ଆଇନକୁ ନେଇ ଯୁବ ଆଇନ ଜୀବି Mrs କଲ୍ୟାଣୀ ସେନଙ୍କ ବକ୍ତବ୍ୟ...

Aug 8, 2026 - 16:39
 57
ଆଇନକୁ ନେଇ ଯୁବ ଆଇନ ଜୀବି Mrs କଲ୍ୟାଣୀ ସେନଙ୍କ ବକ୍ତବ୍ୟ...

"ଆଇନଜୀବୀ ବୃତ୍ତି – ସୀମାହୀନ ଜ୍ଞାନ, ନ୍ୟାୟ ଓ ମାନବସେବାର ଏକ ମହାନ ଯାତ୍ରା"

                              ଜୀବନରେ ଅନେକ ପାଠ୍ୟବିଷୟ ପଢ଼ିହୁଏ। କିଛି ବିଷୟ କେବଳ ପରୀକ୍ଷାରେ ଭଲ ନମ୍ବର ପାଇବା ପାଇଁ, କିଛି ବିଷୟ ନିର୍ଦ୍ଦିଷ୍ଟ ଚାକିରି ପାଇଁ। କିନ୍ତୁ ଆଇନ ସେହିପରି ବିଷୟ ନୁହେଁ। 

ଏହା ଏକ ଜୀବନ୍ତ ବିଜ୍ଞାନ, ଯାହା ମଣିଷର ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ପଦକ୍ଷେପ ସହ ଜଡ଼ିତ।

ବିଦ୍ୟାର୍ଥୀ ଜୀବନରେ ଆଇନକୁ ଅନ୍ୟ ପାଠ୍ୟବିଷୟ ପରି ଚିନ୍ତା କରାଯାଇ ପାରେ 

କିନ୍ତୁ ଯେତେବେଳେ ଆଇନଜୀବୀ ବୃତ୍ତିରେ ପ୍ରବେଶ କରାଗଲା ସେତେବେଳେ ଅନୁଭବ ହେଲା ଯେ ପୁସ୍ତକର ପ୍ରତ୍ୟେକ ଧାରା, ପ୍ରତ୍ୟେକ ନିୟମ ଏବଂ ପ୍ରତ୍ୟେକ ରାୟ ବାସ୍ତବ ଜୀବନରେ ପ୍ରତିଦିନର ପ୍ରୟୋଗ ଶାଳା । 

ଏହି ବୃତ୍ତି ମୋତେ କେବଳ ଆଇନ ଶିଖାଏ ନାହିଁ, ବରଂ ମଣିଷକୁ ବୁଝିବା, ସମାଜକୁ ବୁଝିବା ଏବଂ ନ୍ୟାୟର ମୂଲ୍ୟ ବୁଝିବାର ଶିକ୍ଷା ଦେଇଛି।

"ଅତୀତରେ ଏକ ନିର୍ଦିଷ୍ଟ ସଂସ୍ଥାରେ କାର୍ଯ୍ୟ କଲାବେଳେ ସେତେବେଳେ ତାର କାର୍ଯ୍ୟକ୍ଷେତ୍ର ଏକ ବିଭାଗ, ଏକ କାର୍ଯ୍ୟାଳୟ ଏବଂ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ସୀମିତ ଥିଲା" | 

କିନ୍ତୁ ଆଇନଜୀବୀ ବୃତ୍ତିରେ ପ୍ରବେଶ କରିବା ପରେ ବୁଝି ହୋଇ ଗଲାଯେ ଯେ ଏହି ପେଶାର କୌଣସି ସୀମାରେଖା ନାହିଁ। 

ଜଣେ ସାଧାରଣ ଶ୍ରମିକଙ୍କ ଅଧିକାର ପାଇଁ ଲଢ଼ିବାକୁ ହେଉ, କାଲି ଜଣେ କୃଷକଙ୍କ ଜମି ଓ ଭୂମି ସମ୍ବନ୍ଧୀୟ ବିବାଦର ସମାଧାନ କରିବାକୁ ହେଉ, ଜଣେ ଜମିମାଲିକଙ୍କ ସମ୍ପତ୍ତି ଅଧିକାରର ସୁରକ୍ଷା କରିବାକୁ ହେଉ, ଜଣେ ବ୍ୟବସାୟୀଙ୍କୁ ଆଇନଗତ ପରାମର୍ଶ ଦେବାକୁ ହେଉ, ଜଣେ ଶିଳ୍ପପତି କିମ୍ବା କମ୍ପାନୀର ସ୍ୱାର୍ଥ ରକ୍ଷା କରିବାକୁ ହେଉ, ଜଣେ ମହିଳାଙ୍କ ସମ୍ମାନ ଓ ଅଧିକାର ପାଇଁ ଠିଆ ହେବାକୁ ହେଉ, ଜଣେ ଶିଶୁଙ୍କ ଭବିଷ୍ୟତ ସୁରକ୍ଷା କରିବାକୁ ହେଉ, ଜଣେ ବରିଷ୍ଠ ନାଗରିକଙ୍କୁ ନ୍ୟାୟ ଦେବାକୁ ହେଉ, ଜଣେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଧିକାର ପାଇଁ ଲଢ଼ିବାକୁ ହେଉ, ଜଣେ କର୍ମଚାରୀଙ୍କ ସେବାଗତ ସମସ୍ୟାର ସମାଧାନ କରିବାକୁ ହେଉ, ଜଣେ ଉପଭୋକ୍ତାଙ୍କ ଅଧିକାର ସୁରକ୍ଷା କରିବାକୁ ହେଉ, ଜଣେ ଦୁର୍ଘଟଣା ପୀଡ଼ିତଙ୍କୁ କ୍ଷତିପୂରଣ ଦେବାକୁ ହେଉ, ପାରିବାରିକ ବିବାଦ, ଉତ୍ତରାଧିକାର, ଇଚ୍ଛାପତ୍ର (Will), ଭଡ଼ାଟିଆ–ଘରମାଲିକ ବିବାଦ, ଚୁକ୍ତି (Contract), ବ୍ୟାଙ୍କ ଋଣ, କର (Tax), ପରିବେଶ, ସାଇବର ଅପରାଧ କିମ୍ବା ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଲଢ଼ିବାକୁ ହେଉ—ପ୍ରତ୍ୟେକ କ୍ଷେତ୍ରରେ ଜଣେ ଆଇନଜୀବୀଙ୍କ ଭୂମିକା ଅପରିହାର୍ଯ୍ୟ। 

ଆଇନ ଯେଉଁଠାରେ ରହିଛି, ସେଠାରେ ଆଇନଜୀବୀଙ୍କ ଆବଶ୍ୟକତା ନିଶ୍ଚିତ ରହିଛି।

????ଜଣେ ଆଇନଜୀବୀଙ୍କ କାର୍ଯ୍ୟ କେବଳ କୋର୍ଟ ରୁମ୍ ମଧ୍ୟରେ ସୀମିତ ନୁହେଁ। 

ସେ ନ୍ୟାୟାଳୟ, ପୋଲିସ ଥାନା, ସରକାରୀ କାର୍ଯ୍ୟାଳୟ, ବେସରକାରୀ ସଂସ୍ଥା, ଅଣ-ସରକାରୀ ସଂଗଠନ (NGO), କମ୍ପାନୀ,ବିଭିନ୍ନ ଟ୍ରିବ୍ୟୁନାଲ, କମିଶନ, ପଞ୍ଚାୟତ, କମ୍ପାନୀ, ଶିକ୍ଷାନୁଷ୍ଠାନ, ଶିଳ୍ପ ସଂସ୍ଥା ଓ ସମାଜର ପ୍ରତ୍ୟେକ ସ୍ତରରେ ନ୍ୟାୟ ଓ ଆଇନଗତ ସହାୟତା ପ୍ରଦାନ କରିଥାନ୍ତି। ଆଇନ ଯେଉଁଠାରେ ଅଛି, ସେଠାରେ ଆଇନଜୀବୀଙ୍କ ଭୂମିକା ରହିଛି।

ଅନେକ ଲୋକ ପଚାରନ୍ତି—"ଆପଣ କେଉଁ କ୍ଷେତ୍ରରେ ପ୍ରାକ୍ଟିସ୍ କରନ୍ତି?" ମୋର ଉତ୍ତର ହେଉଛି—ଆଇନର ପ୍ରତ୍ୟେକ କ୍ଷେତ୍ର ଜଣେ ଆଇନଜୀବୀଙ୍କ ଶିଖିବା ଓ ସେବା କରିବାର କ୍ଷେତ୍ର।

ଆଇନରେ ଏପରି କୌଣସି ସାଧାରଣ ନିୟମ ନାହିଁ ଯେ ଜଣେ ଆଇନଜୀବୀ କେବଳ ଦେୱାନୀ (Civil) କିମ୍ବା କେବଳ ଫୌଜଦାରୀ (Criminal) ମାମଲା ହିଁ ପରିଚାଳନା କରିପାରିବେ। 

ଜଣେ ଅଧିବକ୍ତା ଆଇନ ଅନୁଯାୟୀ ଦେୱାନୀ, ଫୌଜଦାରୀ, ଶ୍ରମ, ପାରିବାରିକ, ସାମ୍ବିଧାନିକ, ସେବା, ଉପଭୋକ୍ତା, କର୍ପୋରେଟ୍, ଆର୍ବିଟ୍ରେସନ୍ ସହିତ ବିଭିନ୍ନ ପ୍ରକାରର ମାମଲାରେ କାର୍ଯ୍ୟ କରିପାରନ୍ତି। 

ଅନେକ ଆଇନଜୀବୀ ନିଜ ରୁଚି ଓ ଅଭିଜ୍ଞତା ଅନୁଯାୟୀ କୌଣସି ବିଶେଷ କ୍ଷେତ୍ରରେ ଅଧିକ ପ୍ରାକ୍ଟିସ୍ କରନ୍ତି, କିନ୍ତୁ ତାହା ଆଇନର ପ୍ରତିବନ୍ଧକତା ନୁହେଁ, ବରଂ ବ୍ୟକ୍ତିଗତ ପସନ୍ଦ।

ଆଇନଜୀବୀ ବୃତ୍ତିର ସବୁଠାରୁ ବଡ଼ ସୌନ୍ଦର୍ଯ୍ୟ ହେଉଛି—ପ୍ରତିଦିନ ନୂଆ କିଛି ଶିଖିବାକୁ ମିଳେ। 

ପ୍ରତ୍ୟେକ ମାମଲା ନୂଆ, ପ୍ରତ୍ୟେକ ତଥ୍ୟ ନୂଆ, ପ୍ରତ୍ୟେକ ଯୁକ୍ତି ନୂଆ ଏବଂ ପ୍ରତ୍ୟେକ ରାୟ ଏକ ନୂତନ ଶିକ୍ଷା। 

ସେଥିପାଇଁ କୁହାଯାଏ, ଆଇନ ଏକ ଅସୀମ ସମୁଦ୍ର। ଯେତେ ଗଭୀରକୁ ଯିବେ, ସେତେ ନୂତନ ଜ୍ଞାନ ମିଳିବ।

ଏହି ବୃତ୍ତି ମୋତେ ଶିଖାଇଛି ଯେ ଜଣେ ଆଇନଜୀବୀ କେବଳ ମକଦ୍ଦମା ଲଢ଼ନ୍ତି ନୁହେଁ; ସେ ଅଧିକାରର ସୁରକ୍ଷା କରନ୍ତି, ଅନ୍ୟାୟ ବିରୋଧରେ ସ୍ୱର ଉଠାନ୍ତି, ସମାଜକୁ ଆଇନ ସଚେତନ କରନ୍ତି ଏବଂ ସମ୍ବିଧାନର ମୂଲ୍ୟବୋଧକୁ ସୁଦୃଢ଼ କରନ୍ତି।

ମୋ ପାଇଁ ଆଇନଜୀବୀ ବୃତ୍ତି କେବଳ ଏକ ପେଶା ନୁହେଁ, ଏହା ଏକ ସାଧନା, ଏକ ଦାୟିତ୍ୱ ଏବଂ ନ୍ୟାୟ ପ୍ରତିଷ୍ଠାର ଏକ ଆଜୀବନ ସଂକଳ୍ପ।