ସୁରକ୍ଷା ଯେ କୌଣସି ଦେଶର ବିକାଶର ଆଧାର
ସୁରକ୍ଷା ଯେକୌଣସି ଦେଶର ବିକାଶର ଆଧାର । ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଓ ଉଗ୍ରବାଦ ଆଜି ଦେଶ ପାଇଁ ପ୍ରମୁଖ ଆହ୍ୱାନ । ଆତଙ୍କବାଦକୁ ମାନବଜାତି ପାଇଁ ଏକ ସାମୂହିକ ବିପଦ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆତଙ୍କବାଦ ବିରୋଧରେ ସବୁ ଦେଶ ଏକାଠି ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତ ଏସସିଓ-ରାଟ୍ସ (Regional Anti-Terrorist Structure) ମାଧ୍ୟମରେ ଆତଙ୍କବାଦ ବିରୋଧୀ ଲଢେଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହି ବର୍ଷ ଭାରତ ମିଳିତ ସୂଚନା ଅଭିଯାନରେ ନେତୃତ୍ୱ ନେଇ “ଅଲ-କାଏଦା” ଏବଂ ସମ୍ପୃକ୍ତ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ ପଦକ୍ଷେପ ନେଇଛି। ଏହା ସହିତ ମୌଳବାଦ ବିରୋଧରେ ସମନ୍ୱୟ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି। ୨୫ତମ ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରି ଏହି କଥା କହିଛନ୍ତି ।
ଆୟୋଜକ ଚୀନର ରାଷ୍ଟ୍ରପତି ସିଜଜିନପିଙ୍ଗଙ୍କୁ ଚମତ୍କାର ସ୍ୱାଗତ ଓ ଆତିଥ୍ୟ ପାଇଁ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ସେ ଉଜବେକିସ୍ତାନର ସ୍ୱାଧୀନତା ଦିବସ ଏବଂ କିର୍ଗିଜସ୍ତାନର ଜାତୀୟ ଦିବସ ଉପଲକ୍ଷେ ଉଭୟ ଦେଶର ନେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଶିଖର ସମ୍ମିଳନୀ ଏସସିଓର ଗତ ୨୪ ବର୍ଷର ଯାତ୍ରା ଏବଂ ଭାରତର ସକ୍ରିୟ ଭୂମିକାକୁ ପୁନର୍ବାର ଆଲୋକପାତ କରିଥିବା କହିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ଏସସିଓ ପ୍ରତି ଭାରତର ନୀତି ତିନୋଟି ମୁଖ୍ୟ ସ୍ତମ୍ଭ ଉପରେ ଆଧାରିତ ବୋଲି ଉଲ୍ଲେଖ କରିଛନ୍ତି: ସୁରକ୍ଷା ,ସଂଯୋଗୀକରଣ ଏବଂ ସୁଯୋଗ । ପ୍ରଧାନମନ୍ତ୍ରୀ ଭାରତର ଚାରି ଦଶନ୍ଧିର ଆତଙ୍କବାଦୀ ଆକ୍ରମଣର ଦୁଃଖଦ ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମାନବତା ବିରୋଧୀ ଏକ ଘୃଣ୍ୟ କାର୍ଯ୍ୟ ବୋଲି ଅଭିହିତ କରି ସେ ଏହି ଦୁଃଖର ସମୟରେ ସହାୟତା ପ୍ରଦାନ କରିଥିବା ବନ୍ଧୁ ରାଷ୍ଟ୍ରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଆତଙ୍କବାଦକୁ ଖୋଲା ସମର୍ଥନ ଦେଉଥିବା ଦେଶମାନଙ୍କ ବିରୋଧରେ ସ୍ପଷ୍ଟ ଏବଂ ଏକତାବଦ୍ଧ ସ୍ୱରରେ ବିରୋଧ କରିବାକୁ ଆହ୍ୱାନ ଦେଇଛନ୍ତି, ଏବଂ ଆତଙ୍କବାଦ ଉପରେ ଦୁଇଟି ମାନଦଣ୍ଡକୁ ଗ୍ରହଣୀୟ ନୁହେଁ ବୋଲି ଜୋର ଦେଇଛନ୍ତି।
ଦୃଢ଼ ସଂଯୋଗୀକରଣ କେବଳ ବାଣିଜ୍ୟ ନୁହେଁ, ବରଂ ବିଶ୍ୱାସ ଓ ବିକାଶର ପଥ ମଧ୍ୟ ଖୋଲିଥାଏ। ଭାରତ ଚାବାହାର ବନ୍ଦର ଏବଂ ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର ମାଧ୍ୟମରେ ଆଫଗାନିସ୍ତାନ ଓ ମଧ୍ୟ ଏସିଆ ସହିତ ସଂଯୋଗୀକରଣ ବୃଦ୍ଧି କରିବାକୁ ଚେଷ୍ଟା କରୁଛି। ସେ ଜୋର ଦେଇଛନ୍ତି ଯେ, ସଂଯୋଗୀକରଣ ପ୍ରୟାସରେ ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ କରାଯିବା ଆବଶ୍ୟକ, ଯାହା ଏସସିଓ ଚାର୍ଟରର ମୌଳିକ ନୀତି ସହିତ ସମାନ। ସାର୍ବଭୌମତ୍ୱକୁ ଉଲ୍ଲଙ୍ଘନ କରୁଥିବା ସଂଯୋଗୀକରଣ ବିଶ୍ୱାସ ଓ ଅର୍ଥ ହରାଇଥାଏ।
ତୃତୀୟ ସ୍ତମ୍ଭ ‘ସୁଯୋଗ’ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏସସିଓରେ ଭାରତର ସହଯୋଗୀ ପଦକ୍ଷେପଗୁଡ଼ିକୁ ଉଲ୍ଲେଖ କରିଛନ୍ତି। ୨୦୨୩ରେ ଭାରତର ସଭାପତିତ୍ବ ସମୟରେ ଷ୍ଟାର୍ଟ-ଅପ୍, ନବସୃଜନ, ପାରମ୍ପରିକ ଔଷଧ, ଯୁବ ସଶକ୍ତୀକରଣ, ଡିଜିଟାଲ ଅନ୍ତର୍ଭୁକ୍ତି ଏବଂ ବୌଦ୍ଧ ଐତିହ୍ୟ ଭଳି ନୂତନ ବିଷୟଗୁଡ଼ିକ ଯୋଡ଼ା ଯାଇଥିଲା। ଏହା ଏସସିଓକୁ ସରକାରୀ ସ୍ତରରୁ ଆଗକୁ ନେଇ ସାଧାରଣ ଲୋକ, ଯୁବ ବୈଜ୍ଞାନିକ, ବିଦ୍ୱାନ ଓ ଷ୍ଟାର୍ଟ-ଅପ୍ଗୁଡ଼ିକୁ ସଂଯୋଗ କରିବାର ଲକ୍ଷ୍ୟ ରଖିଥିଲା।
ଏସସିଓର ବିକାଶମୂଳକ ପଦକ୍ଷେପକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ସଂଗଠିତ ଅପରାଧ, ନିଶା କାରବାର ଓ ସାଇବର ସୁରକ୍ଷା ଭଳି ସମସାମୟିକ ଆହ୍ୱାନର ମୁକାବିଲା ପାଇଁ ଚାରୋଟି ନୂତନ କେନ୍ଦ୍ର ପ୍ରତିଷ୍ଠାକୁ ପ୍ରଶଂସା କରିଛନ୍ତି। ସେ ଜାତିସଂଘର ୮୦ତମ ବାର୍ଷିକୀ ଅବସରରେ ବିଶ୍ୱ ପ୍ରତିଷ୍ଠାନଗୁଡ଼ିକରେ ସଂସ୍କାର ପାଇଁ ଏକତାବଦ୍ଧ ଆହ୍ୱାନ ଦେବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ, ଦକ୍ଷିଣ ବିଶ୍ୱର ଆକାଂକ୍ଷାକୁ ପୁରୁଣା ଢାଞ୍ଚାରେ ବନ୍ଦୀ ରଖିବା ଭବିଷ୍ୟତ ପିଢ଼ି ପାଇଁ ଅନ୍ୟାୟ। ଏସସିଓ ବହୁପାକ୍ଷିକତା ଓ ସମାବେଶୀ ବିଶ୍ୱ ବ୍ୟବସ୍ଥାର ମାର୍ଗଦର୍ଶକ ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ।