ଶେରଗଡ଼କୁ ଏନ୍‌ଏସି ମାନ୍ୟତା

ଶେରଗଡ଼କୁ ଏନ୍‌ଏସି ମାନ୍ୟତା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ହିଞ୍ଜିଳି-ଶେରଗଡ଼ ଯାଇ ସେଠାରେ ୧୮୧.୭୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୭ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହିତ ୧୩୬.୭୮ କୋଟି ଟଙ୍କାର ୮ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ପରେ ଶୀତଳାପଲ୍ଲୀ ଠାରେ ସମ୍‌ ହସ୍ପିଟାଲ୍‌ ସହ ୬୩୯.୮୧ କୋଟି ଟଙ୍କା ମୂଲ୍ୟର ୨୪ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ ୨୯୯୪ କୋଟି ଟଙ୍କାର ୫୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋଟ ୩ହଜାର ୯୫୨ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଶେରଗଡ଼ ଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନଙ୍କ ସହଯୋଗରେ ହିଞ୍ଜିଳି-ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ୍‌ ଭାବେ ପରିଚୟ ପାଇଛି ଏବଂ ଏହି ନିର୍ବାଚନମଣ୍ଡଳୀ ଏକ ଆଦର୍ଶ ନିର୍ବାଚନମଣ୍ଡଳୀରେ ପରିଣତ ହୋଇଛି। ୫-ଟି ଉପକ୍ରମରେ ରୂପାନ୍ତର ଅଭିଯାନ ପ୍ରଥମେ ହିଞ୍ଜିଳି-ଶେରଗଡ଼ରୁ ହିଁ ଆରମ୍ଭ ହୋଇଥିଲା। ମା' ତାରାତାରିଣୀ ପୀଠର ଉନ୍ନତି ସହିତ ହାଇସ୍କୁଲ ରୂପାନ୍ତର କାର୍ଯ୍ୟ ଏଠାରୁ ଆରମ୍ଭ ହୋଇଥିଲା। ଏହିସବୁ ରୂପାନ୍ତର କାର୍ଯ୍ୟ ଆଜି ଦେଶବିଦେଶକୁ

ଆକର୍ଷିତ କରୁଛି। ଆଜି ହାଇସ୍କୁଲ ରୂପାନ୍ତର କାର୍ଯ୍ୟ ଶେଷ ହୋଇ ସାରା ରାଜ୍ୟରେ ୮୦୦୦ରୁ ଅଧିକ ହାଇସ୍କୁଲ ରୂପାନ୍ତରିତ ହୋଇସାରିଛି। ପିଲାମାନଙ୍କ ଖୁସି ଓ ଲୋକଙ୍କ ଖୁସି ଦେଖି ସେ ବି ଆନନ୍ଦିତ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶେରଗଡ଼କୁ ଏନ୍‌ଏସି ଭାବେ ଘୋଷଣା କରିଥିଲେ ଏବଂ ହିଞ୍ଜିଳି-ଶେରଗଡ଼ର ବିକାଶକୁ ଏକ ନୂଆ ସୋପାନରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଶୀତଳାପଲ୍ଲୀ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ସରସ୍ୱତୀ ପୂଜାର ଶୁଭ ଅବସରରେ ଗଞ୍ଜାମ ଜିଲ୍ଲା ପାଇଁ ୫ ହଜାର କୋଟିରୁ ଅଧିକ ଟଙ୍କାର ଜଳସେଚନ ପ୍ରକଳ୍ପ, ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଗଲା। ସେହିପରି ଗୋପାଳପୁର ଇଣ୍ଡଷ୍ଟ୍ରିଆଲ୍‌ ପାର୍କରେ ଏସିଏମ୍‌ଇ ଓ ଆଭାଡ଼ା ଦ୍ୱାରା ଗ୍ରିନ୍‌ ଫୁଏଲ୍‌ ପ୍ରକଳ୍ପ ଏବଂ ଗୋପାଳପୁର ଠାରେ ଇଡ୍‌କୋର ୟୁଟିଲିଟି କରିଡ଼ର୍‌ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ଆଜି ଓଡ଼ିଶା ପୁଞ୍ଜିନିବେଶ କ୍ଷେତ୍ରରେ ଦେଶରେ ଦ୍ୱିତୀୟ ସ୍ଥାନରେ ଅଛି। ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଓଡ଼ିଶା ଖାଦ୍ୟ ଯୋଗାଉଛି। ବିଶ୍ୱର ବଡ଼ ବଡ଼ ଆଇଟି କମ୍ପାନି ଓଡ଼ିଶାରେ ସେମାନଙ୍କର କମ୍ପାନି ପ୍ରତିଷ୍ଠା କରୁଛନ୍ତି। କ୍ରୀଡ଼ା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସୁନାମ ଅର୍ଜନ କରିଛି। ଆମର ୫-ଟି ଉପକ୍ରମ ଶିକ୍ଷା-ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ ଓ ମା' ତାରାତାରିଣୀ ପୀଠର ରୂପାନ୍ତର ଓଡ଼ିଶାକୁ ଗୌରବାନ୍ୱିତ କରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ଚିକିତ୍ସା ଚିନ୍ତା ଦୂର କରିଛି। ଚାଷୀ, ମା' ଓ ଯୁବଗୋଷ୍ଠୀ ପାଇଁ ବିନାସୁଧରେ ଋଣ ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀଙ୍କ ପାଇଁ ନୂଆ-ଓ ଜରିଆରେ ଛାତ୍ରବୃତ୍ତି ଆରମ୍ଭ ହେବାକୁ ଯାଉଛି। ସେପଟେ ଆସନ୍ତା ୨୧ତାରିଖରେ ଗଞ୍ଜାମ ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହେବ ବୋଲି ୫-ଟି ଅଧ୍ୟକ୍ଷ ଘୋଷଣା କରିଥିଲେ। ଶୀତଳାପଲ୍ଲୀରେ ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଂଜୁଳା ସ୍ବାଇଁ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ରଚ୍ୟାଉପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଛତ୍ରପୁର ବିଧାୟକ ସୁବାସ ବେହେରା ଧନ୍ୟବାଦ ଦେଇଥିଲେ। ଶେରଗଡ଼ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିବା ବେଳେ ବ୍ଲକ୍‌ ଅଧକ୍ଷ କୃଷ୍ଣଚନ୍ଦ୍ର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।