କେନ୍ଦ୍ର ସରକାରଙ୍କ ପ୍ୟାକେଟ ଖାଇବା ତେଲ ଉପରେ କଡା କାର୍ଯ୍ୟାନୁଷ୍ଠାନ...
କେନ୍ଦ୍ର ସରକାରଙ୍କ ପ୍ୟାକେଟ ଖାଇବା ତେଲ ଉପରେ କଡା କାର୍ଯ୍ୟାନୁଷ୍ଠାନ...
ବଜାରରେ ଖାଇବା ତେଲ କିଣିବା ସମୟରେ ଆଉ ଦ୍ୱନ୍ଦ୍ୱରେ ପଡ଼ିବେନି ଗ୍ରାହକ। ଗ୍ରାହକମାନଙ୍କୁ ଶୋଷଣରୁ ରକ୍ଷା କରିବା ଏବଂ ବଜାରରେ ସ୍ୱଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।
ଦେଶରେ ବିକ୍ରି ହେଉଥିବା ସମସ୍ତ ଖାଇବା ତେଲ ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ମାନକ ଆକାର ବା 'ଷ୍ଟାଣ୍ଡାର୍ଡ ପ୍ୟାକ୍ ସାଇଜ୍' ଧାର୍ଯ୍ୟ କରିଛନ୍ତି। ନିୟମ ଉଲ୍ଲଂଘନ କରୁଥିବା କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଲିଗାଲ୍ ମେଟ୍ରୋଲୋଜି ଢାଞ୍ଚା ଅଧୀନରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଏହି ନୂତନ ନିୟମ ଲାଗୁ କରିଛି।
ବର୍ତ୍ତମାନ ବଜାରରେ ବିଭିନ୍ନ ଅଦ୍ଭୁତ ଆକାରର ପ୍ୟାକେଟ୍ ମିଳୁଥିବାରୁ ଗ୍ରାହକମାନେ କେଉଁ ବ୍ରାଣ୍ଡର ତେଲ ଶସ୍ତା ବା ଭଲ, ତାହା ତୁଳନା କରିପାରୁ ନାହାନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ପ୍ୟାକେଜିଂକୁ ୯ଟି ନିର୍ଦ୍ଦିଷ୍ଟ ଆକାରରେ ସୀମିତ କରିଛନ୍ତି। ସେଗୁଡ଼ିକ ହେଲା– ୨୦୦ ମିଲିଲିଟର/ଗ୍ରାମ, ୫୦୦ ମିଲିଲିଟର/ଗ୍ରାମ, ୧ ରୁ ୫ ଲିଟର/କିଲୋଗ୍ରାମ, ୧୫ କିଲୋଗ୍ରାମ ଏବଂ ୨୦ ଲିଟର/କିଲୋଗ୍ରାମ।
ଏହି ନୂଆ ନିୟମ ଦେଶୀୟ ଉତ୍ପାଦନ ଏବଂ ଆମଦାନୀ ହେଉଥିବା ପାମ୍, ସୋୟାବିନ୍, ସୂର୍ଯ୍ୟମୁଖୀ, ସୋରିଷ, ଚିନାବାଦାମ ଓ ସାସୁମେ ଭଳି ସମସ୍ତ ପ୍ରମୁଖ ଖାଇବା ତେଲ ଉପରେ ଲାଗୁ ହେବ।
ଏଥିସହିତ ପ୍ୟାକେଟ୍ ଉପରେ ଏହାର ପରିମାଣ ସହ ସମାନ ଓଜନ ଉଲ୍ଲେଖ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। କମ୍ପାନୀଗୁଡ଼ିକୁ ଏହି ନୂଆ ବ୍ୟବସ୍ଥା ଆପଣାଇବା ପାଇଁ ସରକାର ୩ ମାସର ସମୟ ଦେଇଛନ୍ତି।
ତେବେ ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ସୁବିଧା ପାଇଁ ୨୦୦ ମିଲିଲିଟରରୁ ଛୋଟ ପାଉଚ୍ ବା ପ୍ୟାକେଟ୍ ଏବଂ କିଛି ସ୍ୱଳ୍ପ ବ୍ୟବହୃତ ତେଲକୁ ଏହି ନିୟମରୁ ବାଦ୍ ଦିଆଯାଇଛି।
ତେଲ ଶିଳ୍ପ ଜଗତର ପ୍ରାୟ ୯୦ ପ୍ରତିଶତ ଆସୋସିଏସନ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସରକାର ସୂଚନା ଦେଇଛନ୍ତି। ଏହାଦ୍ୱାରା ଉଭୟ ଗ୍ରାହକ ଏବଂ ତେଲ ଉଦ୍ୟୋଗ ଉପକୃତ ହେବେ ।