ଆସନ୍ତା ୧୬ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି
ନଭେମ୍ବର ୧୬ ତାରିଖ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି। ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର ଓ କଟକରେ ଆୟୋଜିତ ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ। ୧୭ତମ ଓଡ଼ିଶା ବିଧାନସଭା ସଦସ୍ୟଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ ଏବଂ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ଆଇକନିକ୍ ଟାୱାରର ଶୁଭାରମ୍ଭ କରିବେ।
ସୋମବାର ସକାଳ ୯ଟା ୧୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉପରାଷ୍ଟ୍ରପତି ପହଞ୍ଚିବେ। ଏହାପରେ ଭୁବନେଶ୍ୱରସ୍ଥିତ ମେଫେୟାର ସାଙ୍କ୍ଚୁଆରୀ କନଭେନସନ୍ ହଲ୍ରେ ପହଞ୍ଚିବେ। ସେଠାରେ ୧୭ତମ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ।
ଏହା ପରେ ଭୁବନେଶ୍ୱରରୁ ସଡ଼କପଥରେ କଟକ ଅଭିମୁଖେ ବାହାରିବେ। ସେଠାରେ କଟକ ଜିଲ୍ଲା ବିଦ୍ୟାଧରପୁର ଅରିଲୋସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ନୂତନ ଆଇକନିକ୍ ଟାୱାର (ଏକାଡେମିକ୍ ବିଲ୍ଡିଂ)ର ଉଦ୍ଘାଟନ କରିବେ।ଏହି କାର୍ଯ୍ୟକ୍ରମ ସମାପନ ପରେ କଟକରୁ ଭୁବନେଶ୍ୱର ବିମାନବନ୍ଦର ଅଭିମୁଖେ ସଡ଼କପଥରେ ଆସି ଅପରାହ୍ନ ୨ଟା ୫ରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଭିମୁଖେ ଫେରିବେ। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ଭୁବନେଶ୍ୱର ଓ କଟକରେ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି।