'ଏନସିପି-ଶରଦଚନ୍ଦ୍ର ପାଓ୍ବାର’ ଶରଦ ଗୋଷ୍ଠୀଙ୍କ ନୂଆ ନାମ
ନୂଆଦିଲ୍ଲୀ: ଅଜିତ ପାଓ୍ବାର ଗୋଷ୍ଠୀକୁ ପ୍ରକୃତ ‘ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି’ (ଏନସିପି) ଘୋଷଣା ସହ ଦଳୀୟ ଚିହ୍ନ ପ୍ରଦାନ କରିବା ପରେ ଶରଦ ପାଓ୍ବାରଙ୍କ ଗୋଷ୍ଠୀକୁ ନୂଆ ଦଳୀୟ ନାମ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ । ଏବେ ଶରଦଙ୍କ ଗୋଷ୍ଠୀ ‘ଏନସିପି-ଶରଦଚନ୍ଦ୍ର ପାଓ୍ବାର’ ଭାବେ ନାମିତ ହେବ । ଶରଦଙ୍କ ଗୋଷ୍ଠୀ ନୂଆ ନାମ ପାଇଥିବା ବେଳେ ନୂତନ ନିର୍ବାଚନୀ ସଙ୍କେତ ବା ‘ଚିହ୍ନ’ ନେଇ ଏବେବି ନିର୍ବାଚନ ଆୟୋଗ ସସପେନ୍ସ ବଜାୟ ରଖିଛନ୍ତି । ମଙ୍ଗଳବାର ଦଳର ମାନ୍ୟତା ସହ ଅଜିତ ଗୋଷ୍ଠୀ ଏନସିପିର ନିର୍ବାଚନୀ ଚିହ୍ନ ‘କାନ୍ଥ-ଘଣ୍ଟା’ ମଧ୍ୟ ପାଇଥିଲା । ତେବେ ବୁଧବାରସଂଧ୍ୟା ସୁଦ୍ଧା ଶରଦଙ୍କ ଗୋଷ୍ଠୀକୁ ତିନିଟି ବିକଳ୍ପ ପ୍ରସ୍ତାବିତ ନାମ ସୁପାରିଶ କରିବାକୁ ଆୟୋଗଙ୍କ ପକ୍ଷରୁ କୁହାଯାଇଥିଲା । ଶରଦଙ୍କ କ୍ୟାମ୍ପରୁ ୩ ବିକଳ୍ପ ନାମ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା । ସେଥିମଧ୍ୟରୁ ଗୋଟିଏକୁ ଶରଦଙ୍କ ଗୋଷ୍ଠୀକୁ ଆୟୋଗ ପ୍ରଦାନ କରିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶରଦଙ୍କ ଗୋଷ୍ଠୀ ପ୍ରସ୍ତାବ ରଖିଥିବା ନାମ ମଧ୍ୟରେ ନ୍ୟାସଲିଷ୍ଟ କଂଗ୍ରେସ ପାର୍ଟି-ଏସ, ନ୍ୟାସାଲିଷ୍ଟ କଂଗ୍ରେସ ପାର୍ଟି କଂଗ୍ରେସ ପାର୍ଟି ଶରଦ ପାଓ୍ବାର ଓ ନ୍ୟାସଲିଷ୍ଟ କଂଗ୍ରେସ ପାର୍ଟି- ଶରଦଚନ୍ଦ୍ର ପାଓ୍ବାର ରଖିଥିଲା । ପାର୍ଟିର ବିକଳ୍ପ ନାମ ପ୍ରସ୍ତାବ ରଖିବା ପୂର୍ବରୁ ଶରଦ ପାଓ୍ବାର ନିଜ ଗୋଷ୍ଠୀର ନେତା ଓ ଆଇନଗତ ପରାମର୍ଶଦାତାଙ୍କ ସହ ଆଲୋଚନା କରିଥିଲେ । ଶେଷରେ ତୃତୀୟ ନାମଟିର ମୋହର ମାରିଛନ୍ତି ଆୟୋଗ । ଏନସିପିରେ ପୂର୍ବରୁ ମୋଟ ୫୩ ବିଧାୟକ ଥିବା ବେଳେ ଏବେ ୮୪ ବର୍ଷୀୟ ଶରଦଙ୍କ ଗୋଷ୍ଠୀରେ ୧୨ ବିଧାୟକ ରହିଛନ୍ତି । ଅଜିତ ଗୋଷ୍ଠୀରେ ୪୦ରୁ ଅଧିକ ବିଧାୟକ ଥିବା ଦାବି ହେଉଛି ।