ଷାଠିଏ ବୟସର ଅନୁଚିନ୍ତା !!!

ଷାଠିଏ ହେଲା ତ କଣ ହେଲା, 

ସଂଖ୍ଯାରେ କି ଅଛି କହିଲ ଭଲା।। 

ବୟସଟା ବଢି ଯାଇଛି ସିନା, 

ମନୋବଳ ଯମା ହୋଇନି ଊଣା।। 

ଷାଠିଏ ଫଗୁଣ ହେଲିଣି ପାରି, 

ତଥାପି ଉତ୍ସାହ ଯାଇନି ମରି।। 

ସେଇ ସ୍ଫୁର୍ତ୍ତି ସେଇ ପାରଦର୍ଶିତା, 

ଜୀବନେ ଆଣିଛି ପରିପକ୍ବତା।। 

ସୁଖଦୁଃଖ ନେଇ ଜୀବନଯାକ, 

ହେଲି ଜଣେ ବରିଷ୍ଠ ନାଗରିକ।। 

ଚାକିରୀର ଆଉ ନାହିଁ ଝାମେଲା, 

ଅଫିସ୍ ଯିବାର ଟେନସନ୍ ଗଲା।। 

ପିଲାଏ ଗଲେଣି ନିଜ ବାଟରେ, 

ଆମେ ଦୁଇ ପ୍ରାଣୀ ଘର ଭିତରେ।। 

ସରିଗଲା ଏବେ ସବୁ ଜଞ୍ଜାଳ, 

ଆସିଛି ସମୟ ଅବସରର।। 

ଅବସର କାଟେ ବେଶ୍ ମଜାରେ, 

ଘରଣୀଙ୍କ ସାଥେ ବୁଲାବୁଲିରେ।। 

ସକାଳେ ହେଉଛି ପ୍ରାତଃ ଭ୍ରମଣ, 

କସରତ ଆଉ ଯୋଗ ଆସନ।। 

ପୁଜା ପାଠ ଆଉ ଘର କାମରେ

କଟିଯାଏ ଦିନ ମହା ଖୁସିରେ।। 

ସମୟ ମିଳିଲେ କବିତା ଲେଖେ, 

ଗୀତ ଶୁଣି ଗୀତ ଗାଇବା ଶିଖେ।। 

ସାଙ୍ଗ ମେଳେ ଜମେ ଭୋଜି ଆସର

ହ୍ବାଟସ୍ ଅପରେ ରଖେ ସବୁ ଖବର।। 

ଘର ପରିବାର ବନ୍ଧୁ ବାନ୍ଧବ

ମିଳିମିଶି ଥିଲେ ସବୁ ସମ୍ଭବ।। 

କ୍ରୋଧ ଚିନ୍ତା ଦୁଃଖ ଦିଅ ପାଶୋରି, 

ସୁସ୍ଥ ରହିବାକୁ ଖୁସି ଜରୁରୀ।। 

ଦୁନିଆକୁ ରଖ ହାତମୁଠାରେ

ଅସଲ ମଜା ତ ଷାଠିଏ ପରେ।। 

ମନ ଖୋଲା ମୋର ହୃଦୟ ଖୋଲା, 

ଷାଠିଏ ହେଲା ତ କଣ ହେଲା।।

  ସୌଜନ୍ୟ - "ଆଶା ଭରସା" ଚିର ସବୁଜ ଖବର , ଭୁବନେଶ୍ୱର,

www. avnews24. in