ଜାତୀୟ ନାଟକ ଉତ୍ସବ ପୂର୍ବରଙ୍ଗ ଉଦ୍‌ଯାପିତ...

Mar 31, 2026 - 22:23
 2
ଜାତୀୟ ନାଟକ ଉତ୍ସବ ପୂର୍ବରଙ୍ଗ ଉଦ୍‌ଯାପିତ...

ଜାତୀୟ ନାଟକ ଉତ୍ସବ ପୂର୍ବରଙ୍ଗ ଉଦ୍‌ଯାପିତ...

ଉଦ୍‌ଯାପନୀ ସନ୍ଧ୍ୟାରେ ନାଟକ ଅଦୃଶ୍ୟ ନଟ ମଞ୍ଚସ୍ଥ 

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, କୋଲକାତାର ମିଳିତ ସହଯୋଗରେ ଆୟୋଜିତ ହେଉଥିବା ଜାତୀୟ ନାଟକ ଉତ୍ସବ "ପୂର୍ବରଙ୍ଗ-୨୦୨୬" ଆଜି ଉଦ୍‌ଯାପିତ ହୋଇଯାଇଛି।

ନାଟକ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ପୁରୀର ରଙ୍ଗଶାଳା ନାଟ୍ୟ ଅନୁଷ୍ଠାନ ଦ୍ୱାରା ଓଡ଼ିଆ ନାଟକ "ଅଦୃଶ୍ୟ ନଟ" ପରିବେଷଣ କରାଯାଇଥିଲା।

ନାଟକର ରଚନା କରିଥିଲେ ନାଟ୍ୟକାର ହରିହର ମିଶ୍ର ଏବଂ ନିର୍ଦ୍ଦେଶନା ଦେଇଥିଲେ ବିକ୍ରମ କୁମାର ସାହୁ। ରୂପକଳ୍ପା ମିଶ୍ର, ଦେବ ପ୍ରସାଦ ଦାଶ, ଉଦୟଭାନୁ ମହାପାତ୍ର, କେଦାର ମିଶ୍ର, ରାକେଶ ସାହୁ, ନାରାୟଣ ରାଉତ, ସଂଗ୍ରାମ କେଶରୀ ଦାଶ, ଗୌରୀରଞ୍ଜନ ବାରିକ, ଶାନ୍ତୁନୁ ସାମନ୍ତରାୟ, ମୋହିତ ଅନିମେଶ ଦାଶ ଆଦି କଳାକାରମାନଙ୍କ ଅଭିନୟ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ନାଟକର କାହାଣୀ କବି ଦୀନକୃଷ୍ଣ ଦାସ ଏବଂ ତାଙ୍କର ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ରହିଥିବା ଶ୍ରଦ୍ଧା ଓ ଭକ୍ତି ଉପରେ ପର୍ଯ୍ୟବେସିତ ଥିଲା। 

ନାଟକଟି ରୀତିଯୁଗର ସାହିତ୍ୟ, ସମାଜ ଓ ରାଜନୈତିକ ପୃଷ୍ଠଭୂମି ଉପରେ ମଧ୍ୟ ଆଲୋକପାତ କରିଥିଲା।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନାଟ୍ୟକାର ଡ଼. ଶୈଳେଶ୍ୱର ନନ୍ଦ, ଅଭିନେତା ଶ୍ରୀ ହରିହର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମସ୍ତ କଳାକାରମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। 

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ରବୀନ୍ଦ୍ର ମଣ୍ଡପରେ ଜାତୀୟ ନାଟକ ଉତ୍ସବ "ପୂର୍ବରଙ୍ଗ-୨୦୨୬" ଆୟୋଜିତ ହୋଇଥିଲା। 

ଜାତୀୟ ନାଟକ ଉତ୍ସବରେ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଭାଷାରେ ନାଟକ ପରିବେଷଣ କରାଯାଇଥିଲା।