ଉତ୍କଳିକାର ୬୮ତମ ପ୍ରତିଷ୍ଠା ଦିବସ ପାଳିତ...

May 13, 2026 - 21:22
May 13, 2026 - 21:30
 5
ଉତ୍କଳିକାର ୬୮ତମ ପ୍ରତିଷ୍ଠା ଦିବସ ପାଳିତ...

ହସ୍ତଶିଳ୍ପ ଓ ହସ୍ତତନ୍ତ ଆମ ଉତ୍କର୍ଷ କଳାର ଉଜ୍ଜ୍ଵଳ ସ୍ଵାକ୍ଷର : ମନ୍ତ୍ରୀ

ହସ୍ତଶିଳ୍ପ ଓ ହସ୍ତତନ୍ତ ଆମ ଉତ୍କର୍ଷ କଳାର ଉଜ୍ଜ୍ଵଳ ସ୍ଵାକ୍ଷର । 

ଏହି ପାରମ୍ପରିକ କଳାର ସରଂକ୍ଷଣ ସହ ହଜାର ହଜାର କାରିଗରଙ୍କୁ ଜୀବିକା ଯୋଗାଇବାରେ ଉତ୍କଳିକା ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ମତ ପ୍ରକାଶ କରିଛନ୍ତି । 

ସ୍ଥାନୀୟ ଉତ୍କଳିକାର ମୁଖ୍ୟ କାର୍ଯ୍ୟାଳୟଠାରେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଉତ୍କଳିକା)ର ୬୮ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ସେ କହିଛନ୍ତି, ମହିଳା ସଶକ୍ତୀକରଣ ଓ ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବାରେ ଏହି କ୍ଷେତ୍ର ଗୁରୁ ଦାୟିତ୍ଵ ବହନ କରିଛି । 

ଉତ୍କଳିକାର ଆଧୁନିକ ବ୍ୟବସାୟିକ କାର୍ଯ୍ୟପଦ୍ଧତିକୁ ଅଧିକ ସୁଦୃଢ ଓ କାର୍ଯ୍ୟକ୍ଷମ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ଶ୍ରୀ ବଳ ସାମନ୍ତ ଇଆରପି (ଏଣ୍ଟରପ୍ରାଇଜ୍ ରିସୋର୍ସ ପ୍ଲାନିଙ୍ଗ) ବ୍ୟବସ୍ଥାର ଶୁଭାରମ୍ଭ କରିବା ସହିତ ଏହାର ସୂଚନା ପୁସ୍ତକ ଉନ୍ମୋଚନ କରିଛନ୍ତି । 

ଏହି ବ୍ୟବସ୍ଥା ମାଧ୍ୟମରେ ଉତ୍କଳିକାର କାର୍ଯ୍ୟପ୍ରଣାଳୀରେ ସ୍ଵଚ୍ଛତା, କାର୍ଯ୍ୟଦକ୍ଷତା ଓ ଡିଜିଟାଲ ସୁବିଧାର ବୃଦ୍ଧି ସହିତ ସେବା ପ୍ରଦାନ ପ୍ରକ୍ରିୟା ଅଧିକ ସଂଗଠିତ ହେବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଛନ୍ତି I

ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର-ତଥା-ଶାସନ ସଚିବ ଗୁହା ପୁନମ ତାପସ କୁମାର ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ କହିଥିଲେ, ୬୮ ବର୍ଷର ଯାତ୍ରାରେ ଉତ୍କଳିକା ବିଶ୍ଵାସଯୋଗ୍ୟ ପ୍ରତିଷ୍ଠାନ ଭାବେ ପ୍ରତିଷ୍ଠିତ ହୋଇପାରିଛି । 

୨୦୨୫–୨୬ ଆର୍ଥିକ ବର୍ଷରେ ଉତ୍କଳିକା ₹ ୫୧.୫୩ କୋଟିର ବ୍ୟବସାୟ କରିଥିବାବେଳେ ୨୦୨୬–୨୭ ପାଇଁ ₹୭୫ କୋଟିର ଲକ୍ଷ୍ୟ ରଖିଛି । 

ଏହି ଲକ୍ଷ୍ୟ ପୂରଣ ପାଇଁ ନୂତନ ବିପଣନ କେନ୍ଦ୍ର ଖୋଲିବା, ଅନଲାଇନ ବିକ୍ରୟ ବ୍ୟବସ୍ଥାର ସୁଦୃଢୀକରଣ, ନୂଆ ଡିଜାଇନ୍‌କୁ ଗୁରୁତ୍ଵ ଉପରେ ପ୍ରଦାନ କରାଯାଉଛି । 

ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ଅଧିକ ବ୍ୟବସାୟ କରିଥିବା ବର୍ଗରେ କେନ୍ଦୁଝର ଉତ୍କଳିକା ପ୍ରଥମ ପୁରସ୍କାର ଜିତିଥିବା ବେଳେ କଳାଭୂମି ଦ୍ଵିତୀୟ ଏବଂ ପୁରୀ-ଉତ୍କଳିକା ତୃତୀୟ ପୁରସ୍କାର ବିଜୟୀ ହୋଇଛନ୍ତି । 

ଉତ୍କଳିକା ଶାଖା ପରିଚାଳକ ଦିବାକର ସେଠୀ, ଶାରଳା ପଟ୍ଟନାୟକ ଏବଂ ମଧୁସୂଦନ ମାଝୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଗ୍ରହଣ କରିଥିଲେ ।  

ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉତ୍କଳିକାର ସଭାପତି ଦେବସ୍ମିତା ସାହୁ, ଉପ-ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ପରିଚାଳନା ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ହୋତା, ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ସାଧାରଣ ପରିଚାଳିକା ମମତା ନାୟକ, ଉତ୍କଳିକାର ଅଧିକାରୀବୃନ୍ଦ, ବିଭିନ୍ନ ସମବାୟ ସମିତିର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ । 

ଏହି ଅବସରରେ ଉତ୍କଳିକା ଦ୍ଵାରା ପରିଚାଳିତ “ଜାତୀୟ ହସ୍ତଶିଳ୍ପ ଉନ୍ନୟନ ଯୋଜନା” ଅଧୀନରେ ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ଉତ୍ପାଦ, ତାଲିମ କେନ୍ଦ୍ର ପକ୍ଷରୁ ବିକଶିତ ନୂତନ ଉତ୍ପାଦ, ଉତ୍କଳିକା ଦ୍ଵାରା ବିକଶିତ ନୂତନ ଡିଜାଇନ୍‌ର ଉତ୍ପାଦମାନଙ୍କର ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । 

ସୂଚନାଯୋଗ୍ୟ ଯେ ୧୯୫୯ ମସିହାରେ ଉତ୍କଳିକା ପ୍ରତିଷ୍ଠା ହୋଇଥିଲା । 

ବର୍ତ୍ତମାନ ଉତ୍କଳିକାରେ ୧୧୬ଟି ପ୍ରାଥମିକ ହସ୍ତଶିଳ୍ପ ସମବାୟ ସମିତି ସଦସ୍ୟ ଭାବେ ପଞ୍ଜିକୃତ ହୋଇଛନ୍ତି । 

ରାଜ୍ୟ ଭିତରେ ଉତ୍କଳିକାର ୧୨ଟି ଶାଖା ଏବଂ ରାଜ୍ୟ ବାହାରେ ୬ଟି ଶାଖା ସହିତ ସର୍ବମୋଟ ୧୮ଟି ଶାଖା ମାଧ୍ୟମରେ ଏହା କାର୍ଯ୍ୟ କରୁଛନ୍ତି