ଓଏଏସ୍ସ୍ତରରେ ଅଦଳବଦଳ
ଭୁବନେଶ୍ୱର : ଓଏଏସ୍ସ୍ତରରେ ଅଦଳବଦଳ । ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି । ସମ୍ୱଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଭାବେ କାର୍ୟ୍ୟରତ ଯୁଗଳେଶ୍ୱରୀ ଦାସଙ୍କୁ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ(ରୋଟି)ର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କଟକ ସ୍ଥିତ ଆରଡିସି କାର୍ୟ୍ୟାଳୟରେ ଅତିରିକ୍ତ ଚକବନ୍ଦୀ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ୟ୍ୟରତ ବରିଷ୍ଠ ଓଏଏସ୍ ସୟେଦ ମହମ୍ମଦ ଅକଦାସଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସଚିବ ଭାବେ ବଦଳି ହୋଇଛି ।ସେହିପରି ଇଡକୋ ଲ୍ୟାଣ୍ଡ ଅଫିସର ପ୍ରଜ୍ଞାଧାରା ମିଶ୍ରଙ୍କୁ ଇଡକୋ ମୁଖ୍ୟ ମହାପ୍ରବନ୍ଧକ (ଜେନେରାଲ ମ୍ୟାନେଜର ପି ଆଣ୍ଡ ଏ) ଭାବେ ବଦଳି କରାଯାଇଛି । ତାଙ୍କର ରାଜସ୍ୱ ବିଭାଗକୁ ପୂର୍ବରୁ ହୋଇଥିବା ବଦଳି ନିର୍ଦ୍ଦେଶକୁ ରଦ୍ଦ କରାଯାଇଛି । କନ୍ଧମାଳ ଜିଲ୍ଲା କାର୍ୟ୍ୟନିର୍ବାହୀ ଅଧିକାରୀ ତଥା ଜିଲ୍ଲା ପରିଷଦ ଅଧିକାରୀ ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ କଟକ ସ୍ଥିତ ଆରଡିସି କାର୍ୟ୍ୟାଳୟରେ ଚକବନ୍ଦୀ ଓ ବନ୍ଦୋବସ୍ତ ଅତିରିକ୍ତ କମିଶନର ଭାବେ ବଦଳି ହୋଇଛି । ଅନ୍ୟପଟେ ଓଏଏସ୍ ଅଭିମନ୍ୟୁ ବେହେରାଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି । ଅନୁସୂଚିତ ଜାତି ଓ ଜନଜାତି ଅର୍ଥ ନିଗମର ମହାପ୍ରବନ୍ଧକ ଇତିଶ୍ରୀ ଦାସଙ୍କ ବଦଳିକୁ ରଦ୍ଦ କରାଯାଇଛି । ତାଙ୍କୁ ଗତ ଜାନୁୟାରୀ ମାସରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିଲା । ତାଙ୍କୁ ନିଜ ସ୍ଥାନରେ କାର୍ୟ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।