କ୍ରୁଟ୍‌ର କାର୍ଯ୍ୟକଳାପ ସମୀକ୍ଷା: ସୁରକ୍ଷା, ସେବାର ଗୁଣବତ୍ତା ଓ ଯାତ୍ରୀ ସନ୍ତୋଷ ଉପରେ ଗୁରୁତ୍ୱ...

Aug 11, 2026 - 19:59
 12
କ୍ରୁଟ୍‌ର କାର୍ଯ୍ୟକଳାପ ସମୀକ୍ଷା: ସୁରକ୍ଷା, ସେବାର ଗୁଣବତ୍ତା ଓ ଯାତ୍ରୀ ସନ୍ତୋଷ ଉପରେ ଗୁରୁତ୍ୱ...

କମ୍ପ୍ରିହେନ୍ସିଭ୍ ରିଜିଓନାଲ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍)ର କାର୍ଯ୍ୟକଳାପ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । 

ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ‘ଆମ ବସ୍’ ସେବାର ଗୁଣବତ୍ତା, ସୁରକ୍ଷା ଓ ବିଶ୍ୱସନୀୟତାକୁ ଆହୁରି ସୁଦୃଢ଼ କରିବା ପାଇଁ ସମନ୍ୱିତ ଓ ସମୟବଦ୍ଧ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲମ୍, ଅତିରିକ୍ତ ସଚିବ- ତଥା -ଜିଏମ୍ ସହଦେବ ସମାଧିଆ, ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ମମତାରାଣୀ ନାଏକ, କ୍ରୁଟ୍‌ର ଆର୍ଥିକ ପରାମର୍ଶଦାତା, ଓଏସ୍ ଡି, ମ୍ୟାନେଜର (ଅପରେସନ)ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ବୈଠକରେ କ୍ରୁଟ୍‌ର ସାମଗ୍ରିକ ପରିଚାଳନା କାର୍ଯ୍ୟଦକ୍ଷତା, ବସ୍ ଓ ରୁଟ୍ ପରିଚାଳନା, ସଡ଼କ ସୁରକ୍ଷା, ଯାତ୍ରୀ ସେବା, ପରିଚାଳନା, ଡିଜିଟାଲ୍ ବ୍ୟବସ୍ଥା, ଆର୍ଥିକ ସ୍ଥାୟିତ୍ୱ, ଭିତ୍ତିଭୂମି ଏବଂ ଭବିଷ୍ୟତ ସମ୍ପ୍ରସାରଣ ଯୋଜନା ଆଦିର ବିସ୍ତୃତ ସମୀକ୍ଷା କରାଯାଇଥିଲା । 

ସେବା ପ୍ରଦାନ ବ୍ୟବସ୍ଥାର ନିରନ୍ତର ନିରୀକ୍ଷଣ କରି ଯେଉଁଠାରେ ଅଭାବ ବା ତ୍ରୁଟି ପରିଲକ୍ଷିତ ହେଉଛି, ସେଠାରେ ତୁରନ୍ତ ସୁଧାରମୂଳକ ପଦକ୍ଷେପ ନେବାକୁ ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଥିଲେ । ନିରାପଦ, ବିଶ୍ୱସନୀୟ, ଦକ୍ଷ ଓ ଯାତ୍ରୀ-ଅନୁକୂଳ ସାଧାରଣ ପରିବହନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ପ୍ରାଥମିକତା ଦେଇଥିଲେ ।

ବର୍ତ୍ତମାନ କ୍ରୁଟ୍ ପକ୍ଷରୁ ସାତଟି ସହରରେ ୭୭୦ଟି ବସ୍ ଚଳାଚଳ କରୁଛି। 

ଏଥିରେ ୩୯୦ଟି ଇଲେକ୍ଟ୍ରିକ୍ ବସ୍ ରହିଛି । ୧୩୮ଟି ରୁଟ୍‌ରେ ଏହି ବସ୍‌ଗୁଡ଼ିକ ଚଳାଚଳ କରି ପ୍ରତିଦିନ ପ୍ରାୟ ୩.୫ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦେଉଛି । 

ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ , ଜି ପି ଏସ୍ ଆଧାରିତ ଯାନ ଟ୍ରାକିଂ, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ମନିଟରିଂ, ସି ସି ଟି ଭି , ଯାତ୍ରୀ ସୂଚନା ବ୍ୟବସ୍ଥା ଏବଂ ଅପରେସନାଲ୍ ଡ୍ୟାସବୋର୍ଡ ଭଳି ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ମାଧ୍ୟମରେ କ୍ରୁଟ୍‌ର ପରିଚାଳନାକୁ ଆହୁରି ସୁଦୃଢ଼ କରାଯାଉଛି ।

ବୈଠକରେ ସଡ଼କ ସୁରକ୍ଷା ଓ କ୍ରୁ'ଙ୍କ କାର୍ଯ୍ୟଦକ୍ଷତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ପୂର୍ବବର୍ଷର ସମାନ ସମୟ ତୁଳନାରେ କ୍ରୁଟ୍‌ର ବସ୍ ଦୁର୍ଘଟଣାରେ ୫୨ ପ୍ରତିଶତ ହ୍ରାସ ଘଟିଛି । 

ଚାଳକମାନଙ୍କ ପାଇଁ ଉନ୍ନତ ପ୍ରଶିକ୍ଷଣ, ବାଧ୍ୟତାମୂଳକ ମଦ୍ୟପାନ ପରୀକ୍ଷା, ବେଗ ନିରୀକ୍ଷଣ, ନିୟମିତ ସୁରକ୍ଷା ପ୍ରଶିକ୍ଷଣ ଏବଂ କେପିଆଇ ଆଧାରିତ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । 

ପାଞ୍ଚ ଦିନିଆ ‘ସୁବାହକ’ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମଧ୍ୟ ସୁଦୃଢ଼ କରାଯାଇ ଇଲେକ୍ଟ୍ରିକ୍ ବସ୍ ପରିଚାଳନା ଉପରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଡ୍ୟୁଲ୍ ସାମିଲ କରାଯାଇଛି । 

ବର୍ତ୍ତମାନ ଚଳାଚଳ କରୁଥିବା ବସ୍‌ଗୁଡ଼ିକରେ ଆଡଭାନ୍ସଡ୍ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍ ଏବଂ ଡ୍ରାଇଭର୍ ଫାଟିଗ୍ ମନିଟରିଂ ସିଷ୍ଟମ୍ ପ୍ରଚଳନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି।

ଶ୍ରୀମତୀ ପାଢ଼ୀ କହିଥିଲେ ଯେ, ପ୍ରଯୁକ୍ତି ଓ ଭିତ୍ତିଭୂମିର ବିକାଶର ଶେଷ ଲକ୍ଷ୍ୟ ହେଉଛି ଯାତ୍ରୀମାନଙ୍କୁ ଉନ୍ନତ ସେବା ଯୋଗାଇଦେବା । 

ଏହି ପରିପ୍ରେକ୍ଷୀରେ ଡିଜିଟାଲ୍ ଟିକେଟିଂ, ଲାଇଭ୍ ବସ୍ ଟ୍ରାକିଂ, ବସ୍ ପହଞ୍ଚିବାର ସମ୍ଭାବ୍ୟ ସମୟ ସୂଚନା, ଯାତ୍ରୀ ମତାମତ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରଯୁକ୍ତିସମ୍ପନ୍ନ ସେବାର ସମୀକ୍ଷା କରାଯାଇଥିଲା । 

"ସାରଥୀ" ସେବା ଏବଂ ଇଲେକ୍ଟ୍ରିକ୍ ଫିଡର୍ ବସ୍ ସେବା ମାଧ୍ୟମରେ କ୍ରୁଟ୍ ଶେଷ ମାଇଲ୍ ସଂଯୋଗକୁ ମଧ୍ୟ ସୁଦୃଢ଼ କରୁଛି । ଫିଡର୍ ସେବାର ପାଇଲଟ୍ ପ୍ରକଳ୍ପରେ ବର୍ତ୍ତମାନ ଦୈନିକ ହାରାହାରି ପ୍ରାୟ ୪,୦୦୦ ଯାତ୍ରୀ ଯାତାୟାତ କରୁଛନ୍ତି ।

ଯାତ୍ରୀମାନଙ୍କୁ ଅଧିକ ସୁବିଧା ଓ ସାର୍ବଜନୀନ ପରିବହନରେ ନିରବଚ୍ଛିନ୍ନ ଯାତାୟାତ ସୁବିଧା ପ୍ରଦାନ ଉଦ୍ଦେଶ୍ୟରେ କ୍ରୁଟ୍ ଡିଜିଟାଲ୍ ଓ ସମନ୍ୱିତ ଟିକେଟିଂ ବ୍ୟବସ୍ଥା ସହ ଜାତୀୟ ସାଧାରଣ ଗତିଶୀଳତା କାର୍ଡର ବ୍ୟାପକ ବ୍ୟବହାରକୁ ପ୍ରୋତ୍ସାହିତ କରୁଛି ।

ବୈଠକରେ ମାନବ ସମ୍ବଳ ସୁଦୃଢ଼ୀକରଣ ଓ କର୍ମଚାରୀ କଲ୍ୟାଣ ଦିଗ ମଧ୍ୟ ସମୀକ୍ଷା କରାଯାଇଥିଲା । କ୍ରୁଟ୍ ପକ୍ଷରୁ ପୁନଃପ୍ରଶିକ୍ଷଣକୁ ବ୍ୟାପକ କରାଯାଇଥିବାବେଳେ ଇଲେକ୍ଟ୍ରିକ୍ ବସ୍ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ, ସାଇକୋମେଟ୍ରିକ୍ ମୂଲ୍ୟାୟନ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ପଦକ୍ଷେପ ନିଆଯାଇଛି । 

କ୍ରୁଙ୍କ କାର୍ଯ୍ୟଦକ୍ଷତାକୁ ନିର୍ଦ୍ଦିଷ୍ଟ କେ ପି ଆଇ ସହ ସଂଯୁକ୍ତ କରାଯାଇଛି । 

କ୍ରୁଟ୍‌ର ସମସ୍ତ "କ୍ରୁ" ସଦସ୍ୟ ‘ସୁବାହକ’ ପ୍ରଶିକ୍ଷଣ ମାଧ୍ୟମରେ ପ୍ରମାଣିତ ହୋଇଥିବାବେଳେ ୧୧୮ ଜଣ "କ୍ରୁ" ସଦସ୍ୟଙ୍କୁ କାର୍ଯ୍ୟଦକ୍ଷତା ଆଧାରିତ ସ୍ୱୀକୃତି ପ୍ରଦାନ କରାଯାଇଛି ।

କ୍ରୁଟ୍‌ର ଆର୍ଥିକ ସ୍ଥାୟିତ୍ୱ ଓ ଅନୁଷ୍ଠାନଗତ ସୁଦୃଢ଼ୀକରଣ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଥିଲା । 

ସୁଲଭ ଭଡ଼ା ଏବଂ ଜନସେବା ଦାୟିତ୍ୱ ସତ୍ତ୍ୱେ କ୍ରୁଟ୍‌ର ଖର୍ଚ୍ଚ ଆଦାୟ ଅନୁପାତରେ ଉନ୍ନତି ଘଟିଛି ଏବଂ ବର୍ତ୍ତମାନ ଏହା ପ୍ରାୟ ୬୫ ପ୍ରତିଶତ ରହିଛି। 

ଭବିଷ୍ୟତ ପଦକ୍ଷେପ ମଧ୍ୟରେ ସାଂଗଠନିକ ପୁନର୍ଗଠନ, ସ୍ୱୟଂଚାଳିତ ବିକ୍ରେତା ଓ ବିଲିଂ ପରିଚାଳନା, ସମ୍ପତ୍ତିରୁ ରାଜସ୍ୱ ସୃଷ୍ଟି, କୂତ୍ରିମ ବୁଦ୍ଧିମତ୍ତା ଆଧାରିତ ସମୟସୂଚୀ ପ୍ରସ୍ତୁତି ଏବଂ ପର୍ଯ୍ୟାୟକ୍ରମେ ସେବା ସମ୍ପ୍ରସାରଣ ଆଦି ରହିଛି ।

ନାଗରିକମାନଙ୍କ ବଢ଼ୁଥିବା ଯାତାୟାତ ଆବଶ୍ୟକତା ପୂରଣ ପାଇଁ କ୍ରୁଟ୍ ଅଧିକ ସହରକୁ ଏହାର ସାଧାରଣ ପରିବହନ ନେଟୱର୍କ ସମ୍ପ୍ରସାରଣ ଦିଗରେ କାର୍ଯ୍ୟ କରୁଛି । ବସ୍ ସଂଖ୍ୟା ବୃଦ୍ଧି, ରୁଟ୍ ସମ୍ପ୍ରସାରଣ ଏବଂ ନିର୍ଭରଯୋଗ୍ୟ ସାଧାରଣ ପରିବହନ ସେବା ପ୍ରତି ଯାତ୍ରୀଙ୍କ ପହଞ୍ଚକୁ ସୁଦୃଢ଼ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଉଛି । 

ଏହି ସମ୍ପ୍ରସାରଣ ରଣନୀତି ମାଧ୍ୟମରେ ନାଗରିକମାନଙ୍କ ବଢ଼ୁଥିବା ଗତିଶୀଳତା ଆବଶ୍ୟକତା ପୂରଣ ସହ ସାମଗ୍ରିକ ନଗର ସାଧାରଣ ପରିବହନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ ।

ଶେଷ ମାଇଲ୍ ସଂଯୋଗକୁ ଆହୁରି ସୁଦୃଢ଼ କରିବା ନିମନ୍ତେ କ୍ରୁଟ୍ ପକ୍ଷରୁ ସାର୍ବଜନୀନ-ଘରୋଇ ସହଭାଗିତା ମଡେଲ୍ ଏବଂ ଅନ୍ୟାନ୍ୟ ସହଯୋଗମୂଳକ ପଦକ୍ଷେପ ମାଧ୍ୟମରେ ଫିଡର୍ ଓ ଆନୁଷଙ୍ଗିକ ଗତିଶୀଳତା ସେବାର ପ୍ରଚଳନ ଓ ସମ୍ପ୍ରସାରଣର ସମ୍ଭାବନା ଅନୁସନ୍ଧାନ କରାଯାଉଛି । 

ସେବାର ପରିସର ବୃଦ୍ଧି, ପରିଚାଳନାଗତ ଦକ୍ଷତା ଏବଂ ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ପି ପି ପି ଆଧାରିତ ପଦକ୍ଷେପର ସମ୍ଭାବନା ମଧ୍ୟ ଅନୁଧ୍ୟାନ କରାଯିବ ।

ଶ୍ରୀମତୀ ପାଢ଼ୀ କ୍ରୁଟ୍‌କୁ ରୁଟ୍, ସମୟସୂଚୀ, ବସ୍‌ର ବ୍ୟବହାର, ସୁରକ୍ଷା ସୂଚକ, ଯାତ୍ରୀଙ୍କ ଅଭିଯୋଗ ଏବଂ କ୍ରୁ' ମାନଙ୍କର କାର୍ଯ୍ୟଦକ୍ଷତାର ନିରନ୍ତର ନିରୀକ୍ଷଣ ପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଥିଲେ । 

‘ଆମ ବସ୍’ ସେବା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବା ପାଇଁ ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ, ପରିଚାଳନାଗତ ସମସ୍ୟାର ତ୍ୱରିତ ସମାଧାନ ଏବଂ ଯାତ୍ରୀଙ୍କ ମତାମତର ନିୟମିତ ମୂଲ୍ୟାୟନ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ପ୍ରଭାବୀ ଅନୁପାଳନ ସୁନିଶ୍ଚିତ କରିବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । 

ଏହା ଦ୍ୱାରା କ୍ରୁଟ୍ ଏକ ନିରାପଦ, ଦକ୍ଷ, ପ୍ରଯୁକ୍ତିସମ୍ପନ୍ନ ଏବଂ ନାଗରିକକୈନ୍ଦ୍ରିକ ନଗର ସାଧାରଣ ପରିବହନ ବ୍ୟବସ୍ଥା ହୋଇ ନିରନ୍ତର ଭାବେ ବିକଶିତ ହୋଇପାରିବ ।