଛି।
ସନ୍ଧ୍ୟା ଧୂପରେ ଅନୁଷ୍ଠିତ ଏହି ଭୋଗକୁ ତାଲିକା ମୁତାବକ ନୀତି ସଂପୃକ୍ତ ସେବକ, ନିଯୋଗ ଓ ବ୍ୟକ୍ତିବିଶେଷ ତଥା ଧର୍ମାନୁଷ୍ଠାନ ମାନଙ୍କ ବଣ୍ଟନ କରାଯାଇଥାଏ ସୂଚନାଯୋଗ୍ୟ ଯେ, ୧୯୮୩ମସିହାରେ ଠାକୁରମାନଙ୍କୁ ୫୦୦ କୁଡିଆ ଖିରି ଓ ୩୪୦୦ଟି ଅମାଲୁ ଭୋଗ ହେଉଥିଲା।
କାଳକ୍ରମେ ବେଶ ଖର୍ଚ୍ଚ ଅତ୍ୟଧିକ ହେଉଥିବାରୁ ୧୯୮୬ ମସିହା ପରଠାରୁ ଏହି ଖିରି ଓ ଅମାଲୁ ଭୋଗର ପରିମାଣ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାରେ ହୋଇ ଆସୁଅଛି। ବିଶ୍ବାସ କରାଯାଏ ଯେ, ଗଜଉଦ୍ଧାରଣ ବେଶ ରୂପୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସମ୍ମୁଖରେ ରହିବ।
ଶ୍ରଦ୍ଧା ଭକ୍ତି ତଥା ବିଶ୍ବାସର ସହ ଗଜେନ୍ଦ୍ର ସ୍ତୁତି ପାଠ କଲେ ବହୁ ପୂଣ୍ୟାର୍ଜନ ପୂର୍ବକ ଦୁଃଖକ୍ଳେଶ କ୍ଳିଷ୍ଟ ସଂସାରୀ, ଶାରୀରିକ ତଥା ମାନସିକ ବହୁ ଦୁଃଖରୁ ରକ୍ଷା ମିଳିଥାଏ |