ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅଗ୍ରଗତି...

May 3, 2026 - 16:41
 8
ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅଗ୍ରଗତି...

୨୦୨୬-୨୭ ପାଇଁ 'ସୁଜଳ' ଯୋଜନାରେ ୧୫୦୦ କୋଟି ଟଙ୍କାର ବ୍ୟୟବରାଦ*

ରାଜ୍ୟର ସମସ୍ତ ସହରାଞ୍ଚଳରେ ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ନିଜର ପ୍ରୟାସକୁ ଆହୁରି ଜୋରଦାର କରିଛନ୍ତି। 

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜନସ୍ୱାସ୍ଥ୍ୟ ବୈଷୟିକ ସଂଗଠନ (PHEO)ର ୨୦୨୬-୨୭, ୨୦୨୭-୨୮ ଏବଂ ୨୦୨୮-୨୯ ବର୍ଷ ପାଇଁ ବାର୍ଷିକ କାର୍ଯ୍ୟଖସଡ଼ା ଉପରେ ବିସ୍ତୃତ ଆଲୋଚନା କରାଯାଇ ଅନୁମୋଦିତ ହୋଇଛି।

ରାଜ୍ୟର ୮୬ଟି ପୌରାଞ୍ଚଳରେ ୨୦୨୬ ସୁଦ୍ଧା ଜନସଂଖ୍ୟା ୩୧.୫୦ ଲକ୍ଷରେ ପହଞ୍ଚିବା ନେଇ ଆକଳନ କରାଯାଇଛି। 

ବର୍ତ୍ତମାନ ଏହି ଅଞ୍ଚଳଗୁଡ଼ିକରେ ଦୈନିକ ୪୫୨ ନିୟୁତ ଲିଟର ପାନୀୟ ଜଳ ଯୋଗାଇ ଦିଆଯାଉଛି। 

ସମସ୍ତ ସହରାଞ୍ଚଳରେ ୨୪x୭ ଜଳ ଯୋଗାଣ ଲକ୍ଷ୍ୟ ନେଇ ଏକ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି:

୨୦୨୫-୨୬ ବର୍ଷରେ ୯ଟି ପୌରାଞ୍ଚଳକୁ ଏହି ସେବାରେ ସାମିଲ କରାଯାଇଥିବା ବେଳେ, ୨୦୨୬-୨୭ ଏବଂ ୨୦୨୭-୨୮ ବର୍ଷରେ ପ୍ରତ୍ୟେକ ବର୍ଷ ୩୮ଟି ଲେଖାଏଁ ପୌରାଞ୍ଚଳକୁ ସାମିଲ କରାଯିବ।

‘ସୁଜଳ’ କାର୍ଯ୍ୟକ୍ରମ ଅଧୀନରେ ମୋଟ ୫୪୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯେଉଁଥିରୁ ୨୮୯ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି।

୨୦୨୬-୨୭ ବର୍ଷରେ ୧୦୨ଟି ନୂତନ ପ୍ରକଳ୍ପ ସମେତ ମୋଟ ୩୯୧ଟି ପ୍ରକଳ୍ପ ପାଇଁ ପ୍ରାୟ ୧୫୦୦ କୋଟି ଟଙ୍କା ବ୍ୟୟ କରାଯିବ। ୨୦୨୭-୨୮ ରେ ୯୨ଟି ନୂତନ ପ୍ରକଳ୍ପ ପାଇଁ ୯୭୮ କୋଟି ଟଙ୍କା ବିନିଯୋଗ କରାଯିବାର ଯୋଜନା ରହିଛି।

ଶ୍ରୀମତୀ ପାଢୀ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ସେ କହିଛନ୍ତି ଯେ, ସରକାରଙ୍କ ସାର୍ବଜନୀନ ୨୪x୭ ପାନୀୟ ଜଳ ଯୋଗାଣ ସଂକଳ୍ପକୁ ପୂରଣ କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ପାଣ୍ଠିର ସର୍ବାଧିକ ବ୍ୟବହାର ଏବଂ କାର୍ଯ୍ୟର ଗତି ବଢ଼ାଇବା ଜରୁରୀ। 

ଏଥିସହିତ, ବିଶୁଦ୍ଧ ପାନୀୟ ଜଳର ଅପବ୍ୟବହାର ରୋକିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି। 

ବଗିଚା କାମ, ଗାଡ଼ି ଧୋଇବା ଏବଂ ନିର୍ମାଣ କାର୍ଯ୍ୟ ପାଇଁ ପାନୀୟ ଜଳ ପରିବର୍ତ୍ତେ ବିକଳ୍ପ ଜଳ ଉତ୍ସ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର, ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ଶ୍ରୀମତୀ ଶିଖା ବିଶ୍ୱାଳ, PHEO ର ଯନ୍ତ୍ରୀ ମୁଖ୍ୟ ବିଳାସ ବେହେରାଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।