ଜାତୀୟ ଜଳପଥ-୫ର ବିକାଶ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ...

Nov 4, 2026 - 10:21
 5
ଜାତୀୟ ଜଳପଥ-୫ର ବିକାଶ ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ...

ଭାରତ ସରକାର, ଶିଳ୍ପ ଅଂଶୀଦାର ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଆଲୋଚନା

ଓଡ଼ିଶାରେ ଅନ୍ତର୍ଦେଶୀୟ ଜଳପଥ ସଂଯୋଗ ଓ ଶିଳ୍ପ ବିକାଶକୁ ସୁଦୃଢ଼ କରିବ ଏନ୍‌ଡବ୍ଲ୍ୟୁ-୫ 

ଜାତୀୟ ଜଳପଥ-୫ (ଏନ୍‌ଡବ୍ଲ୍ୟୁ-୫)ର ବିକାଶ ସମ୍ପର୍କରେ ଆଜି ଭୁବନେଶ୍ୱର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସଚିବ ଶ୍ରୀ ବିଜୟ କୁମାର ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଶିଳ୍ପ ସଂସ୍ଥାଗୁଡ଼ିକର ପ୍ରତିନିଧି ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ପ୍ରାୟ ୫୮୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ପ୍ରସ୍ତାବିତ ଜାତୀୟ ଜଳପଥ-୫ (ଏନ୍‌ଡବ୍ଲ୍ୟୁ-୫)ର ବିକାଶ ସମ୍ପର୍କରେ ବୈଠକରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧି ଓ ସରକାରୀ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା ଓ ମତ ବିନିମୟ କରାଯାଇଥିଲା ।

ମୋଟ ୫୮୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ଜାତୀୟ ଜଳପଥର ପ୍ରଥମ ଭାଗକୁ ‘ନଦୀୟ ଖଣ୍ଡ’ (ରିଭେରାଇନ୍ ସେକ୍ସନ) କୁହାଯାଏ । ଏହା ତାଳଚେରଠାରୁ ପାରାଦୀପ/ଧାମରା ପର୍ଯ୍ୟନ୍ତ ୩୩୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏବଂ ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ମଧ୍ୟରେ ରହିଛି । 

ଏହାର ଦ୍ୱିତୀୟ ଭାଗକୁ ‘କେନାଲ୍ ଖଣ୍ଡ’ ( କେନାଲ ସେକ୍ସନ) କୁହାଯାଏ । ଏହା ଧାମରାଠାରୁ ପଶ୍ଚିମବଙ୍ଗର ଗେଓନଖାଲି ପର୍ଯ୍ୟନ୍ତ ପ୍ରାୟ ୨୫୬ କିଲୋମିଟର ଦୈର୍ଘ୍ୟ ପରିବ୍ୟାପ୍ତ ।

ଜାତୀୟ ଜଳପଥ-୫ (ଏନ୍‌ଡବ୍ଲ୍ୟୁ-୫)ର ବିକାଶ ଓଡ଼ିଶାର ଖଣିଜ ଓ ଶିଳ୍ପ ସମୃଦ୍ଧ ଅଞ୍ଚଳରେ ଆଭ୍ୟନ୍ତରୀଣ ଜଳପଥ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ବନ୍ଦରଭିତ୍ତିକ ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବର୍ତ୍ତମାନ ଏହି ପ୍ରକଳ୍ପ ଅନୁମୋଦନ ପ୍ରକ୍ରିୟାରେ ରହିଛି । 

ଏହି ବୈଠକରେ ଜାତୀୟ ଜଳପଥ-୫ର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ସମନ୍ୱୟ ଆବଶ୍ୟକ କରୁଥିବା ବିଭିନ୍ନ ବିଚାରାଧୀନ ପ୍ରସଙ୍ଗର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । 

ଏଥିସହିତ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଅଂଶଗ୍ରହଣ, ସମ୍ପତ୍ତିର ରକ୍ଷଣାବେକ୍ଷଣ, ଜମି ଅଧିଗ୍ରହଣ, ଟର୍ମିନାଲ୍ ଏବଂ ଜଳ ପ୍ରବାହ ନିୟନ୍ତ୍ରଣ ସମ୍ବନ୍ଧୀୟ ସଂରଚନା ପାଇଁ ଜମି ହସ୍ତାନ୍ତର ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହା ବ୍ୟତୀତ ଜଳପଥରେ ସର୍ବନିମ୍ନ ଆବଶ୍ୟକ ନୌଚଳାଚଳ ଗଭୀରତା ବଜାୟ ରଖିବା ପାଇଁ ଜଳ ନିଷ୍କାସନ, ଖଲପାଲ ନାଭିଗେସନାଲ୍ ଲକ୍‌ ର ବିକାଶ, ଆବଶ୍ୟକ ଆଇନଗତ ଅନୁମତି, ସେତୁ ନିର୍ମାଣ ଓ ଅପସାରଣ, ସଡ଼କ ସଂଯୋଗୀକରଣ ସୁବିଧା ଏବଂ ଉଚ୍ଚ ଓ ନିମ୍ନ କ୍ଷମତାସମ୍ପନ୍ନ ବିଦ୍ୟୁତ୍ ଲାଇନ୍‌ ସ୍ଥାନାନ୍ତରଣ ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ଏଥିସହିତ ବାହୁଦା ମୁହାଣ ବନ୍ଦର, କେନ୍ଦ୍ରାପଡ଼ା ଜିଲ୍ଲାରେ ଜାହାଜ ନିର୍ମାଣ କ୍ଲଷ୍ଟର ଏବଂ ପୁରୀଠାରେ କ୍ରୁଜ୍ ଟର୍ମିନାଲ୍ ଭଳି ଆଗାମୀ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ବିକାଶ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।

ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଜାତୀୟ ଜଳପଥ-୫ (ଏନ୍‌ଡବ୍ଲ୍ୟୁ-୫)ର ଓଡ଼ିଶା ଅଂଶ ସମେତ ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପଗୁଡ଼ିକର ସମୟୋଚିତ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ । 

ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ଶିଳ୍ପ ବିକାଶ ଏବଂ କ୍ରୁଜ୍ ପର୍ଯ୍ୟଟନର ପ୍ରସାର ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଥିଲେ ।