"ବିଶ୍ୱ ବଜାର ପାଇଁ ବୟନ ଶିଳ୍ପ" ଶୀର୍ଷକ କର୍ମଶାଳା...
ରାଜ୍ୟସ୍ତରୀୟ ଆନ୍ତଃ-ପରାମର୍ଶଦାତା କର୍ମଶାଳା ଆୟୋଜିତ
ହସ୍ତତନ୍ତ ଓ ବୟନ ଶିଳ୍ପ ହେଉଛି ଆମ ଗ୍ରାମୀଣ ଅର୍ଥନୀତିର ଜୀବନରେଖା ।
ଏହି ଉତ୍ପାଦ ଅଧିକରୁ ଅଧିକ ରପ୍ତାନି ହେଲେ ଆମ ଅର୍ଥନୀତି ଅଧିକ ସମୃଦ୍ଧ ହେବ ବୋଲି ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ମତ ବ୍ୟକ୍ତ କରିଛନ୍ତି ।
ସ୍ଥାନୀୟ ମେ’ ଫେୟାର ହୋଟେଲଠାରେ "ବିଶ୍ୱ ବଜାର ପାଇଁ ବୟନ ଶିଳ୍ପ" ଶୀର୍ଷକ ରାଜ୍ୟସ୍ତରୀୟ ଆନ୍ତଃ-ପରାମର୍ଶଦାତା କର୍ମଶାଳାର ଶୁଭାରମ୍ଭ କରି ସେ କହିଥିଲେ, ବୟନଶିଳ୍ପ ଓ ହସ୍ତତନ୍ତର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ।
ଏହି କର୍ମଶାଳାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଯୋଗ ଦେଇ କହିଥିଲେ, ଆମ ଗୌରବମୟ ପରମ୍ପରାକୁ କେବଳ ଓଡ଼ିଶା କିମ୍ବା ଭାରତ ମଧ୍ୟରେ ସୀମିତ ନରଖି ବିଶ୍ୱ ବଜାରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବାକୁ ହେବ । ବିଶ୍ୱ ବଜାର ଆଜି 'ସଷ୍ଟେନେବଲ୍ ଫ୍ୟାସନ୍' ଉପରେ ଗୁରୁତ୍ୱ ଦେଉଛି ।
ଆମ ଓଡ଼ିଶାର ହସ୍ତତନ୍ତ ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ ଏବଂ ପରିବେଶ ଅନୁକୂଳ ।
କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଦୃଢ଼ ସମନ୍ୱୟ ରକ୍ଷା କରି ଓଡ଼ିଶାର ବୟନ ଓ ହସ୍ତତନ୍ତ ସାମଗ୍ରୀକୁ ବିଶ୍ୱର ପ୍ରତିଟି କୋଣରେ ପହଞ୍ଚାଇବା ପାଇଁ ଆଜିର ମାନସମନ୍ଥନ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବ ବୋଲି ସେ ମତ ପ୍ରକାଶ କରିଥିଲେ ।
ଏହି ଅବସରରେ ସମଗ୍ର ରାଜ୍ୟର ବୁଣାକାର ଓ କାରିଗରମାନଙ୍କର ମାଗଣା ଚକ୍ଷୁ ପରୀକ୍ଷା ପାଇଁ ସାଇଟ୍ ସେଭର୍ ଇଣ୍ଡିଆ ସହ ରାଜ୍ୟ ସରକାରଙ୍କ ବୟନଶିଳ୍ପ ନିର୍ଦ୍ଦେଶକ ଏବଂ ହସ୍ତଶିଳ୍ପ ନିର୍ଦ୍ଦେଶକଙ୍କର ଏକ ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି ।
ଏହି କର୍ମଶାଳାରେ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ସୋମେଶ କୁମାର ଉପାଧ୍ୟାୟ, ଭୁବନେଶ୍ଵର ‘ଏନଆଇଏଫଟି’ର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ବିଭାବରି କୁମାର, ‘ଏଫଆଇଇଓ’ର ଅତିରିକ୍ତ ନିର୍ଦ୍ଦେଶକ କମଳାକାନ୍ତ ସାହୁ, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ଉପନିର୍ଦ୍ଦେଶିକା ମଧୁସ୍ମିତା ଦାଶ, ବିଭାଗୀୟ ଅଧିକାରୀ, ବୁଣାକାର ଓ କାରିଗର ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ୨୦୩୦ ସୁଦ୍ଧା ଭାରତର ହସ୍ତଶିଳ୍ପ, ବୟନ ଓ ପୋଷାକ ରପ୍ତାନିକୁ ୧୦୦ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରହିଛି ।
ବିଶ୍ୱ ବଜାରରେ ଭାରତର ବୟନ ଓ ହସ୍ତତନ୍ତ କ୍ଷେତ୍ରରେ ୪.୧ ପ୍ରତିଶତ ରପ୍ତାନି ହେଉଥିବା ବେଳେ ୭ ପ୍ରତିଶତକୁ ରପ୍ତାନି ବୃଦ୍ଧି କରିବାକୁ ବୟନ ମନ୍ତ୍ରାଳୟ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ।
୨୦୨୪-୨୫ ଆର୍ଥିକ ବର୍ଷରେ ଓଡିଶାରୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରରେ ୭୫୭.୩ କୋଟି ଟଙ୍କାର ରପ୍ତାନି ହୋଇଛି ।