ସମଲେଶ୍ବରୀ କୋଇଲାଖଣି ଅଞ୍ଚଳ ର ଏକ ନିର୍ଜ୍ଜନ ସ୍ଥାନରେ ଚଢ଼ାଉ
ବ୍ରଜରାଜନଗର --ପିଏନଏସ ବ୍ରଜରାଜନଗର ପୁଲିସ ପକ୍ଷରୁ ସମଲେଶ୍ବରୀ କୋଇଲାଖଣି ଅଞ୍ଚଳ ର ଏକ ନିର୍ଜ୍ଜନ ସ୍ଥାନରେ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଛି।ସେମାନଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ ୨ଟି ଜୀବନ୍ତ ଗୁଳି,ଗୋଟିଏ ୭.୬ ଏମଏମ ପିସ୍ତଲ ସହିତ ଦୁଇଟି ଜୀବନ୍ତ ଗୁଳି ଜବତ କରିଛି। ଚଢ଼ାଉ ଗତକାଲି ରାତିରେ ହୋଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ରେଙ୍ଗାଲି ଥାନା ଅନ୍ତର୍ଗତ ମଙ୍ଗଳପୁରର ବିକାଶ ଓରାମ (୨୫), ତରଣୀ ବାଗ (୨୬) ଓ ସଙ୍ଗମ କଲେଟ (୨୦)। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବ ବ୍ରଜରାଜନଗର ଏସ୍ ଡ଼ି ପି ଓ ଚିନ୍ତାମଣି ପ୍ରଧାନ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ ଗତକାଲି ରାତିରେ ଏକ ଗ୍ୟାଙ୍ଗ ଦ୍ୱାରା ଅବୈଧ ଅସ୍ତ୍ରଶସ୍ତ୍ର କାରବାର ହେଉଥିବା ବିଷୟରେ ବ୍ରଜରାଜନଗର ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ରାମପୁର ଫାଣ୍ଡି ଅଧିକାରୀ ଏସଆଇ ଏସ.ବେହେରା ଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇଥିଲା । ପୋଲିସ ଦଳ ଏକ ନିର୍ଜନ ଅଞ୍ଚଳରେ ଚଢ଼ାଉ କରି ତିନି ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ । ସେମାନଙ୍କର ବ୍ୟକ୍ତିଗତ ତଲାସୀ ସମୟରେ ସଙ୍ଗମ କଲେଟ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଗୋଟିଏ ଦେଶୀ ପିସ୍ତଲ ଏବଂ ଦୁଇଟି ଜୀବନ୍ତ ଗୁଳି ଏବଂ ବିକାଶ ଓରାମଙ୍କଠାରୁ ଦୁଇଟି ଜୀବନ୍ତ ଗୁଳି ସହିତ ଅନ୍ୟ ଏକ ୭.୬ ଏମଏମ ପିସ୍ତଲ ଜବତ କରିଥିଲା। ସେମାନେ କୌଣସି ବୈଧ ଲାଇସେନ୍ସ ଦେଖାଇ ପାରିନଥିଲେ। ସେମାନେ କାହାଠାରୁ ଅସ୍ତ୍ରଶସ୍ତ୍ର କିଣିଥିଲେ ଏବଂ କାହାକୁ ବିକ୍ରୟ କରୁଥିଲେ ତାହାର ଲିଙ୍କ୍ ଖୋଜିବା ପାଇଁ ତଦନ୍ତ ଜାରି ରହିଥିବା ପୁଲିସ କହିଛି।