କୃଷକ ନେତାମାନଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା
ପଟିଆଲା: ପଞ୍ଜାବ ଓ ହରିୟାଣା ସୀମାରେ ଆନ୍ଦୋଳନରତ କୃଷକ ନେତାମାନେ ପିଲାମାନଙ୍କୁ ଢାଲ ଭାବରେ ବ୍ୟବହାର କରୁଥିବାରୁ ହାଇକୋର୍ଟ କଡ଼ା ସମାଲୋଚନା କରିଛନ୍ତି ଏବଂ ରାଜ୍ୟ ସରକାର ମଧ୍ୟ ଏ କ୍ଷେତ୍ରରେ ତାଙ୍କ ଦାୟିତ୍ୱ ଠିକ୍ ଭାବରେ ତୁଲାଉ ନ ଥିବା କହିଛନ୍ତି। ‘ଆନ୍ଦୋଳନରେ ପିଲାମାନଙ୍କୁ ଢାଲ ଭାବେ ବ୍ୟବହାର କରାଯିବା ଅତ୍ୟନ୍ତ ଲଜ୍ଜାଜନକ। ପିଲାଙ୍କ ବୟସ ଉପରେ ନଜର ପକାନ୍ତୁ। ଏହା ଏକ ଯୁଦ୍ଧ ଭଳି ପରିସ୍ଥିତି ଥିଲା- ବିକ୍ଷୋଭକାରୀ କୃଷକମାନେ ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି। ଫଳରେ ମହିଳା ଓ ଶିଶୁ ଆହତ ହୋଇଛନ୍ତି’ ବୋଲି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜିଏସ୍ ସାନ୍ଧାୱାଲିଆ ଏବଂ ଜଷ୍ଟିସ୍ ଲାପିତା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ହରିୟାଣା ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓକିଲ ଆନ୍ଦୋଳନର ଅନେକ ଚିତ୍ର ଦେଖାଇବା ପରେ କୋର୍ଟ ଏଭଳି ପ୍ରତିକ୍ରିୟା ରଖିଛନ୍ତି। ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବି ନେଇ ପଞ୍ଜାବ ଓ ହରିୟାଣାର କୃଷକମାନେ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସେମାନେ ପଞ୍ଜାବ ଓ ହରିୟାଣା ମଧ୍ୟରେ ଥିବା ଶମ୍ଭୁ ଓ ଖାନୌରୀ ସୀମାରେ କ୍ୟାମ୍ପ କରୁଛନ୍ତି।