କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାର ୪୫ତମ ବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 11, 2026 - 08:48
 9
କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାର ୪୫ତମ ବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ବେଙ୍ଗାଲୁରୁର ବାତାବରଣ, ପରିବେଶ ସ୍ବତନ୍ତ୍ର, ଏହି ସହର ସାରା ବିଶ୍ବରେ ସଫ୍ଟୱେର ଓ ସେବା ପାଇଁ ଜଣାଶୁଣା, କିନ୍ତୁ ଏହି ସହର ଭାରତର ସାଂସ୍କୃତିକ ପରିଚୟ, ଆଧ୍ୟାତ୍ମିକତା ଓ ଆଧ୍ୟାତ୍ମିକ ଚେତନାକୁ ନୂଆ ଉଚ୍ଚତାକୁ ନେଇଯାଇଛି: ପ୍ରଧାନମନ୍ତ୍ରୀ

ଆମ ସମାଜର ସ୍ବାଭାବିକ ଚରିତ୍ର ହେଉଛି ‘ସେବା ପରମୋ ଧର୍ମ': ପ୍ରଧାନମନ୍ତ୍ରୀ

ସ୍ବଚ୍ଛ ଭାରତ ଅଭିଯାନ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଲୋକଙ୍କ ଜୀବନର ଏକ ଅଂଗ ହୋଇଯାଇଛି, ଏବେ ଏହା ସମାଜର ଶକ୍ତିରେ ଆଗେଇ ଚାଲିଛି: ପ୍ରଧାନମନ୍ତ୍ରୀ

ମାନସିକ ଭାବରେ ଶାନ୍ଧ, ସମାଜପ୍ରତି ଦାୟିତ୍ବବାନ ଏବଂ ସମ୍ବେଦନଶୀଳ ଯୁବକମାନଙ୍କ ଦ୍ବାରା ହିଁ ବିକଶିତ ଭାରତର ସ୍ବପ୍ନ ସାକାର ସମ୍ଭବ ହେବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ ଲିଭିଂର ୪୫ତମ ବାର୍ଷିକୀ ପାଳନ ସମାରୋହରେ ଯୋଗଦେଇଛନ୍ତି। ଏହି ଅବସରର ପବିତ୍ରତା କଥା ପ୍ରକାଶ କରି ସେ କହିଥିଲେ ଯେ ପିଲାମାନଙ୍କ ବେଦବାଣୀ, ଭଗବାନ ଗଣେଶଙ୍କ ଦର୍ଶନ, ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ତମ ବର୍ଷ ଓ ଆର୍ଟ ଅଫ ଲିଭିଂର ୪୫ତମ ବାର୍ଷିକୀ ଦ୍ବାରା ଆଜିର ସକାଳଟି ସମୃଦ୍ଧ ହୋଇଛି। "ଏସବୁ କ୍ଷଣଗୁଡ଼ିକ ସବୁବେଳ ମୋ ମାନସପଟ୍ଟରେ ରହିବ” ସେ କହିଥିଲେ।

ଏକ ଦିବ୍ୟ ଓ ଭବ୍ୟ ଧ୍ୟାନ ମନ୍ଦିରର ଉଦ୍‌ଘାଟନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରି ସମର୍ପିତ ପ୍ରତିଷ୍ଠାନଗୁଡ଼ିକର ଅନେକ ଗୁରୁତ୍ବ ରହିଛି। ଏହାର ଉଦ୍‌ଘାଟନ ପାଇଁ ସେ ଆର୍ଟ ଅଫ ଲିଭିଂକୁ ଅଭିନନ୍ଦନ ଜଣାଇଥିଲେ। "ଯେତେବେଳେ ସଂକଳ୍ପ ସୃଷ୍ଟ ଥାଏ ଏବଂ ସେବା ମନୋଭାବ ସହିତ କାମ କରାଯାଏ, ସେତେବେଳେ ପ୍ରତ୍ୟେକ ପ୍ରୟାସ ସୁଖଦ ଫଳାଫଳ ପ୍ରଦାନ କରେ," ଶ୍ରୀ ମୋଦୀ କହିଥିଲେ।

ବେଙ୍ଗାଲୁରୁର ସ୍ବତନ୍ତ୍ର ପରିବେଶର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଏହି ସହର କେବଳ ସଫ୍ଟୱେର୍‌ ଏବଂ ସେବା ପାଇଁ ନୁହେଁ ବରଂ ଭାରତର ସାଂସ୍କୃତିକ ପରିଚୟ ଏବଂ ଆଧ୍ୟାତ୍ମିକ ଚେତନାକୁ ଉପରକୁ ନେବା ପାଇଁ ମଧ୍ୟ ବିଶ୍ବ ସ୍ମରରେ ସ୍ବୀକୃତି ପାଇଛି। "ଏହି ସହର ଦ୍ବାରା ଆଧ୍ୟାତ୍ମିକତା ଏବଂ ଆଧ୍ୟାତ୍ମିକ ଚେତନାକୁ ମଧ୍ୟ ନୂତନ ଉଚ୍ଚତାକୁ ନିଆଯାଇଛି," ଶ୍ରୀ ମୋଦୀ କହିଥିଲେ।

ଯୋଗ, ଧ୍ୟାନ ଓ ପ୍ରାଣାୟାମ ଭାରତୀୟ ମୂଲ୍ୟବୋଧର ଏକ ଅବିଚ୍ଛେଦ୍ୟ ଅଂଗ ବୋଲି ପ୍ରକାଶ କରି ସେ କହିଥିଲେ ଯେ ସାରା ବିଶ୍ବର ଲୋକେ ଭାରତର ଆଧ୍ୟାତ୍ମିକ ମୂଲ୍ୟବୋଧ ଦ୍ବାରା ପ୍ରଭାବିତ ହେଉଛନ୍ତି। ଏହି ମୂଲ୍ୟବୋଧରୁ ଭାରତରେ ବି ଅନେକ ପ୍ରତିଷ୍ଠାନ ପ୍ରେରଣା ଗ୍ରହଣ କରୁଛନ୍ତି ବୋଲି ସେ କହିଥିଲେ।

ସେ କହିଥିଲେ, ଭାରତର ପ୍ରାଚୀନ ଆଧ୍ୟାତ୍ମିକ ମୂଲ୍ୟବୋଧରୁ ପ୍ରେରଣା ନେଇ ଶ୍ରୀ ଶ୍ରୀ ରବିଶଙ୍କରଜୀ ୪୫ ବର୍ଷ ତଳେ ଆର୍ଟ ଅଫ୍ ଲିଭିଂର ବୀଜ ବପନ କରିଥିଲେ, ଆଜି ତାହା ଏକ ବିଶାଳ ବଟବୃକ୍ଷରେ ପରିଣତ ହୋଇଛି। "ଆଜି ଏହା ଏକ ବିଶାଳ

ବଟବୃକ୍ଷଭାବେ ଛିଡ଼ା ହୋଇଛି ଯାହାର ହଜାର ହଜାର ଶାଖା ପ୍ରଶାଖା ରହିଛି ଓ ସାରା ବିଶ୍ବର ଅଗଣିତ ଲୋକଙ୍କ ଜୀବନକୁ ଛୁଇଁଛି'' ମୋଦୀ କହିଥିଲେ।

ଭାଷା, ପରମ୍ପରା, ରୀତି ଏବଂ ଉପାସନାକୁ ନେଇ ଭାରତର ସମୃଦ୍ଧ ବିବିଧତାର ପ୍ରସାରକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହି ସୁନ୍ଦର ବିବିଧତାକୁ କ'ଣ ବାନ୍ଧି ରଖୁଛି ସେ ବିଷୟରେ ଏକ ମୌଳିକ ପ୍ରଶ୍ନ ଉଠାଇଥିଲେ। "ଏହାର ଉତ୍ତର ହେଉଛି ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ପାଇଁ ବଞ୍ଚିବା," ଶ୍ରୀ ମୋଦୀ ଉତ୍ତର ଦେଇଥିଲେ।

ପୁରାଣରୁ ପ୍ରାଚୀନ ଜ୍ଞାନକୁ ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଅନ୍ୟର ସେବା କରିବା ପୁଣ୍ୟ ଏବଂ ଯନ୍ତ୍ରଣା ଦେବା ପାପ। ସେ କହିଥିଲେ ଯେ ସେବା ହେଉଛି ଭାରତୀୟ ସମାଜର ପ୍ରାକୃତିକ ଚରିତ୍ର। " 'ସେବା ପରମୋ ଧର୍ମ' ଆମ ସମାଜର ପ୍ରାକୃତିକ ଚରିତ୍ର," ଶ୍ରୀ ମୋଦୀ ପ୍ରକାଶ କରିଥିଲେ।

ଭାରତର ଅନେକ ଆଧ୍ୟାତ୍ମିକ ଆନ୍ଦୋଳନ ଶେଷରେ ମାନବତାର ସେବା ମାଧ୍ୟମରେ ନିଜକୁ ପ୍ରକାଶ କରିଆସିଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆର୍ଟ ଅଫ୍ ଲିଭିଂର ପ୍ରତ୍ୟେକ ପ୍ରୟାସରେ ସମାନ ଭାବନା ପ୍ରତିଫଳିତ ହେଉଥ‌ିବା ଦେଖ୍ ଖୁସି ପ୍ରକାଶ କରିଥିଲେ। ସେ ଆର୍ଟ ଅଫ୍ ଲିଭିଂର ଯାତ୍ରା ସହିତ ଜଡିତ ପ୍ରତ୍ୟେକ ସ୍ବେଚ୍ଛାସେବୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ସେମାନଙ୍କ ସମର୍ପଣ ଏବଂ ସେବା ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ।

ଯେକୌଣସି ମିଶନର ସଫଳତା ପାଇଁ ସାମାଜିକ ସମ୍ପର୍କ ଅତ୍ୟାବଶ୍ୟକ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ ଯେ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ହାସଲ ପାଇଁ ସାମାଜର ଶକ୍ତି ଜାଗ୍ରତ କରାଯିବା ଜରୁରୀ। ସେ ପ୍ରକାଶ କରିଥିଲେ ଯେ ସମାଜ ରାଜନୈତିକ ବ୍ୟବସ୍ଥା ଏବଂ ସରକାର ଅପେକ୍ଷା ଅଧିକ ଶକ୍ତିର ଅଧିକାରୀ, ଏବଂ ଯେପର୍ଯ୍ୟନ୍ତ ସମ୍ପ୍ରଦାୟଗୁଡ଼ିକ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭାବରେ ଅଂଶଗ୍ରହଣ କରନ୍ତି ନାହିଁ, ସେପର୍ଯ୍ୟନ୍ତ କୌଣସି ପ୍ରଶାସନ ପ୍ରକୃତରେ ସଫଳ ହୋଇପାରିବ ନାହିଁ। ସେ ସ୍ବଚ୍ଛ ଭାରତ ମିଶନକୁ ଉଦାହରଣ ବୋଲି ଉଲ୍ଲେଖ କରି କହିଥିଲେ ଯେ ସରକାରୀ ପଦକ୍ଷେପ ଭାବରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଲୋକଙ୍କ ଜୀବନର ଏକ ଅଂଗ ହୋଇଯାଇଛି ଓ ବର୍ତ୍ତମାନ ଏହା ସମାଜର ନିଜସ୍ବ ଗତି ମାଧ୍ୟମରେ ଆଗକୁ ବଢ଼ୁଛି । ସମାଜର ଶକ୍ତି ଯୋଗଦାନ କଲେ ଯେକୌଣସି ଅଭିଯାନ ସଫଳ ହୁଏ ବୋଲି ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ, "ଏପରି ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ମିଶନ ପାଇଁ ସମାଜର ଶକ୍ତି ଜାଗ୍ରତ କରିବା ଅତ୍ୟନ୍ତ ଆବଶ୍ୟକ।”