ଆଇସିସି ଟେଷ୍ଟ୍ ମାନ୍ୟତା : ପ୍ରଥମ ଭାରତୀୟ ଦ୍ରୁତ ବୋଲର ଶୀର୍ଷରେ ବୁମ୍ରା
ନୂଆଦିଲ୍ଲୀ: ବିଶାଖାପାଟଣା ଟେଷ୍ଟ୍ରେ ଭାରତକୁ ବିଜୟୀ କରାଇଥିବା ଯଶପ୍ରୀତ୍ ବୁମ୍ରା ଆଇସିସି ଟେଷ୍ଟ୍ ମାନ୍ୟତାରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏଥିସହିତ ସେ ଭାରତର ପ୍ରଥମ ଦ୍ରୁତ ବୋଲର ଭାବେ ଏହି ସ୍ଥାନରେ ପହଞ୍ଚିଛନ୍ତି। ବୁମ୍ରା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ଭାରତର ଦ୍ରୁତତମ ବୋଲର ଭାବେ ୧୫୦ ୱିକେଟ୍ ଅତିକ୍ରମ କରିଥିଲେ। ମ୍ୟାଚ୍ରେ ୯ ୱିକେଟ୍ (୩/୪୬, ୬/୪୫) ନେଇ ଭାରତକୁ ଜିତାଇଥିବାରୁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଏହି ସଫଳତା ପରେ ବୋଲର ମାନ୍ୟତାରେ ସେ ୩ସ୍ଥାନ ଉପରକୁ ଉଠି ୧ ନମ୍ବରରେ ପହଞ୍ଚିଥିଲେ ଏବଂ ସାଥୀ ଖେଳାଳି ରବିଚନ୍ଦ୍ରନ ଅଶ୍ବିନଙ୍କଠୁ ଶୀର୍ଷ ସ୍ଥାନ ଛଡ଼ାଇ ଆଣିଥିଲେ। ପୂର୍ବରୁ ୩୦ ବର୍ଷିୟ ବୁମ୍ରା ଶ୍ରେଷ୍ଠ ତୃତୀୟ ସ୍ଥାନ ପର୍ଯ୍ୟନ୍ତ ଆସିପାରିଥିଲେ। ୩୪ ଟେଷ୍ଟ୍ରେ ସେ ୧୦ ଥର ୫ ୱିକେଟ୍ ସଫଳତା ପାଇଛନ୍ତି। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକା (୬/୬୧) ଓ ଇଂଲଣ୍ଡ (୬/୪୫) ବିପକ୍ଷରେ ସେ ଏହି ସଫଳତା ପାଇସାରିଛନ୍ତି। ଅନ୍ୟପକ୍ଷରେ ଗତବର୍ଷ ମାର୍ଚ୍ଚ ମାସରୁ ଶୀର୍ଷ ସ୍ଥାନ ବଜାୟ ରଖିଆସୁଥିବା ଅଶ୍ବିନ ଦ୍ବିତୀୟ ଟେଷ୍ଟରେ ମାତ୍ର ୩ ୱିକେଟ୍ ନେଇଥିବାରୁ ଦୁଇଟି ସ୍ଥାନ ତଳକୁ ଖସିଆସିଛନ୍ତି। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରବାଡ଼ା ଦ୍ବିତୀୟ ସ୍ଥାନରେ ଅଛନ୍ତି। ଅଲରାଉଣ୍ଡର୍ଙ୍କ ମଧ୍ୟରେ ଅକ୍ଷର ପଟେଲ୍ ଗୋଟିଏ ସ୍ଥାନ ଚଢ଼ି ପଞ୍ଚମରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଟେଷ୍ଟ୍ କ୍ରିକେଟ୍ରେ ଅନ୍ୟୂନ ଦେଢ଼ ଶହ ୱିକେଟ୍ ନେଇଥିବା ବୋଲରଙ୍କ ବୋଲିଂ ହାର ତାଲିକାରେ ବୁମ୍ରା ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେ କେବଳ ଇଂଲଣ୍ଡର ମହାନ ଦ୍ରୁତ ବୋଲର ସିଡ୍ନି ବାର୍ନସଙ୍କଠାରୁ ପଛରେ ରହିଛନ୍ତି। ବର୍ନସଙ୍କ ବୋଲିଂ ହାର ୧୬.୪୩ ଥିଲା ବେଳେ ବୁମ୍ରାଙ୍କ ବୋଲିଂ ହାର ରହିଛି ୨୦.୨୯।