ବଦଳିଲେ ବିଏମସି କମିଶନର, ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ ଦାୟିତ୍ୱ

ବିଏମସି କୁ ମିଳିଲା ନୂଆ କମିଶନର

ବଦଳିଲେ ବିଏମସି କମିଶନର, ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ ଦାୟିତ୍ୱ

ବିଏମସି କୁ ମିଳିଲା ନୂଆ କମିଶନର । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ରାଜେଶ ପ୍ରଭାକର ପାଟିଲଙ୍କୁ ବିଏମସି କମିଶନର ନୂଆ ଦାୟିତ୍ୱ ମିଳିଛି ।

ବର୍ତ୍ତମାନର କମିଶନର ବିଜୟ ଅମୃତ କୁଲାଙ୍ଗେ ଛୁଟିରେ ଯିବେ । ତାଙ୍କ ଆବେଦନର ଅନୁସାରେ ମାସେ ଛୁଟିରେ ଯାଉଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

ତେବେ ବିଜୟ ଅମୃତ କୁଲାଙ୍ଗେ ଛୁଟିରୁ ଫେରିଲା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିବ । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, 2005 ବ୍ୟାଚ୍ ଆଇଏଏସ୍ ରାଜେଶ ପ୍ରଭାକର ପାଟିଲଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ମିଳିଛି । ସେ ଅତିରିକ୍ତ ଭାବେ ସମବାୟ ବିଭାଗର ସଚିବ ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ତୁଲାଇବେ ।

ସେହିପରି 2013 ବ୍ୟାଚ୍ ଆଇଏଏସ୍ ଶ୍ରୀ କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଏକମାସ ପାଇଁ ଛୁଟିରେ ଯିବା ନିମନ୍ତେ ଅନୁମତି ଦେଇଥିବା ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ସାଧାରଣ ନିର୍ବାଚନ ପୂର୍ବରୁ ଅଚାନକ ଛୁଟିରେ ଯିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏପରିକି ଗତକାଲି (23 ତାରିଖ) ବିଏମସି ମାସିକ ବୈଠକରେ ମେୟର ଓ କର୍ପୋରେଟରଙ୍କ ଭତ୍ତା(ସିଟିଂ ଆଲାଉନ୍ସ) ବୃଦ୍ଧି ପାଇଁ ବିଏମସି ବୈଠକରେ ନିଷ୍ପତ୍ତି ନିଆଯିବା ଶ୍ରୀ କୁଲାଙ୍ଗେଙ୍କୁ ମହଙ୍ଗା ପଡ଼ିଛି ବୋଲି କୁହାଯାଉଛି । ଗତକାଲି ବିଏମସି ମାସିକ ବୈଠକରେ ମେୟରଙ୍କୁ ସିଟିଂ ଆଲାଉନ୍ସ 50 ହଜାର ଟଙ୍କା, ଡେପୁଟି ମେୟରଙ୍କ 25 ହଜାର ଟଙ୍କା ଓ କର୍ପୋରେଟରମାନଙ୍କର ସିଟିଂ ଆଲାଉନ୍ସ 10ହଜାର ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ସମସ୍ତ ଅର୍ଥ ବିଏମସି ପାଣ୍ଠିରୁ ଭରଣା କରାଯିବ ବୋଲି ଶ୍ରୀ କୁଲାଙ୍ଗେ ଗଣମାଧ୍ୟମକୁ କହିଥିଲେ ।

ମାତ୍ର ସନ୍ଧ୍ୟାରେ ଏହି ନିଷ୍ପତ୍ତିକୁ ରଦ୍ଦ କରାଯିବା ସହ ଏଥିପାଇଁ ସରକାରଙ୍କ ଅନୁମତି ଜରୁରୀ ବୋଲି ଶ୍ରୀ କୁଲାଙ୍ଗେ ଗଣମାଧ୍ୟମକୁ ସଫେଇ ଦେଇଥିଲେ । ଏହାସହିତ ଗତକାଲି ସନ୍ଧ୍ୟାରେ ହିଁ ଶ୍ରୀ କୁଲାଙ୍ଗେଙ୍କୁ ଏକମାସ ଛୁଟିରେ ଯିବା ପାଇଁ ସରକାର ଅନୁମତି ଦେଇ ତାଙ୍କ ସ୍ଥାନରେ ଶ୍ରୀ ପାଟିଲଙ୍କୁ ବିଏମସି କମିଶନର ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।