SIR କୁ ନେଇ CES ଙ୍କ ମନ୍ତବ୍ୟ...

Sep 29, 2026 - 18:33
 3
SIR କୁ ନେଇ CES ଙ୍କ ମନ୍ତବ୍ୟ...

ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାର ଏବଂ SIR (Special Intensive Revision / ସ୍ୱେଚ୍ଛାକୃତ ଭୋଟର ତାଲିକା ସଂଶୋଧନ) ପ୍ରସଙ୍ଗକୁ ନେଇ ଦେଶରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। 

ଏହି ସମ୍ବେଦନଶୀଳ ମୁଦ୍ଦାକୁ ନେଇ ଗୋଟିଏ ପଟେ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ବିରୋଧୀ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରୁଥିବା ବେଳେ, ଅନ୍ୟପଟେ ମାମଲା ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। 

ଏହି ସମସ୍ୟାର ସମାଧାନ ଓ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ଏହି ବିବାଦୀୟ ପରିସ୍ଥିତି ମଧ୍ୟରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଯାଉଛି। 

ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ SIR ଏବଂ ସମଗ୍ର ନିର୍ବାଚନ ପ୍ରକ୍ରିୟା ସହିତ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଂଗ୍ରେସ ନିଜର ଆଗାମୀ ରାଜନୈତିକ ରଣନୀତି ଚୂଡ଼ାନ୍ତ କରିବ। ଏହାପୂର୍ବରୁ କଂଗ୍ରେସ ଏହି ମୁଦ୍ଦାରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି କରି ବିଭିନ୍ନ ରାଜ୍ୟରେ ପ୍ରତିବାଦ ପ୍ରଦର୍ଶନ କରିସାରିଛି।

ମହାରାଷ୍ଟ୍ର ରାଜନୀତିରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ହଲଚଲ ଦେଖିବାକୁ ମିଳିଛି। ମୁମ୍ବାଇରେ ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ ଏବଂ MNS ମୁଖ୍ୟ ରାଜ ଠାକରେ ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ। 

ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ଉଭୟ ଦଳ ମିଳିତ ଭାବେ ଆସନ୍ତା ଅକ୍ଟୋବର ୪ ତାରିଖରେ ମୁମ୍ବାଇରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାର କରିବାକୁ ଘୋଷଣା କରିଛନ୍ତି। 

ସେହିପରି କୋକ୍ରୋଚ୍ ଜନତା ପାର୍ଟି (CJP) ମଧ୍ୟ ଅକ୍ଟୋବର ୨ ରୁ ମୁମ୍ବାଇରେ CEC ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅସୁବିଧା କେବଳ ରାଜନୈତିକ ସ୍ତରରେ ସୀମିତ ନାହିଁ, ଏହା ଏବେ ଆଇନଗତ ଆଇନଗତ ଆହ୍ୱାନର ସମ୍ମୁଖୀନ ହୋଇଛି। 

ସୁପ୍ରିମକୋର୍ଟ ଆଜି ଜ୍ଞାନେଶ କୁମାରଙ୍କ ବିରୋଧରେ ଦାୟର ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଆବେଦନର ଶୁଣାଣି କରିବେ। 

ଏହି ଆବେଦନରେ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ସହ ତାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ଉପରେ ସ୍ଥଗିତାଦେଶ (Stay order) ଜାରି କରିବାକୁ ଦାବି କରାଯାଇଛି।

ଅପରପକ୍ଷରେ, ବିରୋଧୀ ଦଳଗୁଡ଼ିକର ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି ଶାସକ ଦଳର ନେତାମାନେ। ସୋମବାର ଦିନ ବିଜେପି ସଭାପତି ନୀତିନ ନବୀନ କହିଛନ୍ତି ଯେ, ଏହା ବିରୋଧୀଙ୍କ ନିରାଶା ଓ ହତାଶାର ପ୍ରତୀକ। 

ସେ ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ କଂଗ୍ରେସ କେରଳ କିମ୍ବା ତାମିଲନାଡୁରେ ନିର୍ବାଚନ ଜିତେ, ସେତେବେଳେ ନିର୍ବାଚନ କମିଶନଙ୍କ କୌଣସି ଦୋଷ ନଥାଏ, କିନ୍ତୁ ପଶ୍ଚିମବଙ୍ଗ କିମ୍ବା ଅନ୍ୟ କୌଣସି ସ୍ଥାନରେ ହାରିଲେ ସମସ୍ତ ଦୋଷ ନିର୍ବାଚନ କମିଶନଙ୍କ ଉପରେ ଦିଆଯାଏ।

ଗୋଟିଏ ପଟେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ଗ୍ରାଉଣ୍ଡ ଜିରୋରୁ ନେଇ ଆଇନଗତ ଆହ୍ୱାନ ଏବଂ ରାଜରାସ୍ତାରେ ଆନ୍ଦୋଳନ ମାଧ୍ୟମରେ କମିଶନଙ୍କ ଉପରେ ଚାପ ସୃଷ୍ଟି କରୁଥିବା ବେଳେ, ଅନ୍ୟପଟେ ବିଜେପି ଓ ତାର ସହଯୋଗୀ ଦଳଗୁଡ଼ିକ ଏହାକୁ ବିରୋଧୀଙ୍କ ନିରାଶା ଏବଂ ନିର୍ବାଚନୀ ପରାଜୟର ବାହାନା ବୋଲି ଅଭିହିତ କରୁଛନ୍ତି। 

ଆଗାମୀ ଦିନରେ ସୁପ୍ରିମକୋର୍ଟଙ୍କ ଶୁଣାଣି ଏବଂ ପ୍ରସ୍ତାବିତ ଗଣ-ଆନ୍ଦୋଳନଗୁଡ଼ିକ ଏହି ସମ୍ବେଦନଶୀଳ ମୁଦ୍ଦାକୁ କେଉଁ ମୋଡ଼ ଦେଉଛି, ତାହା ଉପରେ ସାରା ଦେଶର ନଜର ରହିବ।